ଜାନୁଆରି ୨୬

Jan 26, 2025 - 12:20
 0  2
ଜାନୁଆରି ୨୬

ଭାରତରେ ପ୍ରତିବର୍ଷ ଜାନୁଆରି ୨୬ ତାରିଖ ଦିନ ସାଧାରଣତନ୍ତ୍ର ଦିବସ ପାଳିତ ହେଉଛି। ୧୯୫୦ ମସିହାରେ ଏହି ଦିନରେ ଆ‌ମ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ଜାନୁଆରି ୨୬ ତାରିଖକୁ ସାଧାରଣତନ୍ତ୍ର ଦିବସ ଭାବେ ଚୟନ କରାଯିବାରେ କିଛି ଗୂଢ଼ ସାଙ୍କେତିକ ମର୍ମ ମଧ୍ୟ ରହିଛି। ଏହା ଭାରତର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ମଧ୍ୟରେ ସଂଯୋଗ-ସେତୁ ଭାବେ କାର୍ଯ୍ୟ କରୁଛି। ଏ ଦିବସ ଭାରତର ‘ପୂର୍ଣ୍ଣ ସ୍ବରାଜ’ ଉଦ୍‌ଘୋଷଣା ଉଚ୍ଛ୍ବାସକୁ ଅଳଙ୍କୃତ କରିବା ସହିତ ସ୍ବାଧୀନତା ସଂଗ୍ରାମରୁ ଆରମ୍ଭ କରି ଗଣତାନ୍ତ୍ରିକ ଓ ସାର୍ବଭୌମ ସାଧାରଣତନ୍ତ୍ର ସ୍ଥାପନା ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଯାତ୍ରା ଉପରେ ଗୁରୁତ୍ବାରୋପ କରୁଛି। ପୁନଶ୍ଚ ଏହା ସ୍ବାଧୀନ ରାଷ୍ଟ୍ର ନିମନ୍ତେ ଭାରତର ଯାତ୍ରାପଥକୁ ଦିଗ୍‌ଦର୍ଶନ ଦେଇଥିବା ଦୀର୍ଘସ୍ଥାୟୀ ମୂଲ୍ୟବୋଧର ପ୍ରାମାଣିକ ସଙ୍କେତ ମଧ୍ୟ ବହନ କରେ। ଏଥିସହ, ୧୯୫୦ ଜାନୁଆରି ୨୬ ତାରିଖ ଦିନ ଇସ୍ତଫା ଦେଇଥିଲେ ସ୍ବାଧୀନ ଭାରତର ପ୍ରଥମ ତଥା ଶେଷ ଗଭର୍ଣ୍ଣର୍‌ ଜେନେରାଲ୍‌ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ । ୧୯୪୮ ଜୁନ୍‌ରେ ମାଉଣ୍ଟ୍‌ବେଟେନ୍‌ ଭାରତରୁ ଚାଲିଯିବା ପରେ ରାଜଗୋପାଳଚାରୀଙ୍କୁ ଉକ୍ତ ପଦବିରେ କରାଯାଇଥିଲା ଅବସ୍ଥାପିତ।ଜାତୀୟ ସଙ୍କେତ ନୀତିବାକ୍ୟ ‘ସତ୍ୟମେବ ଜୟତେ’ ସମେତ ସିଂହ ଶୋଭିତ ଅଶୋକସ୍ତମ୍ଭର ଶୀର୍ଷଭାଗକୁ ୧୯୫୦ ଜାନୁଆରି ୨୬ ତାରିଖ ଦିନ ଭାରତର ଜାତୀୟ ସଙ୍କେତ ଭାବେ ଗୃହୀତ କରାଯାଇଥିଲା। ଏହି ଅଶୋକସ୍ତମ୍ଭ ଖ୍ରୀଷ୍ଟପୂର୍ବ ୨୫୦ରେ ସାରନାଥଠାରେ ସ୍ଥାପନ କରାଯାଇଥିଲା। ୧୯୬୩ ଜାନୁଆରି ୨୬ରେ ଭାରତ ସରକାର ମୟୂରକୁ ଦେଶର ଜାତୀୟ ପକ୍ଷୀ ବୋଲି କରିଥିଲେ ଘୋଷଣା। ୧୯୭୨ ଜାନୁଆରି ୨୬ ତାରିଖ ଦିନ ଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍‌ରେ ଜାତୀୟ ସ୍ମାରକୀ ‘ଅମର ଯବାନ ଜ୍ୟୋତି’ କରାଯାଇଥିଲା ସ୍ଥାପନ। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ସୈନିକମାନଙ୍କ ସ୍ମୃତିରକ୍ଷା ନିମନ୍ତେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହାକୁ ସ୍ଥାପନା କରିଥିଲେ। ସୂଚନାଯୋଗ୍ୟ, ୫୦ ବର୍ଷ ପରେ ୨୦୨୨ ଜାନୁଆରି ୨୧ ଦିନ ଇଣ୍ଡିଆ ଗେଟ୍‌ସ୍ଥିତ ଅମର ଯବାନ ଜ୍ୟୋତିକୁ ‘ଜାତୀୟ ଯୁଦ୍ଧ ସ୍ମାରକୀ’ରେ ବିଲୀନ କରାଯାଇଛି।

What's Your Reaction?

like

dislike

love

funny

angry

sad

wow