ନିଶା ବିରୋଧରେ ଲଢ଼ୁଥିଲେ, ଗୁଳି କରି ମାରିଦେଲେ
ପଞ୍ଜାବର ମାନସାରେ ନିଶା ବିରୋଧୀ କର୍ମୀ ପରଭିନ୍ଦର ସିଂହ ଝୋଟାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଖବରକୁ ନେଇ ରାଜନୈତିକ ଚର୍ଚ୍ଚା ତୀବ୍ର ହୋଇଛି। କଂଗ୍ରେସ ଓ ଶିରୋମଣି ଅକାଳି ଦଳ ଏହି ଘଟଣାକୁ ନେଇ ଭଗୱନ୍ତ ମାନ ସରକାରଙ୍କ ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି।
ପଞ୍ଜାବରେ ପୁଣି ଗର୍ଜିଲା ବନ୍ଧୁକ । ମାନସାରେ ଆଣ୍ଟି-ଡ୍ରଗ୍ସ ଆକ୍ଟିଭିଷ୍ଟ ପରଭିନ୍ଦର ସିଂହ ଝୋଟାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି । ପଞ୍ଜାବରେ ନିଶା କାରବାର ଓ ସର୍ବସାଧାରଣରେ ନିଶାଦ୍ରବ୍ୟ ବିକ୍ରି ପ୍ରସଙ୍ଗରେ ସ୍ୱର ଉଠାଉଥିଲେ ପରଭିନ୍ଦର । ତାଙ୍କ ହତ୍ୟା ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପଞ୍ଜାବର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି ।ଏହି ଘଟଣାକୁ ନେଇ ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଅମରିନ୍ଦର ସିଂହ ରାଜା ୱାରିଂ ଭଗୱନ୍ତ ମାନଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟି ସରକାରକୁ ଟାର୍ଗେଟ କରିଛନ୍ତି। ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଏବଂ ନିଶା ବିରୋଧୀ ଅଭିଯାନକୁ ନେଇ ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ପରଭିନ୍ଦର ନିଶା ବିରୋଧରେ ସ୍ୱର ଉଠାଉଥିଲେ ମଧ୍ୟ ତାଙ୍କ ଉଦ୍ୟମକୁ ସରକାର ଆବଶ୍ୟକ ସମର୍ଥନ ଦେଇନଥିବା ଅଭିଯୋଗ କରିଛନ୍ତି ସେ।
ସେହିପରି ଶିରୋମଣି ଅକାଳି ଦଳର ନେତା ସରବଜିତ ସିଂହ ଝିଞ୍ଜର ମଧ୍ୟ ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ଘଟଣା ସମ୍ପର୍କିତ ଏକ ଭିଡିଓ ସେୟାର କରି ଭଗୱନ୍ତ ମାନ ସରକାରଙ୍କୁ ଘେରିଛନ୍ତି। ଏଭଳି ଘଟଣାରେ ସରକାର କାହିଁକି ତ୍ୱରିତ ପଦକ୍ଷେପ ନେଉନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
What's Your Reaction?