ରାଜସ୍ଥାନରେ ଭୟଙ୍କର ଦୁର୍ଘଟଣା, ୮ ମୃତ; ୧୫ରୁ ଅଧିକ ଆହତ

Oct 17, 2026 - 13:10
ରାଜସ୍ଥାନରେ ଭୟଙ୍କର ଦୁର୍ଘଟଣା, ୮ ମୃତ; ୧୫ରୁ ଅଧିକ ଆହତ

ରାଜସ୍ଥାନର କୋଟା ନିକଟ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍‌ୱେରେ ଏକ ଟ୍ରାଭେଲର୍‌ ଗାଡ଼ି ଡିଭାଇଡର୍ ଭାଙ୍ଗି ପ୍ରାୟ ୨୦ ଫୁଟ୍ ତଳକୁ ଖସିପଡ଼ିବାରୁ ଡ୍ରାଇଭରଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି। ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। 

 ରାଜସ୍ଥାନର କୋଟାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍‌ୱେରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଯାତ୍ରୀଙ୍କୁ ନେଇ ମଧ୍ୟପ୍ରଦେଶରୁ ରାଜସ୍ଥାନର ଖାଟୁଶ୍ୟାମଜୀ ଯାଉଥିବା ଏକ ଟ୍ରାଭେଲର୍‌ ଗାଡ଼ି ନିୟନ୍ତ୍ରଣ ହରାଇ ପୋଲ ଉପରୁ ପ୍ରାୟ ୨୦ ଫୁଟ୍ ତଳେ ଥିବା ବର୍ଷାଜଳ ନାଳରେ ଖସିପଡ଼ିଛି। ଏହି ଦୁର୍ଘଟଣାରେ ଗାଡ଼ି ଚାଳକଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଶନିବାର ସକାଳ ପ୍ରାୟ ୭ଟା ସମୟରେ ସିମଲିଆ ଥାନା ଅଞ୍ଚଳରେ କରାଡ଼ିଆ ଟୋଲ୍ ପ୍ଲାଜା ପାର୍‌ ହେବା ପରେ ସୁଲତାନପୁର ଆଡ଼କୁ ଯାଉଥିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା। ପ୍ରାଥମିକ ସୂଚନା ଅନୁସାରେ, ଗାଡ଼ି ଚଳାଉଥିବା ସମୟରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଗାଡ଼ି ନିୟନ୍ତ୍ରଣ ହରାଇଥିବା ସନ୍ଦେହ କରାଯାଉଛି। ଦ୍ରୁତ ଗତି ଯୋଗୁଁ ଚାଳକ ଗାଡ଼ିକୁ ସମ୍ଭାଳି ପାରିନଥିଲେ। ଫଳରେ ଗାଡ଼ିଟି ଡିଭାଇଡର୍ ଭାଙ୍ଗି ପୋଲ ତଳକୁ ଖସିପଡ଼ିଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚିତ୍କାର ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ଖବର ପାଇ ସିମଲିଆ ଥାନା ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ କୋଟାର ନୂଆ ମେଡିକାଲ କଲେଜ ହସ୍ପିଟାଲ ଏବଂ ଏମ୍‌ବିଏସ୍‌ ହସ୍ପିଟାଲକୁ ନିଆଯାଇଥିଲା। ଗୁରୁତର ଆହତଙ୍କ ଚିକିତ୍ସା ଜାରି ରହିଛି।

କୋଟା ମେଡିକାଲ କଲେଜର ପ୍ରିନ୍ସିପାଲ ଡାକ୍ତର ନିଲେଶ ଜୈନଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଅରୁଣା, ବୈଷ୍ଣବୀ, ତ୍ରିଶା, କୃଷ୍ଣା, ଅନିତା, ଓମ୍ ସୂର୍ଯ୍ୟବଂଶୀ ଓ ରାଜୁ ଅଛନ୍ତି। ଏହା ସହ ଗାଡ଼ି ଚାଳକଙ୍କ ମଧ୍ୟ ମୃତ୍ୟୁ ହୋଇଛି।  

What's Your Reaction?

like

dislike

love

funny

angry

sad

wow