ଦିଲ୍ଲୀରେ INDIA ମେଣ୍ଟର ‘ଦିଲ୍ଲୀ ଚଲୋ’ ରାଲିକୁ ଟକ୍କର ଦେବ ବିଜେପି
ଦିଲ୍ଲୀରେ INDIA ମେଣ୍ଟର ‘ଦିଲ୍ଲୀ ଚଲୋ’ ରାଲିକୁ ଟକ୍କର ଦେବ ବିଜେପି । କଂଗ୍ରେସ ନେତୃତ୍ୱାଧୀନ INDIA ମେଣ୍ଟ ନଭେମ୍ବର ୧ ତାରିଖରେ ଦିଲ୍ଲୀର ରାମଲୀଳା ମଇଦାନରେ ‘ଦିଲ୍ଲୀ ଚଲୋ’ ରାଲି କରିବାକୁ ଘୋଷଣା କରିଛି।
ଦିଲ୍ଲୀରେ INDIA ମେଣ୍ଟର ‘ଦିଲ୍ଲୀ ଚଲୋ’ ରାଲିକୁ ଟକ୍କର ଦେବ ବିଜେପି । କଂଗ୍ରେସ ନେତୃତ୍ୱାଧୀନ INDIA ମେଣ୍ଟ ନଭେମ୍ବର ୧ ତାରିଖରେ ଦିଲ୍ଲୀର ରାମଲୀଳା ମଇଦାନରେ ‘ଦିଲ୍ଲୀ ଚଲୋ’ ରାଲି କରିବାକୁ ଘୋଷଣା କରିଛି । ଏହାର ଜବାବରେ ବିଜେପି ଏକ ପ୍ରତିବାଦ ରାଲି ଆୟୋଜନ କରିବାକୁ ରଣନୀତି କରିଛି । ଏଥିରେ ୧୯୮୪ ମସିହାର ଶିଖ୍ ବିରୋଧୀ ଦଙ୍ଗା ପ୍ରସଙ୍ଗକୁ ପ୍ରମୁଖ ଭାବେ ଉଠାଇବାକୁ ଦଳ ପ୍ରସ୍ତୁତି ଚଳାଇଛି । ଦିଲ୍ଲୀର ହରିନଗର ଅଞ୍ଚଳରେ ବିଜେପି ପକ୍ଷରୁ ହେବାକୁ ଥିବା ଏହି ପ୍ରତିବାଦ ଶୋଭାଯାତ୍ରାରେ ପ୍ରାୟ ୫,୦୦୦ ଲୋକ ସାମିଲ ହେବେ । ଏଥିରେ ଶିଖ୍ ସମ୍ପ୍ରଦାୟର ସଦସ୍ୟ, ବିଶେଷକରି ୧୯୮୪ ମସିହାର ଦଙ୍ଗା ପୀଡ଼ିତ ଏବଂ ସେମାନଙ୍କ ପରିବାରବର୍ଗ ଯୋଗଦେବାର ସମ୍ଭାବନା ରହିଛି। ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନକୁ ନଜରରେ ରଖି ବିଜେପି ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଉଥିବା କୁହାଯାଉଛି । ଦଙ୍ଗା ସମୟରେ କଂଗ୍ରେସ ନେତାମାନଙ୍କ କଥିତ ଭୂମିକାକୁ ଦଳ ଲୋକଙ୍କ ସାମ୍ନାକୁ ଆଣିବାକୁ ଯୋଜନା କରିଛି । ଅନ୍ୟପଟେ INDIA ମେଣ୍ଟ ମଧ୍ୟ ନଭେମ୍ବର
୧ରେ ରାମଲୀଳା ମଇଦାନରେ ନିଜର ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଛି । କଂଗ୍ରେସ ନେତାଙ୍କ ଦାବି ଅନୁଯାୟୀ, ଏହି ରାଲିରେ ପ୍ରାୟ ୧୦ ଲକ୍ଷ ଲୋକ ଯୋଗଦେଇପାରନ୍ତି ।
ନଭେମ୍ବର ୧ ତାରିଖରେ ଦିଲ୍ଲୀର ରାମଲୀଳା ମଇଦାନରେ INDIA ମେଣ୍ଟର ‘ଚଲୋ ଦିଲ୍ଲୀ’ ରାଲିରେ ମୁଖ୍ୟତଃ ଭୋଟ୍ ଚୋରି ଅଭିଯୋଗ, ନିର୍ବାଚନ କମିଶନଙ୍କ ଭୂମିକା ଏବଂ ସମ୍ବିଧାନର ସୁରକ୍ଷା ପ୍ରସଙ୍ଗ ଉଠାଯିବ । ରାହୁଲ ଗାନ୍ଧୀ ଦେଶବାସୀ ଓ ଛାତ୍ରଛାତ୍ରୀଙ୍କୁ ଏହି ରାଲିରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି । ତାଙ୍କ କହିବା ଅନୁସାରେ, ଏହା କୌଣସି ଗୋଟିଏ ରାଜନୈତିକ ଦଳର ରାଲି ନୁହେଁ, ବରଂ ଗଣତନ୍ତ୍ର ଓ ଦେଶର ସମ୍ବିଧାନର ସୁରକ୍ଷା ପାଇଁ ଏକ ମିଳିତ ପ୍ରତିବାଦ । ବିଶେଷ କରି ଭୋଟର ତାଲିକାରେ ଅନିୟମିତତା ଏବଂ ଭୋଟରଙ୍କ ନାମ କାଟିବା ନେଇ ବିରୋଧୀ ନେତାମାନେ ସରକାର ଉପରେ ବର୍ଷିବେ।