୧୫ କୋଟିର ବ୍ୟବସାୟ, ଧନସମ୍ପତ୍ତି ଛାଡ଼ି ସନ୍ନ୍ୟାସୀ ହେବେ ପୂରା ପରିବାର!
ଧନ, ସମ୍ପତ୍ତି ଓ ବ୍ୟବସାୟର ମୋହ ଛାଡ଼ି ଆଧ୍ୟାତ୍ମିକତାର ପଥ ବାଛିଛନ୍ତି ଗୋଟିଏ ପରିବାରର ଚାରି ସଦସ୍ୟ। ପ୍ରାୟ ୧୫ କୋଟି ଟଙ୍କାର ବାର୍ଷିକ କାରବାର କରୁଥିବା ବୟନ ଶିଳ୍ପ ବ୍ୟବସାୟକୁ ପଛରେ ପକାଇ ଜୈନ ସନ୍ନ୍ୟାସ ଗ୍ରହଣ କରିବାକୁ ଯାଉଛନ୍ତି ସ୍ୱାମୀ, ସ୍ତ୍ରୀ ଓ ଦୁଇ ଝିଅ।
ଧନ, ସମ୍ପତ୍ତି ଓ ବ୍ୟବସାୟର ମୋହ ଛାଡ଼ି ଆଧ୍ୟାତ୍ମିକତାର ପଥ ବାଛିଛନ୍ତି ଗୋଟିଏ ପରିବାରର ଚାରି ସଦସ୍ୟ। ପ୍ରାୟ ୧୫ କୋଟି ଟଙ୍କାର ବାର୍ଷିକ କାରବାର କରୁଥିବା ବୟନ ଶିଳ୍ପ ବ୍ୟବସାୟକୁ ପଛରେ ପକାଇ ଜୈନ ସନ୍ନ୍ୟାସ ଗ୍ରହଣ କରିବାକୁ ଯାଉଛନ୍ତି ସ୍ୱାମୀ, ସ୍ତ୍ରୀ ଓ ଦୁଇ ଝିଅ। ରାଜସ୍ଥାନର ଉଦୟପୁର ଜିଲ୍ଲାର ଏହି ପରିବାରର ନିଷ୍ପତ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁସାରେ, ଦିଲୀପ ଭାଇ ଭୋଗର (୪୭), ତାଙ୍କ ସ୍ତ୍ରୀ ଜ୍ୟୋତି ବେନ୍ (୪୫) ଏବଂ ଦୁଇ ଝିଅ ଛବି (୨୨) ଓ ଚାର୍ବି (୧୪) ଆସନ୍ତା ୨୦୨୭ ଫେବ୍ରୁଆରି ୮ ତାରିଖରେ ସୁରଟରେ ଜୈନ ଦୀକ୍ଷା ଗ୍ରହଣ କରିବେ। ଏହାପରେ ସେମାନେ ସାଂସାରିକ ଜୀବନ ତ୍ୟାଗ କରି ସନ୍ନ୍ୟାସ ଜୀବନ ଆପଣାଇବେ।
ଜୈନ ଧର୍ମ ପ୍ରତି ଆକର୍ଷଣ
ଦିଲୀପ ଭାଇ ଉଦୟପୁର ଜିଲ୍ଲାର ଯଶୱନ୍ତଗଡ଼ ଗାଁରୁ ସୁରଟ ଯାଇ ଛୋଟ ଦୋକାନରୁ କପଡ଼ା ବ୍ୟବସାୟ ଆରମ୍ଭ କରିଥିଲେ। ଧୀରେ ଧୀରେ ବ୍ୟବସାୟ ବଢ଼ିବାରୁ ଆଉ ଦୁଇଟି ଦୋକାନ ଖୋଲିବା ସହ ଅନେକ ମେସିନ୍ ସ୍ଥାପନ କରିଥିଲେ। ବ୍ୟବସାୟକୁ ଆହୁରି ବଢ଼ାଇବାର ଯୋଜନା ମଧ୍ୟ ରଖିଥିଲେ। କିନ୍ତୁ ଜଣେ ଜୈନ ଆଚାର୍ଯ୍ୟଙ୍କ ସହ ସାକ୍ଷାତ ପରେ ତାଙ୍କ ଚିନ୍ତାଧାରା ବଦଳି ଯାଇଥିଲା। ଜୈନ ଧର୍ମ ପ୍ରତି ଆକର୍ଷଣ ବଢ଼ିବା ସହ ସନ୍ନ୍ୟାସ ଜୀବନ ପ୍ରତି ମନ ବଳାଇଥିଲେ।
ବଡ଼ ଝିଅ ନେଇସାରିଛନ୍ତି ସନ୍ନ୍ୟାସ
ଏହି ପରିବର୍ତ୍ତନରେ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ସାମିଲ ହୋଇଥିଲେ। ତାଙ୍କର ବଡ଼ ଝିଅ ଶୈଲୀ ୨୦୨୩ ମସିହାରେ ଜୈନ ଦୀକ୍ଷା ଗ୍ରହଣ କରିଥିଲେ। ଏବେ ସେ ସାଧ୍ୱୀ ଦର୍ଶିତା ନାମରେ ପରିଚିତ। ବଡ଼ ଝିଅଙ୍କ ଦୀକ୍ଷା ପରେ ଦିଲୀପ ବ୍ୟବସାୟକୁ ଧୀରେ ଧୀରେ ସୀମିତ କରିବା ସହ ନିଜେ ମଧ୍ୟ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି କରିଥିଲେ। ଅନ୍ୟପକ୍ଷରେ ଛବି ଗ୍ରାଫିକ୍ ଡିଜାଇନ୍ରେ ବିବିଏ ପାଠ ପଢ଼ିବା ସହ ନିଜ ହାତରେ ତିଆରି ସାଜସଜ୍ଜା ସାମଗ୍ରୀ ବିକ୍ରି କରୁଥିଲେ। ଚାର୍ବି ମଧ୍ୟ ନବମ ଶ୍ରେଣୀ ଅଧାରୁ ପାଠପଢ଼ା ଛାଡ଼ିଥିବା ବେଳେ ସୁରଟରେ ଜିଲ୍ଲାସ୍ତରୀୟ ଫୁଟ୍ବଲ୍ ଖେଳିଛନ୍ତି।
ଦୀକ୍ଷା ଗ୍ରହଣ ପୂର୍ବରୁ ଚାରିଜଣ ଜୈନ ସାଧୁସାଧ୍ୱୀଙ୍କ ସହ ରହି ନୂଆ ଜୀବନଶୈଳୀର ଅଭ୍ୟାସ କରୁଛନ୍ତି। ପାଦରେ ଚାଲି ଯାତ୍ରା କରିବା, ଖାଦ୍ୟ ନିୟମ ମାନିବା ଓ ଦୈନନ୍ଦିନ ଆଚରଣ ସମ୍ପର୍କରେ ଶିକ୍ଷା ନେଉଛନ୍ତି। କୋଟି କୋଟି ଟଙ୍କାର ବ୍ୟବସାୟ ଛାଡ଼ି ଏକାଠି ସନ୍ନ୍ୟାସ ଜୀବନ ବାଛିବାର ଏହି ନିଷ୍ପତ୍ତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
What's Your Reaction?