ବାଲେଶ୍ୱରରେ ବନ୍ୟା ବିପଦ! ପାଣି ଘେରରେ ୧୫ ହଜାର ଲୋକ
ବାଲେଶ୍ୱରରେ ସଙ୍ଗିନ ହେଉଛି ବନ୍ୟା ସ୍ଥିତି । ଲଗାଣ ବର୍ଷା ଯେମିତି ଜିଲ୍ଲାର ଜନଜୀବନକୁ ଦୁର୍ବିସହ କରିଦେଇଛି । ଘରଦ୍ୱାରଠାରୁ ଆରମ୍ଭ କରି ଚାଷବାସ ପର୍ଯ୍ୟନ୍ତ, ସବୁକିଛି ଏବେ ପାଣି ଘେରରେ ।
ବାଲେଶ୍ୱରରେ ସଙ୍ଗିନ ହେଉଛି ବନ୍ୟା ସ୍ଥିତି । ଲଗାଣ ବର୍ଷା ଯେମିତି ଜିଲ୍ଲାର ଜନଜୀବନକୁ ଦୁର୍ବିସହ କରିଦେଇଛି । ଘରଦ୍ୱାରଠାରୁ ଆରମ୍ଭ କରି ଚାଷବାସ ପର୍ଯ୍ୟନ୍ତ, ସବୁକିଛି ଏବେ ପାଣି ଘେରରେ । ବାଲେଶ୍ୱର ଜିଲ୍ଲାର ୫ଟି ବ୍ଲକ୍ର ପ୍ରାୟ ୧୫ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଅନ୍ୟପଟେ ପ୍ରାୟ ୩ ହଜାର ୭୭୦ ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି । ବିପଦସଙ୍କୁଳ ଅଞ୍ଚଳରୁ ୩ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
ସବୁଠାରୁ ବଡ଼ ଚିନ୍ତାର କାରଣ ପାଲଟିଛି ବୁଢ଼ାବଳଙ୍ଗ ନଦୀ । ନଦୀର ଜଳସ୍ତର ଲଗାତାର ବଢ଼ୁଥିବାରୁ ଏହାର ପ୍ରଭାବ ଏବେ ଗାଁ ଗଣ୍ଡାରେ ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ଲୋକଙ୍କ ଘର ଭିତରକୁ ପଶିଛି ବର୍ଷା ଓ ବନ୍ୟାଜଳ । ଘର ଭିତରେ ପାଣିର ଲହଡ଼ି, ବାହାରେ ବି ପାଣିର ଆସ୍ତରଣ ଏଭଳି ସ୍ଥିତିରେ ଅସହାୟ ହୋଇପଡ଼ିଛନ୍ତି ଲୋକେ । ବୁଢ଼ାବଳଙ୍ଗ ନଦୀର ଜଳସ୍ତର ୯.୨୫ ମିଟର ଛୁଇଁବା ଆଶଙ୍କା ରହିଛି । ଜଳସ୍ତର ବଢ଼ି ବଢ଼ି ଗତ ଅଗଷ୍ଟ ମାସର ରେକର୍ଡକୁ ମଧ୍ୟ ଅତିକ୍ରମ କରି ୯.୫୦ ମିଟର ଆଡ଼କୁ ଦ୍ରୁତଗତିରେ ବଢ଼ୁଥିବା ସୂଚନା ମିଳିଛି । ଏହାରି ଭିତରେ ଉଦ୍ଧାରକାରୀ ଦଳର ତତ୍ପରତା ମଧ୍ୟ ଜାରି ରହିଛି । ପାଣି ଘେରରେ ଫସିଥିବା ଦୁଇ ଜଣ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ । ତେବେ ବନ୍ୟାଜଳ ବଢ଼ୁଥିବାରୁ ଏବେ ବି ବିପଦ ଟଳିନାହିଁ ।
What's Your Reaction?