ପେପରଲେସ୍ ହେବ ଦଲିଲ ପଞ୍ଜୀକରଣ, ୪ ପୃଷ୍ଠାରେ ରହିବ ସୀମିତ
ଏଣିକି ପେପରଲେସ୍ ହେବ ଦଲିଲ୍ ପଞ୍ଜୀକରଣ । ଏଥିପାଇଁ ପୁରୁଣା ନିୟମରେ ସଂଶୋଧନ କରାଯିବ । ଏହା ସହ ପଞ୍ଜୀକରଣ ଦଲିଲକୁ ମାତ୍ର ୪ ପୃଷ୍ଠାରେ ସୀମିତ ରଖିବାକୁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର ।
ଏଣିକି ପେପରଲେସ୍ ହେବ ଦଲିଲ୍ ପଞ୍ଜୀକରଣ । ଏଥିପାଇଁ ପୁରୁଣା ନିୟମରେ ସଂଶୋଧନ କରାଯିବ । ଏହା ସହ ପଞ୍ଜୀକରଣ ଦଲିଲକୁ ମାତ୍ର ୪ ପୃଷ୍ଠାରେ ସୀମିତ ରଖିବାକୁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ନାଗରିକକୈନ୍ଦ୍ରିକ, ସ୍ୱଚ୍ଛ ଓ ସମ୍ପୂର୍ଣ୍ଣ ଡିଜିଟାଲ୍ ପଞ୍ଜୀକରଣ ବ୍ୟବସ୍ଥା ଲକ୍ଷ୍ୟରେ ସରକାର ଏହି ପଦକ୍ଷେପ ନେଉଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ । ଗତକାଲି ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବସିଥିଲା ।
ବୈଠକରେ ପେପରଲେସ୍ ଡିଡ୍ ରେଜିଷ୍ଟ୍ରେସନ୍ ବ୍ୟବସ୍ଥା ପ୍ରଚଳନ ପାଇଁ Registration Act, 1908ରେ ଆବଶ୍ୟକ ସଂଶୋଧନ ନେଇ ଆଲୋଚନା ହୋଇଛି । ଆଗକୁ ଏହାକୁ କ୍ୟାବିନେଟ୍ ଅନୁମୋଦନ ପାଇଁ ଉପସ୍ଥାପନ କରାଯିବ। ଏହାପରେ ବିଧାନସଭାରେ ବିଲ୍ ଆଗତ କରାଯିବ । ପଞ୍ଜୀକରଣଯୋଗ୍ୟ ଦଲିଲ ପାଇଁ Standard Templates ପ୍ରସ୍ତୁତ କରାଯିବ । ନିର୍ଦ୍ଦିଷ୍ଟ ବର୍ଗର ଦଲିଲ ପାଇଁ ସମ୍ପୂର୍ଣ୍ଣ ଇଲେକ୍ଟ୍ରୋନିକ୍ ପଞ୍ଜୀକରଣ ବ୍ୟବସ୍ଥା କରାଯିବ ।
ଇଲେକ୍ଟ୍ରୋନିକ୍ ଭାବେ ଜାରି ହେବାକୁ ଥିବା ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ରେ ଇଲେକ୍ଟ୍ରୋନିକ୍ ସିଗ୍ନେଚର ଓ ଇଲେକ୍ଟ୍ରୋନିକ୍ ସିଲ୍ ରହିବ । ଏହାର ଆଇନଗତ ବୈଧତା ଭୌତିକ ପ୍ରମାଣପତ୍ର ସହ ସମାନ ରହିବ । ଏହାସହ ପଞ୍ଜୀକରଣ ରେକର୍ଡକୁ ଲ୍ୟାଣ୍ଡ ରେକର୍ଡ, ରାଜସ୍ୱ ରେକର୍ଡ, ପୌରାଞ୍ଚଳ, ପ୍ଲାନିଂ ଅଥରିଟି, ଅର୍ଥନୈତିକ ଅନୁଷ୍ଠାନ ସମେତ ଅନ୍ୟାନ୍ୟ ସରକାରୀ ବ୍ୟବସ୍ଥା ସହ ଡିଜିଟାଲ୍ ଭାବେ ସଂଯୋଗ କରାଯିବ । ପଞ୍ଜୀକରଣ ରେକର୍ଡ, ଲ୍ୟାଣ୍ଡ ରେକର୍ଡ ଓ ମ୍ୟୁଟେଶନ୍ ରେଜିଷ୍ଟର ମଧ୍ୟରେ ସମନ୍ୱୟ ରଖାଯିବ । ଫଳରେ ମ୍ୟୁଟେଶନ୍ ପ୍ରକ୍ରିୟାକୁ ମଧ୍ୟ ଇଲେକ୍ଟ୍ରୋନିକ୍ ଭାବେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କରିବାର ବ୍ୟବସ୍ଥା ହେବ । ଏହାଦ୍ୱାରା ଲୋକଙ୍କୁ ଅଧିକ ସ୍ୱଚ୍ଛ, ସୁବିଧାଜନକ ଓ ଶୀଘ୍ର ପଞ୍ଜୀକରଣ ସେବା ମିଳିପାରିବ ।
What's Your Reaction?