ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ : ସୁନା କିଣାରୁ ଦୂରେଇ ରୁହନ୍ତୁ

Sep 1, 2026 - 11:15
 0  2
ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ : ସୁନା କିଣାରୁ ଦୂରେଇ ରୁହନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦେଶବାସୀଙ୍କୁ ବିଦେଶ ଭ୍ରମଣ, ବିଦେଶରେ ବିବାହ ଉତ୍ସବ ଆୟୋଜନ ଏବଂ ଅନାବଶ୍ୟକ ସୁନା କିଣିବାରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦେଶବାସୀଙ୍କୁ ବିଦେଶ ଭ୍ରମଣ, ବିଦେଶରେ ବିବାହ ଉତ୍ସବ ଆୟୋଜନ ଏବଂ ଅନାବଶ୍ୟକ ସୁନା କିଣିବାରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଛନ୍ତି । ଉଜବେକିସ୍ତାନ ଓ କିର୍ଗିଜସ୍ତାନ ଗସ୍ତ କ୍ରମରେ ବିସକେକରେ ଅନୁଷ୍ଠିତ ଏସସିଓ ସମ୍ମିଳନୀରେ ଯୋଗଦେବା ଅବସରରେ ଏକ ସେଲଫି-ଶୈଳୀ ଭିଡିଓ ବାର୍ତ୍ତା ଜାରି କରି ପ୍ରଧାନମନ୍ତ୍ରୀ ଏହି ନିବେଦନ କରିଛନ୍ତି ।ଦେଶ ୭.୮ ପ୍ରତିଶତ ଆର୍ଥିକ ଅଭିବୃଦ୍ଧି ହାସଲ କରିଥିବାରୁ ନାଗରିକଙ୍କୁ ଶୁଭେଚ୍ଛା ଜଣାଇବା ସହ ‘ସ୍ୱଦେଶୀ’ ଓ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱବ୍ୟାପୀ ଅସ୍ଥିରତା, ଯୁଦ୍ଧ ଓ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହେବା ସତ୍ତ୍ୱେ ଭାରତୀୟ ଅର୍ଥନୀତି ଦ୍ରୁତ ଗତିରେ ଆଗେଇ ଚାଲିଛି।

ଦେଶ ଭିତରେ କିଛି ନିରାଶାବାଦୀ ଲୋକ “ମିଛର ପ୍ରତିଧ୍ୱନି” ସୃଷ୍ଟି କରୁଥିଲେ ବି ୧୪୦ କୋଟି ଭାରତୀୟଙ୍କ ପରିଶ୍ରମ ଓ ସଠିକ୍ ସରକାରୀ ନୀତି ଯୋଗୁଁ ଦେଶ ନୂଆ ଉଚ୍ଚତା ଛୁଉଁଛି। ୨୦୪୭ରେ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ସୁଦ୍ଧା ଆଗାମୀ ପିଢ଼ିକୁ ଏକ ବିକଶିତ ଭାରତ ଭେଟି ଦେବା ପାଇଁ ସ୍ୱଦେଶୀ ସାମଗ୍ରୀର ବ୍ୟବହାର ଓ ସ୍ୱଦେଶୀ ଚିନ୍ତାଧାରାକୁ ଆପଣାଇବା ଜରୁରୀ ବୋଲି ସେ ଦୋହରାଇଛନ୍ତି।ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତା କେବଳ ଅର୍ଥନୈତିକ ଅଭିବୃଦ୍ଧିର କଥା ନୁହେଁ, ବରଂ ଦେଶବାସୀଙ୍କ ଜୀବନଶୈଳୀ ଓ ଖର୍ଚ୍ଚ କରିବାର ଧାରାରେ ପରିବର୍ତ୍ତନ ଆଣିବାକୁ ମଧ୍ୟ ଏକ ଆହ୍ୱାନ। ବିଦେଶରେ ଖର୍ଚ୍ଚ କରିବା ପରିବର୍ତ୍ତେ ଦେଶ ଭିତରେ ପର୍ଯ୍ୟଟନ, ବିବାହ ଉତ୍ସବ ଓ ସ୍ଥାନୀୟ ବ୍ୟବସାୟକୁ ପ୍ରାଥମିକତା ଦେଲେ ଦେଶର ଅର୍ଥନୀତି ଆହୁରି ସୁଦୃଢ଼ ହେବ ବୋଲି ତାଙ୍କ ବାର୍ତ୍ତାରୁ ସ୍ପଷ୍ଟ ହୋଇଛି।

