ହିଂସାର ନିଆଁରେ ଜଳୁଛି ବାଂଲାଦେଶ

ହିଂସାର ନିଆଁରେ ଜଳୁଛି ବାଂଲାଦେଶ। ରାଜଧାନୀ ଢାକା ସମେତ ଦେଶର ବିଭିନ୍ନ ସ୍ଥାନରେ ଘଟିଛି ଅଶାନ୍ତି ଓ ହିଂସାକାଣ୍ଡ।ଏଥିରେ ୧୪ ପୁଲିସ କର୍ମଚାରୀଙ୍କ ସମେତ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଆହତ ହୋଇଛନ୍ତି ଶତାଧିକ।ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ସରକାର ତିଷ୍ଠିବା ନେଇ ମଧ୍ୟ ଉପୁଜିଛି ସନ୍ଦେହ। ଅଳ୍ପ କିଛି ଦିନ ତଳେ ନିଯୁକ୍ତି ସଂରକ୍ଷଣ ବିରୋଧରେ ଛାତ୍ର ଆନ୍ଦୋଳନରେ ଯାଇଥିଲା ୨ଶହରୁ ଅଧିକ ଜୀବନ। ତେବେ ଗତକାଲି ପୁଣି ଅଧିକାଂଶ ଛାତ୍ର ସଂଗଠନ ଏବଂ ପ୍ରମୁଖ ବିରୋଧ ଦଳ ବିଏନପି ସମର୍ଥିତ ସଂଗଠନ ଗୁଡ଼ିକ ପକ୍ଷରୁ କରାଯାଇଥିଲା ଅସହଯୋଗ ଆନ୍ଦୋଳନ ।ଶେଖ୍ ହାସିନାଙ୍କ ତତ୍କାଳ ଇସ୍ତଫା ଦାବିରେ ଲୋକଙ୍କୁ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ କାର୍ଯ୍ୟାଳୟ,ହାସପାତାଳ,ଦୋକାନ ବଜାର ଆଦି ବନ୍ଦ ରଖିବାକୁ ଦିଆଯାଇଥିଲା ଡାକରା। ଢାକାର ଶାହବାଗ ସ୍କୋୟାର ସମେତ ବିଭିନ୍ନ ସ୍ଥାନରେ ଏହି ଆନ୍ଦୋଳନ ବେଳେ ପୁଲିସ ସହ ମୁହାଁମୁହିଁ ହୋଇଥିଲେ ଆନ୍ଦୋଳନକାରୀ। ବିଭିନ୍ନ କାର୍ଯ୍ୟାଳୟ ଭଙ୍ଗାରୁଜା ସହିତ ଗାଡ଼ି ଜାଳିଦିଆଯାଇଥିବା ଏବଂ କିଛି ସ୍ଥାନରେ ବୋମା ବିସ୍ଫୋରଣ ଓ ବନ୍ଧୁକ ଫୁଟିଥିବା ମଧ୍ୟ ମିଳିଛି ସୂଚନା। ସ୍ଥିତି ନିୟନ୍ତ୍ରଣ ପାଇଁ ଦେଶବ୍ୟାପୀ କର୍ଫ୍ୟୁ ଜାରି କରିଛନ୍ତି ବାଂଲାଦେଶ ସରକାର। କିଛି ସ୍ଥାନରେ ଦ୍ରୁତ ଗତି ଇଣ୍ଟରନେଟ୍ ଓ ସାମାଜିକ ଗଣମାଧ୍ୟମ ଉପରେ ଜାରି କରାଯାଇଛି କଟକଣା।
What's Your Reaction?






