ବାହାରିନ୍ ମାନବାଧିକାରୀ କର୍ମୀ ନବିଲ ରଜବଙ୍କର ୬୨ ବର୍ଷରେ ପରଲୋକ
ଅନ୍ତର୍ଜାତୀୟସ୍ତରର ଖ୍ୟାତାନାମା ମାନବାଧିକାର କର୍ମୀ ତଥା ବାହାରିନ୍ରେ ‘ଆରବ ସ୍ପ୍ରିଙ୍ଗ’ର ମୁଖ୍ୟ ସୂତ୍ରଧର ନବିଲ ରଜବଙ୍କର ମଙ୍ଗଳବାର ୬୨ ବର୍ଷ ବୟସରେ ପରଲୋକ ଘଟିଛି। ଅନ୍ତର୍ଜାତୀୟ ମାନବାଧିକାର ମହାସଂଘରେ ମଧ୍ୟ ରଜବ ୨୦୧୦ ରୁ ୨୦୨୦ ପର୍ଯ୍ୟନ୍ତ ଉପମହାସଚିବ ଭାବରେ କାର୍ଯ୍ୟ କରିଥିଲେ।
ଅନ୍ତର୍ଜାତୀୟସ୍ତରର ଖ୍ୟାତାନାମା ମାନବାଧିକାର କର୍ମୀ ତଥା ବାହାରିନ୍ରେ ‘ଆରବ ସ୍ପ୍ରିଙ୍ଗ’ର ମୁଖ୍ୟ ସୂତ୍ରଧର ନବିଲ ରଜବଙ୍କର ମଙ୍ଗଳବାର ୬୨ ବର୍ଷ ବୟସରେ ପରଲୋକ ଘଟିଛି। ଅନ୍ତର୍ଜାତୀୟ ମାନବାଧିକାର ମହାସଂଘରେ ମଧ୍ୟ ରଜବ ୨୦୧୦ ରୁ ୨୦୨୦ ପର୍ଯ୍ୟନ୍ତ ଉପମହାସଚିବ ଭାବରେ କାର୍ଯ୍ୟ କରିଥିଲେ। ସଙ୍ଗଠନ ତାଙ୍କୁ ଜଣେ ପ୍ରେରଣା ଭାବେ ବର୍ଣ୍ଣନା କରିଛି। ରଜବଙ୍କୁ ଗତକାଲି ସକାଳେ ତାଙ୍କ ଘରେ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସ୍ତ୍ରୀ ଓ ଝିଅ ତାଙ୍କୁ ହସ୍ପିଟାଲ ନେଇଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାହାରିନ୍ ସେଣ୍ଟର ଫର ହ୍ୟୁମାନ୍ ରାଇଟ୍ସ ମଧ୍ୟ ‘ଏକ୍ସ’ରେ ତାଙ୍କ ମୃତ୍ୟୁ ଖବରକୁ ସ୍ପଷ୍ଟ କରିଛି।
୨୦୦୨ ମସିହାରେ ରଜବ ବାହାରିନ ମାନବାଧିକାର କେନ୍ଦ୍ର ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଥିଲେ, ଯାହା ବାହାରିନ୍ରେ ଗଣତାନ୍ତ୍ରିକ ସଂସ୍କାରର ମଞ୍ଚ ପାଲଟିଥିଲା। ଶିଆ ବହୁଳ ବାହାରିନରେ ସୁନ୍ନି ରାଜତନ୍ତ୍ର ବିରୋଧରେ ଗଣତାନ୍ତ୍ରିକ ସଂସ୍କାର ପାଇଁ ଏହି ସଙ୍ଗଠନ ମୁଖ୍ୟତଃ ସ୍ବର ଉଠାଇଥିଲା। ୨୦୧୧ ମସିହା ଆରବ ସ୍ପ୍ରିଙ୍ଗ ଆନ୍ଦୋଳନ ଯୋଗୁ ବାହାରିନରେ ବ୍ୟାପକ ପ୍ରଦର୍ଶନକୁ ନେଇ ରଜବ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିଲେ।
ଅନେକ ଥର ଜେଲ୍ ଯାଇଥିଲେ
ବାହାରିନ୍ ସାଉଦି ଆରବ ଓ ସଂଯୁକ୍ତ ଆରବ ଏମିରେଟ୍ସ ସହାୟତାରେ ଆନ୍ଦୋଳନକୁ ଦମନ କରିବାରେ ସଫଳ ହୋଇଥିଲା। ବାହାରିନ୍ରେ ବାକ୍ ସ୍ବାଧୀନତା ପାଇଁ ସମ୍ବିଧାନରେ ବ୍ୟବସ୍ଥା ଥିଲେ ମଧ୍ୟ ରଜବଙ୍କୁ ଅନେକ ବର୍ଷରେ ଜେଲ୍ରେ ବିତାଇବାକୁ ପଡ଼ିଥିଲା। ରଜବଙ୍କ ଗିରଫଦାରୀକୁ ଜାତିସଂଘଠାରୁ ଆରମ୍ଭ କରି ବାହାରିନ୍ର ଘନିଷ୍ଠ ସହଯୋଗୀ ଆମେରିକା ମଧ୍ୟ ବିରୋଧ କରିଥିଲା। ଇରାନ ଯୁଦ୍ଧର ପ୍ରାରମ୍ଭରେ ରଜବ ତାଙ୍କ ପରିବାର ସହିତ ବାହାରିନ ଛାଡ଼ି ଚାଲିଯାଇଥିଲେ।
What's Your Reaction?