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିବେ ବିରୋଧୀ ନେତା । ରାହୁଲ ଗାନ୍ଧୀ ଏହି ରାଲିକୁ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଏକ ମିଳିତ ଆନ୍ଦୋଳନ ବୋଲି ଜୋର ଦେଇ ମାଇଲେଜ୍ ନେବାକୁ ଚାହିଁବେ । କଂଗ୍ରେସ ସମେତ INDIA ମେଣ୍ଟର ବିଭିନ୍ନ ଦଳର ନେତା ଓ କର୍ମୀ ସରକାରଙ୍କୁ ସମାଲୋଚନା କରିବେ। ଛାତ୍ର ସଂଗଠନ ଓ ସାଧାରଣ ନାଗରିକଙ୍କୁ ସରକାର ବିରୋଧୀ ବାର୍ତ୍ତା ଦେବାକୁ ବିରୋଧୀମାନେ ଚାହିଁବେ ।
ଏହି ତାରିଖ କୁ ଦେଖିଲେ ,୧୯୮୪ ନଭେମ୍ବର ୧ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଶିଖ୍ ବିରୋଧୀ ହିଂସା ଘଟିଥିଲା । ଏହି ଦିନର ବାର୍ଷିକୀରେ ରାଲି ଆୟୋଜନ କରିବାକୁ ନେଇ ବିଜେପି ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଛି । ବିଜେପିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ, ନଭେମ୍ବର ୧ ତାରିଖ ଶିଖ୍ ସମ୍ପ୍ରଦାୟ ପାଇଁ ଏକ ଗଭୀର ଦୁଃଖଦ ଦିନ । ଏହି ଦିନ ୧୯୮୪ର ନରସଂହାରକୁ ମନେ ପକାଇ ସମ୍ପ୍ରଦାୟର ଲୋକେ ଶୋକ ପାଳନ କରନ୍ତି। ତେଣୁ ସେହି ଦିନ ଦିଲ୍ଲୀରେ ରାଲି କରିବାକୁ ରାହୁଲ ଗାନ୍ଧୀ କାହିଁକି ଏତେ ଜିଦ୍ ଧରିଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।
ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏହା ଅଲଗା ଅଲଗା ପ୍ରତିବାଦ ନୁହେଁ, ବରଂ ଏକ ମିଳିତ ଆନ୍ଦୋଳନ । ଦେଶର ପ୍ରତ୍ୟେକ ନାଗରିକଙ୍କ ଭୋଟର ସୁରକ୍ଷା ଏବଂ ସମ୍ବିଧାନର ସୁରକ୍ଷା ପାଇଁ ସମଗ୍ର ବିରୋଧୀ ଦଳ ଏକାଠି ହୋଇଛନ୍ତି ବୋଲି ସେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ନଭେମ୍ବର ୧ ତାରିଖରେ ଦିଲ୍ଲୀରେ ବିଜେପି ଓ INDIA ମେଣ୍ଟର ଦୁଇଟି ପୃଥକ୍ ରାଲି ରାଜନୈତିକ ମାହୋଲକୁ ସରଗରମ କରିବାର ସମ୍ଭାବନା ରହିଛି ।
What's Your Reaction?