DUSU ନିର୍ବାଚନରେ ହଙ୍ଗାମା, ଜିତିଲେ ବି ହେବନି ବିଜୟ ଶୋଭାଯାତ୍ରା
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂଘ ନିର୍ବାଚନରେ ହୁଲ୍ଲଡ଼ବାଜିକୁ ନେଇ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ । ‘ତୁମେମାନେ ଏପର୍ଯ୍ୟନ୍ତ ନିଜକୁ ସୁଧାରିନାହଁ’ ବୋଲି ଛାତ୍ର ସଂଗଠନ ଓ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି କୋର୍ଟ ।
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂଘ ନିର୍ବାଚନରେ ହୁଲ୍ଲଡ଼ବାଜିକୁ ନେଇ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ । ‘ତୁମେମାନେ ଏପର୍ଯ୍ୟନ୍ତ ନିଜକୁ ସୁଧାରିନାହଁ’ ବୋଲି ଛାତ୍ର ସଂଗଠନ ଓ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି କୋର୍ଟ । ନିର୍ବାଚନ ପ୍ରଚାର ସମୟରେ ବଡ଼ ବଡ଼ ଗାଡ଼ିର କାଫିଲା, ବିନା ନମ୍ବର ପ୍ଲେଟ୍ରେ ଗାଡ଼ି ଚଳାଚଳ ଏବଂ ଶିକ୍ଷକଙ୍କ ଉପରେ ଆକ୍ରମଣ ଭଳି ଘଟଣାକୁ ନେଇ ଦିଲ୍ଲୀ ପୁଲିସ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ କଡ଼ା ପ୍ରଶ୍ନ କରିଛନ୍ତି ହାଇକୋର୍ଟ ।
କୋର୍ଟରେ ଦାଖଲ ହୋଇଥିବା ଫଟୋକୁ ଦେଖି ବେଞ୍ଚ କହିଛନ୍ତି ୧୦ରୁ ୨୦ଟି ଗାଡ଼ିର କାଫିଲା, ଗାଡ଼ି ଉପରେ ଛାତ୍ର ଠିଆ ହୋଇଛନ୍ତି, କେହି ବନେଟ୍ ଉପରେ ମଧ୍ୟ ଅଛନ୍ତି; ଏହାକୁ ଆଉ କ’ଣ କହିବା, ଯଦି ହୁଲ୍ଲଡ଼ବାଜି ନୁହେଁ?’ ଏଭଳି କାଫିଲା ଦ୍ୱାରା ଅନ୍ୟ ପ୍ରାର୍ଥୀ ଓ ଛାତ୍ରଛାତ୍ରୀଙ୍କ ମନରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇପାରେ ବୋଲି କୋର୍ଟ କହିଛନ୍ତି । ଏହାକୁ ରୋକିବା ପାଇଁ ପୁଲିସ କ’ଣ ପଦକ୍ଷେପ ନେଇଛି, ସେନେଇ ମଧ୍ୟ ପ୍ରଶ୍ନ କରାଯାଇଛି ।
ପୁଲିସ ପକ୍ଷରୁ କୋର୍ଟକୁ କୁହାଯାଇଛି ଯେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ନେଇ ୯୯୮ଟି ଚାଲାଣ କଟାଯାଇଛି । ୪୯ଟି ଗାଡ଼ି ଜବତ କରାଯାଇଥିବା ବେଳେ, ବିନା ଲାଇସେନ୍ସରେ ଗାଡ଼ି ଚଳାଇବା ନେଇ ୫୪୭ଟି ଚାଲାଣ ହୋଇଛି । ୬ଟି ଏଫ୍ଆଇଆର୍ ରୁଜୁ ସହ ୪ ଜଣଙ୍କୁ ଗିରଫ କରାଯାଇଛି । ସେପଟେ ଜଣେ ଶିକ୍ଷକଙ୍କୁ ମାଡ଼ ମାରିବା ଘଟଣାକୁ ମଧ୍ୟ କୋର୍ଟ ଗୁରୁତ୍ୱର ସହ ନେଇଛନ୍ତି। ଅଭିଯୁକ୍ତ ଜଣେ ଛାତ୍ର ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଏହି ଘଟଣାରେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଜବାବଦେହି ସୁନିଶ୍ଚିତ କରିବାକୁ କୋର୍ଟ କହିଛନ୍ତି ।
ଏପଟେ DUSU ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୧୪ ଜଣ ପ୍ରାର୍ଥୀ ଓ ଛାତ୍ର ସଂଗଠନଗୁଡ଼ିକୁ ଶୋ-କଜ୍ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ । ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ପାଇଁ ସାମୂହିକ ଭାବେ ଜରିମାନା କାହିଁକି ଲଗାଯିବ ନାହିଁ, ତାହାର ଜବାବ ମାଗିଛନ୍ତି କୋର୍ଟ । ଏଥିସହ ଫଳାଫଳ ପ୍ରକାଶ ଦିନ ବିଜୟ ଶୋଭାଯାତ୍ରା, ଢୋଲ ଓ ଅନ୍ୟାନ୍ୟ ବିଜୟ ଉତ୍ସବ ଉପରେ ରୋକ ଲଗାଯାଇଛି । କ୍ୟାମ୍ପସ୍ ଏବଂ ହଷ୍ଟେଲ୍ ଭିତରେ ମଧ୍ୟ ଏହି କଟକଣା ଲାଗୁ ହେବ । କୋର୍ଟ କହିଛନ୍ତି ‘ବିଜୟ ତୁମକୁ ନମ୍ର କରିବା ଉଚିତ।’ ଏବେ ନିର୍ବାଚନ ପ୍ରକ୍ରିୟା ଜାରି ଥିବା ବେଳେ, ନିୟମ ଉଲ୍ଲଂଘନ ଜାରି ରହିଲେ ନିର୍ବାଚନ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି ।
What's Your Reaction?