ଦିଲ୍ଲୀ ପବନରେ ବିଷ, AQI ୫୦୮ ପାର୍, ନିଶ୍ୱାସ ନେବା ବି ମୁସ୍କିଲ୍
ରାଜଧାନୀ ଦିଲ୍ଲୀରେ ଅସମ୍ଭାଳ ହେଲାଣି ବାୟୁ ପ୍ରଦୂଷଣ । ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି ଦିଲ୍ଲୀର ପବନ । ପ୍ରଦୂଷଣ ରୋକିବାକୁ GRAP-2 ନିୟମ ଲାଗୁ ହୋଇଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସିବା ବଦଳରେ ଆହୁରି ବିଗିଡ଼ିବାରେ ଲାଗିଛି ।
ରାଜଧାନୀ ଦିଲ୍ଲୀରେ ଅସମ୍ଭାଳ ହେଲାଣି ବାୟୁ ପ୍ରଦୂଷଣ । ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି ଦିଲ୍ଲୀର ପବନ । ପ୍ରଦୂଷଣ ରୋକିବାକୁ GRAP-2 ନିୟମ ଲାଗୁ ହୋଇଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସିବା ବଦଳରେ ଆହୁରି ବିଗିଡ଼ିବାରେ ଲାଗିଛି । ଏପରିକି ଦିଲ୍ଲୀର ମନ୍ଦିର ମାର୍ଗ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ ବା AQI ୫୦୮ ରେକର୍ଡ ହୋଇଛି । ଯାହା ଅତି ଭୟଙ୍କର ପ୍ରଦୂଷଣ ଶ୍ରେଣୀରେ ଆସୁଛି ।
ବୁଧବାର ସକାଳ ୬ଟା ସୁଦ୍ଧା ଦିଲ୍ଲୀର AQI ୩୭୯ ରେକର୍ଡ ହୋଇଥିବା ସୂଚନା ମିଳିଛି । ମଙ୍ଗଳବାର ଅପରାହ୍ନ ୪ଟାରେ ଏହା ୩୫୦ ଥିବାବେଳେ ମାତ୍ର ୧୪ ଘଣ୍ଟା ମଧ୍ୟରେ ପ୍ରଦୂଷଣ ସ୍ତର ବଢ଼ିଯାଇଛି । ସେପଟେ ଘରୋଇ ଟ୍ରାକର AQI.in ଅନୁସାରେ, ଦିଲ୍ଲୀର AQI ୫୭୯ରେ ପହଞ୍ଚିଥିବା ବେଳେ ଏହାକୁ 'Hazardous' ବା ଅତ୍ୟନ୍ତ ବିପଜ୍ଜନକ ଶ୍ରେଣୀରେ ରଖାଯାଇଛି । ଗତ ସପ୍ତାହରେ ବର୍ଷା ଓ ପବନ ଯୋଗୁଁ ପ୍ରଦୂଷଣ ସାମାନ୍ୟ କମିଥିଲା । ହେଲେ ବର୍ଷା ବନ୍ଦ ହେବା ପରେ ପୁଣି ବଢ଼ିବାରେ ଲାଗିଛି ପ୍ରଦୂଷଣ । ଏହାର ପ୍ରଭାବରେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ବିଶେଷକରି ଶିଶୁ, ବୟସ୍କ ଏବଂ ଶ୍ୱାସକ୍ରିୟା ଜନିତ ସମସ୍ୟା ଥିବା ଲୋକଙ୍କ ପାଇଁ ଏହି ପ୍ରଦୂଷଣ ଅଧିକ ବିପଦଜନକ ହୋଇପାରେ ।
ପ୍ରଦୂଷଣ ରୋକିବାକୁ ସରକାରଙ୍କ ପଦକ୍ଷେପ
