୨୮ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି
ଅକ୍ଟୋବର ୨୮ ଓ ୨୯ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତ କରିବେ। ଏହି ସମୟରେ ମନ୍ଦିର ଦର୍ଶନ, ମେଗା ସ୍ୱାସ୍ଥ୍ୟ ଶିବିର ପରିଦର୍ଶନ, ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ନେଫ୍ରୋଲୋଜି ମେଡିକାଲ୍ ଅଭିଯାନର ଶୁଭାରମ୍ଭ ଭଳି କାର୍ଯ୍ୟକ୍ରମରେ ସେ ଯୋଗଦେବେ।
ଆସନ୍ତା ୨୮ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅକ୍ଟୋବର ୨୮ ଓ ୨୯ରେ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। ୨ ଦିନ ଧରି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ ରାଷ୍ଟ୍ରପତି। ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବେ। ୨୮ ଅକ୍ଟୋବର ୧୦ଟା ୪୫ରେ ଦାଣ୍ଡବୋଷ ବିମାନବନ୍ଦରରେ ପହଞ୍ଚିବା ପରେ ବହଳଦାସ୍ଥିତ ମା’ କିଚକେଶ୍ୱରୀ ମନ୍ଦିର ଏବଂ ମହୁଲଡିହାର ଲକ୍ଷ୍ମୀ ମଣ୍ଡପ ପରିଦର୍ଶନ କରିବେ ।
ଏହାପରେ ରାଇରଙ୍ଗପୁରସ୍ଥିତ ନିଜ ଘରକୁ ଯିବେ। ପରବର୍ତ୍ତୀ ସମୟରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ମେଗା ସ୍ୱାସ୍ଥ୍ୟ ଶିବିରରେ ନିୟୋଜିତ ଅଧିକାରୀ, କର୍ମଚାରୀ ଓ ହିତାଧିକାରୀଙ୍କ ସହ ଆଲୋଚନା କରିବେ। ସେହିଦିନ ରାଇରଙ୍ଗପୁର କଚେରି ପଡ଼ିଆରେ ଆୟୋଜିତ ସାର୍ବଜନୀନ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ମାଧ୍ୟମରେ ଆଇଆଇଏଫ୍ଏମ୍ କ୍ୟାମ୍ପସର ଶିଳାନ୍ୟାସ, ମା’ କିଚକେଶ୍ୱରୀ ମନ୍ଦିରର ଉନ୍ନତୀକରଣ ଓ ନବୀକରଣ ସମ୍ପର୍କିତ କାର୍ଯ୍ୟର ଶିଳାନ୍ୟାସ ସମେତ ଅନ୍ୟାନ୍ୟ ପ୍ରକଳ୍ପ ସମ୍ପର୍କିତ କାର୍ଯ୍ୟକ୍ରମ ରହିଛି ।
ଅକ୍ଟୋବର ୨୯ ତାରିଖରେ ରାଷ୍ଟ୍ରପତି ରାଇରଙ୍ଗପୁର କ୍ରୀଡ଼ା କମ୍ପ୍ଲେକ୍ସ, ବିକାଶ ନଗରରେ ନବନିର୍ମିତ ପୂର୍ବତନ ସୈନିକଙ୍କ ସିଏସ୍ଡି କ୍ୟାଣ୍ଟିନ୍ ଏବଂ ଗୋରୁମହିଷାଣୀ ଆଇରନ୍ କଲେଜସ୍ଥିତ ବହୁମୁଖୀ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରିବେ। ଏହାପରେ ଟାଉନ୍ ହଲ୍ରେ ଏକ କାର୍ଯ୍ୟକ୍ରମ ରହିଛି ।
ଏହି ଅବସରରେ ଏକ ନେଫ୍ରୋଲୋଜି ମେଡିକାଲ୍ ଅଭିଯାନର ଶୁଭାରମ୍ଭ କରିବେ ରାଷ୍ଟ୍ରପତି । ଗସ୍ତ ସମୟରେ ରାଷ୍ଟ୍ରପତିଙ୍କ ଯାତାୟାତ ପାଇଁ ରାସ୍ତାର ଦୂରତା, ଯାତ୍ରା ସମୟ ଓ ରାସ୍ତାର ସ୍ଥିତି ଯାଞ୍ଚ କରି ରିପୋର୍ଟ ଦେବାକୁ ଓଡ଼ିଶା ଓ ପଶ୍ଚିମବଙ୍ଗ ପ୍ରଶାସନକୁ ରାଷ୍ଟ୍ରପତି ସଚିବାଳୟ ପକ୍ଷରୁ ଅନୁରୋଧ କରାଯାଇଛି ।
ରାଷ୍ଟ୍ରପତିଙ୍କ ଗସ୍ତ ସୂଚୀ
ଅକ୍ଟୋବର ୨୮, ପ୍ରଥମ ଦିନ
- ସକାଳ ୧୦ଟା ୪୫: ଦାଣ୍ଡବୋଷ ବିମାନବନ୍ଦରରେ ପହଞ୍ଚିବେ।
- ସକାଳ ୧୧ଟା ୪୫: ମା’ କୀଚକେଶ୍ୱରୀ ମନ୍ଦିର ପରିଦର୍ଶନ।
- ସକାଳ ୧୧ଟା ୫୦: ମନ୍ଦିରରୁ ପ୍ରସ୍ଥାନ।
- ମଧ୍ୟାହ୍ନ ୧୨ଟା ୧୫: ମହୁଲଡିହା ଲକ୍ଷ୍ମୀ ମଣ୍ଡପ ପରିଦର୍ଶନ।
- ମଧ୍ୟାହ୍ନ ୧୨ଟା ୫୦: ରାଇରଙ୍ଗପୁରସ୍ଥିତ ନିଜ ବାସଭବନରେ ପହଞ୍ଚିବେ।
- ମଧ୍ୟାହ୍ନ ୧୨ଟା ୫୦ରୁ ଅପରାହ୍ଣ ୨ଟା ୨୫: ମଧ୍ୟାହ୍ନ ଭୋଜନ।
- ଅପରାହ୍ଣ ୨ଟା ୨୫: ବାସଭବନରୁ ପ୍ରସ୍ଥାନ।
- ଅପରାହ୍ଣ ୨ଟା ୩୫: ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଗସ୍ତ।
- ପରବର୍ତ୍ତୀ ସମୟରେ କଚେରି ପଡ଼ିଆରେ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗଦାନ।
ଅକ୍ଟୋବର ୨୯, ଦ୍ୱିତୀୟ ଦିନ
- ରାଇରଙ୍ଗପୁର କ୍ରୀଡ଼ା କମ୍ପ୍ଲେକ୍ସ ପରିଦର୍ଶନ।
- ବିକାଶ ନଗରସ୍ଥିତ ପୂର୍ବତନ ସୈନିକଙ୍କ ସିଏସ୍ଡି କ୍ୟାଣ୍ଟିନ୍ ପରିଦର୍ଶନ।
- ଗୋରୁମହିଷାଣୀ ଆଇରନ୍ କଲେଜସ୍ଥିତ ବହୁମୁଖୀ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ।
- ଟାଉନ୍ ହଲ୍ରେ କାର୍ଯ୍ୟକ୍ରମ ଏବଂ ନେଫ୍ରୋଲୋଜି ମେଡିକାଲ୍ ଅଭିଯାନର ଶୁଭାରମ୍ଭ।
What's Your Reaction?