ଗାଁରେ ଡରାଇଲାଣି କିଡ୍‌ନି ରୋଗ ; ମାସରେ ୩ ମୃତ୍ୟୁ

Sep 15, 2026 - 13:47
 0  0
ଗାଁରେ ଡରାଇଲାଣି କିଡ୍‌ନି ରୋଗ ; ମାସରେ ୩ ମୃତ୍ୟୁ

ଯାଜପୁରଜିଲ୍ଲା ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ କଲରଙ୍ଗି କୁମାରଡ଼ି ଗାଁର ଡରାଇଲାଣି କିଡ୍‌ନି ରୋଗ। ଶୁକ୍ରବାର ଯୁବ ଖଣି ଶ୍ରମିକ ଚମନଲାଲ୍‌ ସର୍ଦ୍ଦାର(୩୦)ଙ୍କର ଏହି ରୋଗରୁ ଜୀବନ ଯାଇଛି। 

ଯାଜପୁରଜିଲ୍ଲା ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ କଲରଙ୍ଗି କୁମାରଡ଼ି ଗାଁର ଡରାଇଲାଣି କିଡ୍‌ନି ରୋଗ। ଶୁକ୍ରବାର ଯୁବ ଖଣି ଶ୍ରମିକ ଚମନଲାଲ୍‌ ସର୍ଦ୍ଦାର(୩୦)ଙ୍କର ଏହି ରୋଗରୁ ଜୀବନ ଯାଇଛି। ସେ ଟାଟାଷ୍ଟିଲ କ୍ରୋମାଇଟ୍‌ ଖଣିରେ ଠିକା ବୋଝେଇ ଶ୍ରମିକ ଥିଲେ। କିଛିଦିନ ପୂର୍ବରୁ ଲଗାଣ ବର୍ଷାରେ ତାଙ୍କ ଘର ଭାଙ୍ଗି ଯାଇଥିଲା। 
ଭଙ୍ଗାଘରେ ରୋଗଗ୍ରସ୍ତ ଚମନ ଦୟନୀୟ ଭାବେ ପଡ଼ି ରହିଥିଲେ। ସରପଞ୍ଚ କନକଲତା ସର୍ଦ୍ଦାରଙ୍କ ପରାମର୍ଶରେ ମେଡିକାଲ୍ ଯାଇଥିଲେ। ସପ୍ତାହ ପୂର୍ବରୁ ଘର ଫେରି ଆସିଥିଲେ। ପରିବାର ମୁଖ୍ୟ ତଥା ଘରର ଏକମାତ୍ର ରୋଜଗାରିଆ ସଦସ୍ୟଙ୍କ ମୃତ୍ୟୁରେ ପତ୍ନୀ ଓ ୩ ଶିଶୁ ସନ୍ତାନ ଏବେ ଅସହାୟ। ଗତମାସ ୩ ତାରିଖରେ ଏହି ଗ‌ାଁର ୨ କିଡ୍‌ନି ରୋଗୀ ଖଣି କର୍ମଚାରୀ ସୁରେନ ସର୍ଦ୍ଦାର(୫୯) ଓ ରାଜମିସ୍ତ୍ରି ସାଧୁ ଚରଣ ମହାନ୍ତ(୬୩)ଙ୍କର ମୃତ୍ୟୁ ହୋଇଥିଲା। 

ଟାଟାଷ୍ଟିଲ ଖଣିରୁ ଛଟେଇ ହୋଇଥିବା ସୁରେନ ନ୍ୟାୟ ପାଇଁ ମାମଲା ଲଢ଼ୁଥିଲେ। ଗତ ୮ ତାରିଖ ଓଏମ୍‌ସିର ପୂର୍ବତନ ଆୟା ରମାମଣି ପାତ୍ର(୬୭) ଏବଂ ଅଗଷ୍ଟରେ ୪ ଜଣ କିଡ୍‌ନି ରୋଗର ଶିକାର ହୋଇଥିଲେ। ସେମାନେ ହେଲେ ଟାଟାଷ୍ଟିଲ ଖଣିର ୨ ପୂର୍ବତନ କର୍ମଚାରୀ ଗରାମିଆଁ ଗାଁର ଦେବେନ୍ଦ୍ର ହୋ(୪୮) ଓ ଗିରିଙ୍ଗାମାଳି ଗାଁର ପବିତ୍ର ମହାନ୍ତ(୫୫), କଅଁସ ଓସ୍ତପାଳ ଗାଁର ଗୁରୁବାରୀ ମହାନ୍ତ(୫୮) ଓ ବେଣାଗାଡ଼ିଆର ବିମଳା ନାଏକ(୬୧)। ଜୁଲାଇରେ ୩ ଜଣ ଓଏମ୍‌ସିର ଅବସରପ୍ରାପ୍ତ ଠିକା ବିର୍ସାନଗରର ସ୍ବଚ୍ଛସାଥୀ କର୍ମୁ କାରୁଆ(୬୪), ଅଙ୍ଗନବାଡ଼ି ସହାୟିକା ଯମୁନା ମହାରଣା(୪୩) ଓ ଓଏମ୍‌ସିର ଅବସରପ୍ରାପ୍ତ ଖଣି କର୍ମଚାରୀ ସୁରେନ୍ଦ୍ର କୁମାର ଦ‌ାସ(୬୧) ଏହି ରୋଗରୁ ପ୍ରାଣ ହାରିଥିଲେ। 