‘ଲୋକାଲ ପାଇଁ ଭୋକାଲ’ ମନ୍ତ୍ରକୁ ଆଗକୁ ନେଇ ପ୍ରତ୍ୟେକ ଭାରତୀୟ ସ୍ୱଦେଶୀ ସାମଗ୍ରୀକୁ ପ୍ରାଥମିକତା ଦେଲେ କ୍ଷୁଦ୍ର ବ୍ୟବସାୟୀ, କାରିଗର ଓ ଦେଶୀ ଶିଳ୍ପ ଉପକୃତ ହେବେ। ଆତ୍ମନିର୍ଭର ଭାରତର ସ୍ୱପ୍ନ ସାକାର କରିବା ପାଇଁ ସରକାରଙ୍କ ସହ ସାଧାରଣ ନାଗରିକଙ୍କ ମଧ୍ୟ ସମାନ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଗୁରୁତ୍ୱାରୋପ କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି, ପ୍ରଧାନମନ୍ତ୍ରୀଙ୍କ ଏହି ‘ସ୍ୱଦେଶୀ’ ଆହ୍ୱାନ କେତେଦୂର ଦେଶବାସୀଙ୍କ ଜୀବନଶୈଳୀରେ ପ୍ରଭାବ ପକାଇବ? ବିଦେଶୀ ସାମଗ୍ରୀ ଓ ବିଦେଶ ଭ୍ରମଣ ପ୍ରତି ଆକର୍ଷଣ ଛାଡ଼ି ଭାରତୀୟମାନେ କି ସ୍ୱଦେଶୀକୁ ଅଧିକ ପ୍ରାଥମିକତା ଦେବେ? ୨୦୪୭ର ବିକଶିତ ଭାରତର ଲକ୍ଷ୍ୟ ଦିଗରେ ଏହି ଆହ୍ୱାନ କେତେ ବଡ଼ ଭୂମିକା ନେବ, ତାହା ଉପରେ ରହିବ ସମସ୍ତଙ୍କ ନଜର।

