ସୁପ୍ରିମକୋର୍ଟରେ ବଡ଼ ପଦକ୍ଷେପ! ବିଚାରପତିଙ୍କ ଖଣ୍ଡପୀଠରୁ ୨ଟି ମାମଲା ହଟାଇଲେ ପ୍ରଧାନ ବିଚାରପତି

Nov 18, 2026 - 14:21
ସୁପ୍ରିମକୋର୍ଟରେ ବଡ଼ ପଦକ୍ଷେପ! ବିଚାରପତିଙ୍କ ଖଣ୍ଡପୀଠରୁ ୨ଟି ମାମଲା ହଟାଇଲେ ପ୍ରଧାନ ବିଚାରପତି

ସୁପ୍ରିମକୋର୍ଟରେ ମାମଲା ବଣ୍ଟନକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ। ବିଚାରପତି ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠରୁ ଦୁଇଟି ମାମଲାକୁ ହଟାଇ ଅନ୍ୟ ଖଣ୍ଡପୀଠକୁ ପଠାଇ ଦିଆଯାଇଛି। 

 ସୁପ୍ରିମକୋର୍ଟରେ ମାମଲା ବଣ୍ଟନକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ। ବିଚାରପତି ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠରୁ ଦୁଇଟି ମାମଲାକୁ ହଟାଇ ଅନ୍ୟ ଖଣ୍ଡପୀଠକୁ ପଠାଇ ଦିଆଯାଇଛି। ଏହି ନିଷ୍ପତ୍ତିକୁ ନେଇ ନ୍ୟାୟିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। 

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଦୁଇଟି ମାମଲାର ଶୁଣାଣି ବେଳେ ବ୍ୟକ୍ତିଗତ ଅଭିଯୋଗକୁ ଆଧାର କରି ଆରମ୍ଭ ହୋଇଥିବା ବିଚାର ଧୀରେ ଧୀରେ ଦେଶବ୍ୟାପୀ ଜନସ୍ୱାର୍ଥ ମାମଲାର ରୂପ ନେଇଥିଲା। କିନ୍ତୁ ବିଚାରପତି ଅମାନୁଲ୍ଲାଙ୍କୁ ଦିଆଯାଇଥିବା ମାମଲା ତାଲିକାରେ ଜନସ୍ୱାର୍ଥ ମାମଲାର ଶୁଣାଣି ଅନ୍ତର୍ଭୁକ୍ତ ନଥିଲା। ତେଣୁ ନିର୍ଦ୍ଧାରିତ ନିୟମ ଅନୁସାରେ ମାମଲାର ଶୁଣାଣି ହେବା ଉଚିତ ବୋଲି ମୁଖ୍ୟ ବିଚାରପତି ଏହି ପଦକ୍ଷେପ ନେଇଥିବା କୁହାଯାଇଛି।

ବ୍ୟାପକ ପ୍ରସଙ୍ଗକୁ ନେଇ ଅଭିଯୋଗ
ପ୍ରଥମ ମାମଲାଟି ଆୟେଶା ଜୈନ ବନାମ ଆମିଟି ବିଶ୍ୱବିଦ୍ୟାଳୟ ସହ ଜଡ଼ିତ। ଜଣେ ଛାତ୍ରୀ ବିଶ୍ୱବିଦ୍ୟାଳୟରେ ହଇରାଣ ହେଉଥିବା ଏବଂ ନାମ ପରିବର୍ତ୍ତନ ସମ୍ପର୍କିତ ଆଇନଗତ ପରିବର୍ତ୍ତନ ଯୋଗୁଁ ତାଙ୍କ ପାଠପଢ଼ା ବର୍ଷ ପ୍ରଭାବିତ ହୋଇଥିବା ଅଭିଯୋଗ କରିଥିଲେ। ପରେ ଏହି ମାମଲା ଘରୋଇ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା, ଅର୍ଥ ଯୋଗାଣ ଓ ନିୟନ୍ତ୍ରଣ ଭଳି ବ୍ୟାପକ ପ୍ରସଙ୍ଗକୁ ନେଇଥିଲା। 

ନଭେମ୍ବର ୧୯ରେ ହେବ ପରବର୍ତ୍ତୀ ଶୁଣାଣି
ଏବେ ଏହା ବିଚାରପତି ବିକ୍ରମ ନାଥଙ୍କ ନେତୃତ୍ୱରେ ତିନିଜଣିଆ ଖଣ୍ଡପୀଠକୁ ପଠାଯାଇଛି। ନଭେମ୍ବର ୧୯ରେ ଏହାର ପରବର୍ତ୍ତୀ ଶୁଣାଣି ହେବ। ଦ୍ୱିତୀୟ ମାମଲାଟି ତାମିଲନାଡୁରେ ବିନା ଅନୁମତିରେ ନିର୍ମିତ ଦେଢ଼ ମହଲା ଘର ସମ୍ପର୍କିତ। ଲୋଗନାଥନ ବନାମ ତାମିଲନାଡୁ ସରକାର ମାମଲାରେ ଅବୈଧ ନିର୍ମାଣ ଓ ଆବାସିକ ଘରର ବ୍ୟବସାୟିକ ବ୍ୟବହାର ଭଳି ଦେଶବ୍ୟାପୀ ପ୍ରସଙ୍ଗ ଉଠିଥିଲା। ଏହାକୁ ବିଚାରପତି ବି.ଭି. ନାଗରତ୍ନାଙ୍କ ଖଣ୍ଡପୀଠକୁ ପଠାଯାଇଛି। ନଭେମ୍ବର ୨୩ରେ ଶୁଣାଣି ହେବା ସମ୍ଭାବନା ରହିଛି।

ସୂଚନା ଅନୁଯାୟୀ, ଏହି ନିଷ୍ପତ୍ତି ପୂର୍ବରୁ ପ୍ରଧାନ ବିଚାରପତି ବରିଷ୍ଠ ବିଚାରପତିମାନଙ୍କ ସହ ଆଲୋଚନା କରିଥିଲେ। ପ୍ରାୟ ଚାରି ସପ୍ତାହ ପୂର୍ବେ ଏକ ବୈଠକରେ ମଧ୍ୟ ସେ ସମସ୍ତ ବିଚାରପତିଙ୍କୁ ନିଜ ନିଜ ପାଇଁ ଧାର୍ଯ୍ୟ ମାମଲା ତାଲିକା ଅନୁସାରେ ବିଚାର କରିବାକୁ କହିଥିଲେ। ସୁପ୍ରିମକୋର୍ଟରେ କେଉଁ ମାମଲା କେଉଁ ଖଣ୍ଡପୀଠ ଶୁଣିବେ, ତାହା ସ୍ଥିର କରିବାର ଅଧିକାର ପ୍ରଧାନ ବିଚାରପତିଙ୍କ ପାଖରେ ରହିଛି। ଏହି ଅଧିକାରକୁ ‘ମାଷ୍ଟର ଅଫ୍ ରୋଷ୍ଟର’ କୁହାଯାଏ।

What's Your Reaction?

like

dislike

love

funny

angry

sad

wow