ପ୍ରତ୍ୟେକ ଭାରତୀୟଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରଖିବାକୁ ଆହ୍ବାନ: ସମ୍ବିଧାନ ଅନ୍ୟାୟ ବିରୋଧରେ ସବୁଠୁ ବଡ଼ ଅସ୍ତ୍ର ଓ ଦେଶର ଆତ୍ମା: ରାହୁଲ
ଭାରତର ସମ୍ବିଧାନ କେବଳ ଏକ ପୁସ୍ତକ ନୁହେଁ, ଦେଶର ଆତ୍ମା। ଅନ୍ୟାୟ ବିରୋଧରେ ଏହା ଦେଶର ସବୁଠୁ ବଡ଼ ଅସ୍ତ୍ର। ପ୍ରତ୍ୟେକ ନାଗରିକଙ୍କ ଗରିମାକୁ କବଚ ପରି ରକ୍ଷା କରିଥାଏ ଓ ସମସ୍ତ ସ୍ବରକୁ ଶକ୍ତି ଦେଇଥାଏ।
ଭାରତର ସମ୍ବିଧାନ କେବଳ ଏକ ପୁସ୍ତକ ନୁହେଁ, ଦେଶର ଆତ୍ମା। ଅନ୍ୟାୟ ବିରୋଧରେ ଏହା ଦେଶର ସବୁଠୁ ବଡ଼ ଅସ୍ତ୍ର। ପ୍ରତ୍ୟେକ ନାଗରିକଙ୍କ ଗରିମାକୁ କବଚ ପରି ରକ୍ଷା କରିଥାଏ ଓ ସମସ୍ତ ସ୍ବରକୁ ଶକ୍ତି ଦେଇଥାଏ। ନ୍ୟାୟ, ସ୍ବତନ୍ତ୍ରତା, ସମାନତା ଓ ଭାଇଚାରାର ମୁଲ୍ୟବୋଧକୁ ସୁରକ୍ଷିତ ରଖିଥାଏ ବୋଲି ଗୁରୁବାର ସମ୍ବିଧାନ ଦିବସ ଅବସରରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି।
ସମ୍ବିଧାନ ଦିବସରେ ସୁରକ୍ଷା ପାଇଁ ଶପଥ
ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି ରାହୁଲ କହିଛନ୍ତି, ପ୍ରତ୍ୟେକ ନାଗରିକଙ୍କ ସମ୍ମାନ, ଅଧିକାର ଓ ସ୍ୱାଧୀନତାର ସୁରକ୍ଷା ପାଇଁ ସମ୍ବିଧାନକୁ ସବୁ ପରିସ୍ଥିତିରେ ରକ୍ଷା କରାଯିବ। ସମ୍ବିଧାନ ଦିବସ ଅବସରରେ ସେ ଏଭଳି ଦୃଢ଼ ସଂକଳ୍ପ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ବାର୍ତ୍ତାରେ ସମ୍ବିଧାନର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ସମ୍ବିଧାନ ହେଉଛି ଭାରତୀୟ ଗଣତନ୍ତ୍ରର ମୂଳଦୁଆ। ରାହୁଲ କହିଛନ୍ତି, ସମ୍ବିଧାନର ସୁରକ୍ଷା କରିବା ତାଙ୍କର ଦାୟିତ୍ୱ। ଦେଶର ପ୍ରତ୍ୟେକ ନାଗରିକଙ୍କ ଅଧିକାର ପାଇଁ ସେ ଲଢ଼େଇ ଜାରି ରଖିବେ। କୌଣସି ପରିସ୍ଥିତିରେ ସମ୍ବିଧାନର ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତାରୁ ସେ ପଛକୁ ହଟିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି।
ନିଜର ସଂକଳ୍ପ ଦୋହରାଇଛନ୍ତି କଂଗ୍ରେସ ସଭାପତି
ଅନ୍ୟପକ୍ଷରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ନିଜର ସଂକଳ୍ପ ଦୋହରାଇଛନ୍ତି। ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ଉକ୍ତିକୁ ଉଦ୍ଧାର କରି ସେ କହିଛନ୍ତି, ସାମାଜିକ ଗଣତନ୍ତ୍ରର ମୂଳଦୁଆ ନଥିଲେ ରାଜନୈତିକ ଗଣତନ୍ତ୍ର ବଞ୍ଚି ରହିପାରିବ ନାହିଁ। ନ୍ୟାୟ, ସ୍ୱାଧୀନତା, ସମାନତା, ଭାଇଚାରା, ଧର୍ମନିରପେକ୍ଷତା ଓ ସମାଜବାଦ ଭଳି ସମ୍ବିଧାନର ମୂଳ ଆଦର୍ଶଗୁଡ଼ିକର ସୁରକ୍ଷା କରିବା ଦେଶର ସବୁଠୁ ବଡ଼ ଦାୟିତ୍ୱ ବୋଲି ଖଡ଼ଗେ ମତ ଦେଇଛନ୍ତି। ସମ୍ବିଧାନ ଦିବସ ଅବସରରେ ଦେଶର ଏକତା, ଅଖଣ୍ଡତା ଓ ସାମାଜିକ ସଦ୍ଭାବ ବଜାୟ ରଖିବା ସହ ଗଣତନ୍ତ୍ରର ସୁରକ୍ଷା ପାଇଁ ସମସ୍ତେ ଏକାଠି ହେବାକୁ ସେ ଆହ୍ୱାନ ଦେଇଛନ୍ତି।
ଖଡ଼ଗେ ସମ୍ବିଧାନ ଦିବସ ଅବସରରେ ମହାତ୍ମା ଗାନ୍ଧୀ, ଜବାହାରଳାଲ ନେହରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲାନା ଅବୁଲ କଲାମ ଆଜାଦ, ଡ. ରାଜେନ୍ଦ୍ର ପ୍ରସାଦ, ସରୋଜିନୀ ନାଇଡୁ, ଆମ୍ବେଦକର ଓ ଆଧୁନିକ ଭାରତର ମୂଳଦୁଆ ପକାଇଥିବା ଅନ୍ୟ ସଂଗ୍ରାମୀଙ୍କୁୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ନାଗରିକମାନଙ୍କୁ ସମ୍ବିଧାନ ଓ ଗଣତନ୍ତ୍ରକୁ ସୁରକ୍ଷା ଦେବା ଓ ଭାରତର ଏକତା, ଅଖଣ୍ଡତା ଏବଂ ସଦ୍ଭାବକୁ ବଜାୟ ରଖିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ନବୀକରଣ କରିବାକୁ ଅନୁରୋଧ କରିଛନ୍ତି। କଂଗ୍ରେସ ସମ୍ବିଧାନ ଦିବସ ପାଳନ କରିବା ପାଇଁ କଥିତ ‘ଭୋଟ୍ ଚୋରି’ ବିରୋଧରେ ଦେଶବ୍ୟାପୀ ପ୍ରତିବାଦ ଆୟୋଜନ କରିଛି।
What's Your Reaction?