ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ମିଳିଲାନି ଜାମିନ, ଜେଲ୍‌ରେ ରହିବେ

Nov 18, 2026 - 14:38
ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ମିଳିଲାନି ଜାମିନ, ଜେଲ୍‌ରେ ରହିବେ
ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ମିଳିଲାନି ଜାମିନ, ଜେଲ୍‌ରେ ରହିବେ

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବିଦ୍ୟାଭାରତୀ ପଣ୍ଡାଙ୍କୁ ଝଟକା ଲାଗିଛି। ତାଙ୍କ ପକ୍ଷରୁ ଦାଖଲ ହୋଇଥିବା ନିୟମିତ ଜାମିନ ଆବେଦନକୁ ଆଜି ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅଦାଲତ ଖାରଜ କରିଦେଇଛନ୍ତି। 

ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବିଦ୍ୟାଭାରତୀ ପଣ୍ଡାଙ୍କୁ ଝଟକା ଲାଗିଛି। ତାଙ୍କ ପକ୍ଷରୁ ଦାଖଲ ହୋଇଥିବା ନିୟମିତ ଜାମିନ ଆବେଦନକୁ ଆଜି ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅଦାଲତ ଖାରଜ କରିଦେଇଛନ୍ତି। ଫଳରେ ବିଦ୍ୟାଭାରତୀଙ୍କୁ ଏବେ ଜେଲ୍‌ରେ ରହିବାକୁ ପଡ଼ିବ। ଏହି ରାୟ ପରେ ବହୁଚର୍ଚ୍ଚିତ ଏସିଏଫ୍ ମୃତ୍ୟୁ ମାମଲା ପୁଣି ଚର୍ଚ୍ଚାକୁ ଆସିଛି।

ସୂଚନାଯୋଗ୍ୟ, ଗତକାଲି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ହରପ୍ରସାଦ ପଟ୍ଟନାୟକଙ୍କ ଅଦାଲତରେ ବିଦ୍ୟାଭାରତୀଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା। ଉଭୟ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବା ପରେ ଅଦାଲତ ରାୟ ସଂରକ୍ଷିତ ରଖିଥିଲେ। ଆଜି ଏହାର ରାୟ ପ୍ରକାଶ କରି ଜାମିନ ଆବେଦନ ଖାରଜ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଦ୍ୟାଭାରତୀ ପ୍ରଥମେ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍ ଅଦାଲତରେ ଆତ୍ମସମର୍ପଣ କରି ଜାମିନ ଆବେଦନ କରିଥିଲେ। ଗତ ୨ ନଭେମ୍ବରରେ ଅଦାଲତ ତାଙ୍କ ଜାମିନ ଆବେଦନ ଖାରଜ କରିବା ସହ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ। ଏହାପରେ ସେ ଜିଲ୍ଲା ଓ ଦୌରାଜଜ୍‌ଙ୍କ ଅଦାଲତରେ ନିୟମିତ ଜାମିନ ଆବେଦନ କରିଥିଲେ। ତେବେ ଏହି ମାମଲାର ଅନ୍ୟ ଅଭିଯୁକ୍ତଙ୍କ ବିଚାର ପ୍ରକ୍ରିୟା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ ଅଦାଲତରେ ଚାଲୁଥିବାରୁ ତାଙ୍କ ଜାମିନ ଆବେଦନକୁ ସେହି ଅଦାଲତକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ଆଜି ସେଠାରେ ଶୁଣାଣି ହୋଇଛି।

ଯୋଜନାବଦ୍ଧ ହତ୍ୟା ଅଭିଯୋଗ 

ପ୍ରକାଶ ଥାଉକି, ୨୦୨୧ ଜୁଲାଇ ୧୧ ତାରିଖରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ରହସ୍ୟଜନକ ପରିସ୍ଥିତିରେ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଥିଲେ। ତାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଥିଲା। ପ୍ରଥମେ ତାଙ୍କୁ ବ୍ରହ୍ମପୁର ଓ ପରେ କଟକର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଜୁଲାଇ ୧୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ଏକ ଦୁର୍ଘଟଣା ନୁହେଁ, ବରଂ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରି ମୃତକଙ୍କ ବାପା ଅଭିରାମ ମହାପାତ୍ର ଜୁଲାଇ ୧୪ ତାରିଖରେ ପାରଳାଖେମୁଣ୍ଡି ଥାନାରେ ଏତଲା ଦେଇଥିଲେ। ଏଥିରେ ତତ୍କାଳୀନ  ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ପତ୍ନୀ ବିଦ୍ୟାଭାରତୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାମ ଉଲ୍ଲେଖ କରିଥିଲେ। 

ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଅଗଷ୍ଟ ୨୦୨୧ରେ ରାଜ୍ୟ ସରକାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। କ୍ରାଇମବ୍ରାଞ୍ଚ ତଦନ୍ତ କରି ତିନି ଅଭିଯୁକ୍ତଙ୍କୁ ହତ୍ୟା ମାମଲାରୁ ମୁକ୍ତ ରଖି ଅବହେଳାଜନିତ ମୃତ୍ୟୁ ଓ ଅଗ୍ନିକାଣ୍ଡ ସମ୍ପର୍କିତ ଦଫାରେ ଚାର୍ଜସିଟ୍ ଦାଖଲ କରିଥିଲା। ଏହାକୁ ବିରୋଧ କରି ମୃତ ସୌମ୍ୟରଞ୍ଜନଙ୍କ ବାପା ଅଦାଲତରେ ପ୍ରତିବାଦ ପିଟିସନ୍ ଦାଖଲ କରିଥିଲେ। ଏହାର ଶୁଣାଣି କରି ୧୨ ଏପ୍ରିଲ ୨୦୨୩ରେ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍ ଅଦାଲତ ତିନି ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ଦଫାରେ ବିଚାର ପ୍ରକ୍ରିୟା ଆଗକୁ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଥିଲେ। 
ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବିଦ୍ୟାଭାରତୀ ଓ ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ ବେହେରା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ୨୦୨୫ ଜୁଲାଇରେ ଉଚ୍ଚ ନ୍ୟାୟାଳୟ ସେମାନଙ୍କ ଆବେଦନ ଖାରଜ କରିଥିଲେ। ପରବର୍ତ୍ତୀ ସମୟରେ ସଂଗ୍ରାମ ବେହେରାଙ୍କ ଆଗୁଆ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଥିଲା। ଏହାପରେ ସେ ୨୦୨୬ ଜୁଲାଇ ୨୭ ତାରିଖରେ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍ ଅଦାଲତରେ ଆତ୍ମସମର୍ପଣ କରିଥିଲେ। ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। ଅନ୍ୟ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ୨୦୨୬ ସେପ୍ଟେମ୍ବର ୩୦ ତାରିଖରେ ପୁଲିସ ତାଙ୍କ ଗ୍ରାମରୁ ଗିରଫ କରିଥିଲା।

ବିଦ୍ୟାଭାରତୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ

 ଅନ୍ୟପକ୍ଷରେ ବିଦ୍ୟାଭାରତୀ ମଧ୍ୟ ଗିରଫଦାରିରୁ ସୁରକ୍ଷା ପାଇଁ ଉଚ୍ଚ ନ୍ୟାୟାଳୟ ଓ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟରେ ତାଙ୍କ ଆବେଦନ ଖାରଜ ହେବା ପରେ ଗତ ଅକ୍ଟୋବର ୩୧ ତାରିଖରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମଧ୍ୟ ତାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଥିଲେ। ଏହାପରେ ନଭେମ୍ବର ୨ ତାରିଖରେ ସେ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍ ଅଦାଲତରେ ଆତ୍ମସମର୍ପଣ କରିଥିଲେ। ସେଠାରେ ତାଙ୍କ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। ଏବେ ଜିଲ୍ଲା ଓ ଦୌରାଜଜ୍‌ଙ୍କ ଅଦାଲତରୁ ସ୍ଥାନାନ୍ତର ହୋଇଥିବା ଜାମିନ ଆବେଦନ ଉପରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ ଅଦାଲତରେ ଶୁଣାଣି ଶେଷ ହୋଇଛି। ଆସନ୍ତାକାଲି ରାୟ ପ୍ରକାଶ ପାଇବ ।  ଏହି ମାମଲାରେ ଏବେ ତିନି ଅଭିଯୁକ୍ତ ବିଚାର ବିଭାଗୀୟ ହାଜତରେ ଅଛନ୍ତି I 

What's Your Reaction?

like

dislike

love

funny

angry

sad

wow