ବାଂଲାଦେଶରେ ଥମୁନି ହିଂସା: ବ୍ରିଟେନ୍ ଯିବାକୁ ଚାହୁଁଛନ୍ତି ହସିନା, ହେଲେ ମିଳିନି ଅନୁମତି

ବାଂଲାଦେଶରେ ଥମୁନି ହିଂସା: ବ୍ରିଟେନ୍ ଯିବାକୁ ଚାହୁଁଛନ୍ତି ହସିନା, ହେଲେ ମିଳିନି ଅନୁମତି

ଶେଖ୍ ହସିନା ଦେଶ ଛାଡ଼ିବା ପରେ ବି ବାଂଲାଦେଶରେ ଥମୁନି ହିଂସା। ଦିନକୁ ଦିନ ଅତି ଉଗ୍ରରୂପ ନେଉଛି ଛାତ୍ର ବିଦ୍ରୋହ ।  ଏହାରି ଭିତରେ ମିଳିଛି ଆଓ୍ୱାମୀ ଲିଗର ୨୦ ଜଣ ନେତାଙ୍କ ମୃତଦେହ । ଅତି ବିଭତ୍ସ ଭାବେ ସେମାନଙ୍କୁ  ଓଲଟା ବାନ୍ଧି ପିଟି ପିଟି ହତ୍ୟା କରିଛନ୍ତି ବିକ୍ଷୋଭକାରୀ।  ଏହି ନେତାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ମିଳିଛି ସୂଚନା।ବିଶେଷ କରି ହିନ୍ଦୁମାନଙ୍କୁ ଖୋଜି ଖୋଜି ଆକ୍ରମଣ କରୁଛନ୍ତି ଦଙ୍ଗାକାରୀ। ବର୍ତ୍ତମାନ ସୁଦ୍ଧା ଉଦ୍ଧାର ହୋଇ ସାରିଲାଣି  ୪୪୦ ମୃତଦେହ । ସେପଟେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡିବା ପରେ ଏବେ ଭାରତର ଗାଜିଆବାଦ୍ ସ୍ଥିତ ହିଣ୍ଡନ ଏୟାରବେସରେ ଶରଣ ନେଇଛନ୍ତି ଶେଖ୍ ହାସିନା । ତେବେ ସେ ଭାରତରୁ ଲଣ୍ଡନ ଯାଇ ସେଠାରେ ତାଙ୍କ ଭଉଣୀ ରେହାନାଙ୍କ ସହ ଆଶ୍ରୟ ନେବାକୁ ଯୋଜନା  କରୁଥିବାବେଳେ ଏବେ ଏଥିରେ ସୃଷ୍ଟି ହୋଇଛି ସମସ୍ୟା। ଶେଖ ହସିନାଙ୍କୁ ଶରଣ ଦେବାକୁ ଇଚ୍ଛୁକ ନୁହେଁ ବ୍ରିଟେନ୍‌। ଏବେ କୁଆଡେ ଯିବେ ହସିନା? ତାକୁ ନେଇ ଜୋର ଧରିଛି ଚର୍ଚ୍ଚା । ଏହାରି ଭିତରେ ଏବେ ଆମେରିକା ମଧ୍ୟ ଶେଖ ହସିନାଙ୍କ ଭିସା କରିଦେଇଛି ରଦ୍ଦ । ଅନ୍ୟପଟେ ଶେଖ୍ ହସିନା ଯଦି ଦିଲ୍ଲୀରେ ଶରଣ ନିଅନ୍ତି, ତେବେ ବର୍ତ୍ତମାନର ସରକାର ତାଙ୍କୁ ଶରଣ ଦେବ ବୋଲି ହେଉଛି ଚର୍ଚ୍ଚା  । ଯେହେତୁ ଦୀର୍ଘ ଦିନ ଧରି ତାଙ୍କର ଭାରତ ସରକାରଙ୍କ ସହିତ ରହିଆସିଛି ଭଲ ସମ୍ପର୍କ, ତେଣୁ ଏହାକୁ ଦେଖି ତାଙ୍କୁ ଭାରତରେ ଶରଣ ମିଳିପାରେ ବୋଲି ମତ ରଖୁଛନ୍ତି ବିଶେଷଜ୍ଞଗଣ ।