ସ୍ଥିତି ନିୟନ୍ତ୍ରଣ କରିବାକୁ ଦିଲ୍ଲୀ ସରକାର ଏବେ ତତ୍ପର ହୋଇଛନ୍ତି । ରାସ୍ତାରୁ ଧୂଳି ହଟାଇବା ପାଇଁ PWD ପକ୍ଷରୁ ୨୦୦ଟି ଆଣ୍ଟି ସ୍ମଗ୍ ଗନ୍ ନିୟୋଜିତ କରାଯିବ । ଏହି ମେସିନ୍ ଗୁଡ଼ିକ ସୂକ୍ଷ୍ମ ଜଳକଣା ସ୍ପ୍ରେ କରି ବାୟୁରେ ଥିବା ଧୂଳି ଓ ପ୍ରଦୂଷଣକାରୀ କଣିକାକୁ ତଳେ ବସାଇବାରେ ସାହାଯ୍ୟ କରିବ । ଏହି ମେସିନ୍ ପ୍ରାୟ ୫୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ପାଣି ସ୍ପ୍ରେ କରିପାରିବ ।
ଏଥିପାଇଁ ୮ ଜଣ ଅଧିକାରୀଙ୍କୁ ନେଇ ଦୁଇଟି କମିଟି ଗଠନ କରାଯାଇଛି । ମେସିନ୍ଗୁଡ଼ିକର କାର୍ଯ୍ୟକ୍ଷମତା ଓ ଫିଟନେସ୍ ଯାଞ୍ଚ ପରେ ହିଁ ସେଗୁଡ଼ିକୁ କାର୍ଯ୍ୟରେ ଲଗାଯିବ । ଦିଲ୍ଲୀର ପ୍ରାୟ ୧୪୦୦ କିଲୋମିଟର ରାସ୍ତାରୁ ଧୂଳି ସଫା କରିବାକୁ ମଧ୍ୟ ସ୍ୱତନ୍ତ୍ର ଅଭିଯାନ ଯୋଜନା କରାଯାଇଛି ।
ଗୁରୁଗ୍ରାମରେ ନିର୍ମାଣ କାମ ଉପରେ କଟକଣା
ସେପଟେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଗୁରୁଗ୍ରାମ ପ୍ରଶାସନ ମଧ୍ୟ କଡ଼ା ପଦକ୍ଷେପ ନେଇଛି । ନଭେମ୍ବର ୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଧୂଳି ସୃଷ୍ଟି କରୁଥିବା ନିର୍ମାଣ ଓ ଭଙ୍ଗାଭଙ୍ଗି କାମ ଉପରେ ରୋକ୍ ଲଗାଯାଇଛି । ଏହା ସହିତ ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ ମାତ୍ର ୫୦ ପ୍ରତିଶତ କର୍ମଚାରୀ ଅଫିସ୍ ଆସିବେ । ବାକି ୫୦ ପ୍ରତିଶତ କର୍ମଚାରୀ ଘରୁ କାମ କରିବେ । ତେବେ ରେଳବାଇ, ମେଟ୍ରୋ, ବିମାନବନ୍ଦର, ହସ୍ପିଟାଲ ଓ ଜାତୀୟ ସୁରକ୍ଷା ସମ୍ପର୍କିତ ଜରୁରୀ ପ୍ରକଳ୍ପଗୁଡ଼ିକୁ ଏହି କଟକଣାରୁ ବାଦ୍ ଦିଆଯାଇଛି ।
ଆଗକୁ କେମିତି ରହିବ ପାଗ ?
ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ କିଛି ଦିନ ଦିଲ୍ଲୀରେ ଆକାଶ ପ୍ରାୟତଃ ନିର୍ମଳ ରହିବ । ସକାଳ ସମୟରେ କୁହୁଡ଼ି ଓ ଧୂଳିମିଶା କୁହୁଡ଼ି ଦେଖାଦେଇପାରେ । ତାପମାତ୍ରା ୧୪ରୁ ୩୦ ଡିଗ୍ରୀ ମଧ୍ୟରେ ରହିବା ଅନୁମାନ କରାଯାଇଛି । ତେବେ ପାଣିପାଗ ବିଭାଗର ଆକଳନ ଅନୁସାରେ, ଆସନ୍ତା କିଛି ଦିନ ଯାଏଁ ଦିଲ୍ଲୀର ବାୟୁ ଗୁଣବତ୍ତା 'Very Poor' ଶ୍ରେଣୀରେ ରହିପାରେ ।
What's Your Reaction?