ବିଦେଶ ଭ୍ରମଣ କମାନ୍ତୁ… ବିଦେଶରେ ବିବାହ ଆୟୋଜନରୁ ଦୂରେଇ ରୁହନ୍ତୁ… ଅନାବଶ୍ୟକ ସୁନା କିଣିବା ପୂର୍ବରୁ ମଧ୍ୟ ଦୁଇଥର ଭାବନ୍ତୁ… ଦେଶବାସୀଙ୍କୁ ଏଭଳି ସିଧାସଳଖ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଶ୍ୱ ଅସ୍ଥିରତା ମଧ୍ୟରେ ଭାରତର ଅର୍ଥନୀତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ବାର୍ତ୍ତା। ଯୁଦ୍ଧ, ବିଶ୍ୱବ୍ୟାପୀ ସଙ୍କଟ ଓ ଯୋଗାଣ ଶୃଙ୍ଖଳାରେ ବାଧା ସତ୍ତ୍ୱେ ଭାରତ ଦ୍ରୁତ ଗତିରେ ଆଗେଇ ଚାଲିଥିବା ଦାବି କରିଛନ୍ତି ମୋଦୀ। ଦେଶ ୭.୮ ପ୍ରତିଶତ ଆର୍ଥିକ ଅଭିବୃଦ୍ଧି ହାସଲ କରିଥିବା କହି ଦେଶବାସୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।କିନ୍ତୁ ଏହି ବାର୍ତ୍ତା କେବଳ ଅର୍ଥନୀତିକୁ ନେଇ ନୁହେଁ… ଏଥିରେ ରହିଛି ରାଜନୈତିକ ସନ୍ଦେଶ ମଧ୍ୟ। ଦେଶରେ କିଛି ଲୋକ ‘ମିଛର ପ୍ରତିଧ୍ୱନି’ ସୃଷ୍ଟି କରୁଥିବା କହି ପରୋକ୍ଷରେ ବିରୋଧୀଙ୍କୁ ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ। ତେବେ ୧୪୦ କୋଟି ଭାରତୀୟଙ୍କ ପରିଶ୍ରମ ଓ ସରକାରଙ୍କ ନୀତି ଯୋଗୁଁ ଭାରତ ନୂଆ ଉଚ୍ଚତା ଛୁଉଁଥିବା ସେ କହିଛନ୍ତି।ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟ ସନ୍ଦେଶ—ଏବେ ସମୟ ସ୍ୱଦେଶୀକୁ ଆପଣାଇବାର। ବିଦେଶରେ ଖର୍ଚ୍ଚ କରିବା ବଦଳରେ ଦେଶ ଭିତରେ ନିବେଶ କରନ୍ତୁ। ବିଦେଶୀ ସାମଗ୍ରୀ ପଛରେ ଦୌଡ଼ିବା ପରିବର୍ତ୍ତେ ସ୍ଥାନୀୟ ଉତ୍ପାଦକୁ ପ୍ରାଥମିକତା ଦିଅନ୍ତୁ। ବିଦେଶରେ ହେଉଥିବା ଆଡ଼ମ୍ବରପୂର୍ଣ୍ଣ ବିବାହ ବଦଳରେ ଦେଶର ହୋଟେଲ, ପର୍ଯ୍ୟଟନ ଓ ସ୍ଥାନୀୟ ବ୍ୟବସାୟକୁ ସୁଯୋଗ ଦିଅନ୍ତୁ।

‘ଲୋକାଲ ପାଇଁ ଭୋକାଲ’ ଠାରୁ ‘ସ୍ୱଦେଶୀ ପାଇଁ ସଂକଳ୍ପ’—ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନ ଏବେ ଦେଶର ଅର୍ଥନୀତି ସହ ରାଜନୀତିରେ ମଧ୍ୟ ଚର୍ଚ୍ଚାକୁ ତୀବ୍ର କରିପାରେ। କାରଣ ପ୍ରଶ୍ନ ଉଠୁଛି—ସ୍ୱଦେଶୀର ଏହି ନୂଆ ଆହ୍ୱାନ କେବଳ ଏକ ଅର୍ଥନୈତିକ ଅଭିଯାନ, ନା ୨୦୪୭ର ‘ବିକଶିତ ଭାରତ’ ଲକ୍ଷ୍ୟ ପାଇଁ ଏକ ବଡ଼ ରାଜନୈତିକ ରଣନୀତି?

୨୦୪୭ରେ ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବ। ସେତେବେଳେ ଭାରତ କେଉଁ ସ୍ଥାନରେ ଥିବ, ତାହା ନିର୍ଭର କରିବ ଆଜିର ନିଷ୍ପତ୍ତି ଉପରେ—ଏଭଳି ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ।ଏବେ ନଜର ରହିବ, ପ୍ରଧାନମନ୍ତ୍ରୀଙ୍କ ଏହି ‘ସ୍ୱଦେଶୀ’ ଆହ୍ୱାନକୁ ଦେଶବାସୀ କେତେଦୂର ଗ୍ରହଣ କରୁଛନ୍ତି ଏବଂ ଏହାକୁ ନେଇ ରାଜନୈତିକ ମହଲରେ କେମିତି ପ୍ରତିକ୍ରିୟା ଆସୁଛି।

What's Your Reaction?

like

dislike

love

funny

angry

sad

wow