ମେ ମାସ ବାଲେଶ୍ବର ଆଲଏଜ୍ ଖଣି କର୍ମଚାରୀ କାଳିଆପାଣି ଗାଁର ମନମୋହନ ପିଙ୍ଗୁଆ(୪୨) ଓ ଏପ୍ରିଲରେ ଅବସରପ୍ରାପ୍ତ ଓଏମ୍‌ସି ଶ୍ରମିକ ପୁରୁଣାପାଣି ଗାଁର ନାମ୍‌ସୀ ହେମ୍ବ୍ରମ(୬୬) ଏବଂ ମାର୍ଚ୍ଚ‌ରେ ୩ ଜଣ ପୂର୍ବତନ ଟାଟା କର୍ମଚାରୀ କାଳିଆପାଣି ଗାଁର ଓକିଲ କାରୁଆ(୬୬), ଓଏମ୍‌ସି ଠିକା ଛଟେଇ ଶ୍ରମିକ ରବୀନ୍ଦ୍ର ଦାସ(୫୩) ଓ ପିଇଓ ଚିଙ୍ଗୁଡ଼ିପାଳ ଧ’ବାହାଳି ଗାଁର ଉଦ୍ଧବ ମହାନ୍ତ(୫୦)ଙ୍କର କିଡ୍‌ନି ରୋଗରୁ ମୃତ୍ୟୁ ହୋଇଥିଲା। 

ଜାନୁଆରିରେ ୨ ଜଣ ଓଏମ୍‌ସି ଚିରିଗୁଣିଆ ପ୍ରସ୍ପେକ୍ଟିଂ କ୍ୟାମ୍ପ୍ କର୍ମଚାରୀ ସୁରେନ୍ଦ୍ର କୁମାର ଜେନା(୫୮) ଓ ବାଲେଶ୍ବର ଆଲଏଜ୍ ଖଣି କର୍ମଚାରୀ କାଳିଆପାଣି ଗାଁର ସରୋଜ କୁମାର ମହାନ୍ତ(୩୮), ଡିସେମ୍ବରରେ ନାତୋର ସରକାରୀ ସ୍କୁଲ ପ୍ରଧାନଶିକ୍ଷକ ଧନେଶ୍ବର ସୋରେନ(୪୬) ଏବଂ ନଭେମ୍ବରରେ ୪ ଜଣ ଓଏମ୍‌ସି ଠିକା ଖଣି ଶ୍ରମିକ କାଳିଆପାଣିର ସୁଶୀଳା ମହାନ୍ତ(୫୫), କାଟେଣିର ତୋଫାନ ପ୍ରଧାନ(୨୩), ବେଣାଗାଡ଼ିଆର ତପି ନାଏକ(୬୧) ଓ ରୁଗୁଡ଼ିସାହିର ରୁକ୍ମଣୀ ମହାନ୍ତ(୫୦) କିଡ୍‌ନି ରୋଗର ଶିକାର ହୋଇଥିଲେ। 

ଅକ୍ଟୋବରରେ ୪ ଜଣ ଓଏମ୍‌ସି କାଳିଆପାଣି କଲୋନିର ବିଦୁଲତା ସେଠୀ(୫୮), କୁସୁମୁଣ୍ଡିଆ‌ର ମହମ୍ମଦ ଶାବିର(୬୩), ଓଏମ୍‌ସିର ଅବସରପ୍ରାପ୍ତ ଏଏଜିଏମ୍‌ ଇଂ ଲକ୍ଷ୍ମୀ ନାରାୟଣ ଘଣା(୬୬) ଓ ଅବସରପ୍ରାପ୍ତ କର୍ମଚାରୀ ଗୋପବନ୍ଧୁ ମହାନ୍ତି(୬୦)ଙ୍କର କିଡ୍‌ନି ରୋଗରୁ ମୃତ୍ୟୁ ହୋଇଥିଲା। ୧୧ ମାସରେ କିଡ୍‌ନି ରୋଗ ଦାଉରୁ ଖଣିଅଞ୍ଚଳରେ ୨୭ ଜଣଙ୍କ ମୃତ୍ୟୁକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦଙ୍କୁ ପଚାରିବାରେ ଏହି ମାସ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାଇସିଲିସ୍ ସେଣ୍ଟର କାର୍ଯ୍ୟକ୍ଷମ ହେବ କହନ୍ତି।  

What's Your Reaction?

like

dislike

love

funny

angry

sad

wow