୨୬/୧୧ ମୁମ୍ବାଇ ଆକ୍ରମଣର ୬ ପ୍ରମୁଖ ଷଡ଼ଯନ୍ତ୍ରକାରୀ ପାକିସ୍ତାନରେ ମୁକ୍ତ

Nov 26, 2026 - 14:29
୨୬/୧୧ ମୁମ୍ବାଇ ଆକ୍ରମଣର ୬ ପ୍ରମୁଖ ଷଡ଼ଯନ୍ତ୍ରକାରୀ ପାକିସ୍ତାନରେ ମୁକ୍ତ

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ୬ ଜଣ ପ୍ରମୁଖ ଷଡ଼ଯନ୍ତ୍ରକାରୀ ଆଜି ବି ପାକିସ୍ତାନରେ ଖୋଲାଖୋଲି ବୁଲୁଛନ୍ତି ଏବଂ ବିନା କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନରେ ନିଜର ଆତଙ୍କବାଦୀ ନେଟୱାର୍କ ଚଳାଉଛନ୍ତି। ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକର ସୂଚନା ଅନୁଯାୟୀ, ଲସ୍କର-ଏ-ତୈବା... 

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ୬ ଜଣ ପ୍ରମୁଖ ଷଡ଼ଯନ୍ତ୍ରକାରୀ ଆଜି ବି ପାକିସ୍ତାନରେ ଖୋଲାଖୋଲି ବୁଲୁଛନ୍ତି ଏବଂ ବିନା କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନରେ ନିଜର ଆତଙ୍କବାଦୀ ନେଟୱାର୍କ ଚଳାଉଛନ୍ତି। ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକର ସୂଚନା ଅନୁଯାୟୀ, ଲସ୍କର-ଏ-ତୈବା (ଏଲଇଟି) ମୁଖ୍ୟ ହାଫିଜ ସଇଦ, ଅପରେସନ୍ ମୁଖ୍ୟ ଜକି-ଉର-ରେହମାନ ଲଖଭି, ଆକ୍ରମଣର ତଦାରଖ କରିଥିବା ଟପ୍ କମାଣ୍ଡର ସାଜିଦ ମୀର, ପାକ୍ ସେନାର ଅବସରପ୍ରାପ୍ତ ମେଜର ଅବଦୁର ରେହମାନ ହାସିମ ସୟଦ ଓରଫ ପାଶା ଏବଂ ଆଇଏସଆଇ ଅଧିକାରୀ ମେଜର ଇକବାଲ ଓ ମେଜର ସମୀର ଅଲ୍ଲୀଙ୍କୁ ପାକିସ୍ତାନ ସରକାରଙ୍କ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଉଛି।

ଆମେରିକାର ଚାପରେ ପାକିସ୍ତାନ ଅଦାଲତ ୨୦୨୦ରେ ହାଫିଜ ସଇଦଙ୍କୁ ୭୮ ବର୍ଷ ଏବଂ ୨୦୨୧ରେ ଲଖଭିଙ୍କୁ ଟେରର୍ ଫଣ୍ଡିଂ ମାମଲାରେ ୧୫ ବର୍ଷ ଜେଲଦଣ୍ଡ ଶୁଣାଇଥିଲେ ସୁଦ୍ଧା ସେମାନେ ଆଇଏସଆଇ ସୁରକ୍ଷାରେ ରହି ଖୋଲାଖୋଲି ଆତଙ୍କୀ କାର୍ଯ୍ୟକଳାପ ଚଳାଉଥିବା ଭାରତୀୟ ଅଧିକାରୀମାନେ କହିଛନ୍ତି। ସେହିପରି ସାଜିଦ ମୀରଙ୍କୁ ୮ ବର୍ଷ ଜେଲଦଣ୍ଡ ହୋଇଥିବା କୁହାଯାଉଥିଲେ ବି ତାଙ୍କର କୌଣସି ପତ୍ତା ମିଳୁନାହିଁ ଏବଂ ପାକ୍ ସେନା ଓ ଆଇଏସଆଇର ତିନି ଅଧିକାରୀଙ୍କ ବିରୋଧରେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ୨୬/୧୧ ଆକ୍ରମଣର ମୋଟ ୧୦ ଜଣ ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରୁ ୭ ଜଣ ପାକିସ୍ତାନରେ ରହି ଷଡ଼ଯନ୍ତ୍ର ରଚିବା ସହ କଣ୍ଟ୍ରୋଲ ରୁମ୍ ପରିଚାଳନା କରୁଥିଲେ। ଭାରତ ପକ୍ଷରୁ ବାରମ୍ବାର ନ୍ୟାୟିକ ଅନୁରୋଧ ଏବଂ ହାଫିଜ ସଇଦର ପ୍ରତ୍ୟର୍ପଣ ଦାବି କରାଯାଇଥିଲେ ମଧ୍ୟ ପାକିସ୍ତାନ କୌଣସି ସହଯୋଗ କରୁନାହିଁ।

ଦୁଇଜଣ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବାକୁ ସକ୍ଷମ
ଅନ୍ୟପକ୍ଷରେ, ଏହି ଷଡ଼ଯନ୍ତ୍ରରେ ସାମିଲ ଥିବା ହାଫିଜ ସଇଦର ଭିଣୋଇ ଅବଦୁଲ ରେହମାନ ମକ୍କିର ୨୦୨୪ ଡିସେମ୍ବରରେ ଲାହୋରରେ ମୃତ୍ୟୁ ଘଟିଥିବା ବେଳେ ଅଲ-କାଏଦା ନେତା ଇଲିୟାସ କାଶ୍ମୀରୀ ୨୦୧୧ ଜୁନରେ ଆମେରିକୀୟ ଡ୍ରୋନ୍ ଆକ୍ରମଣରେ ନିହତ ହୋଇଥିଲା। ଭାରତୀୟ ତଦନ୍ତକାରୀ ସଂସ୍ଥା କେବଳ ଦୁଇଜଣ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବାକୁ ସକ୍ଷମ ହୋଇଛି। ୨୦୧୧ରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଆମେରିକୀୟ ନାଗରିକ ଡେଭିଡ୍ କୋଲମ୍ୟାନ୍ ହେଡଲିକୁ ଜେରା କରିଥିବା ବେଳେ ଗତ ବର୍ଷ ଏପ୍ରିଲରେ ପାକିସ୍ତାନୀ-କାନାଡୀୟ ଡାକ୍ତର ତହବୁର ରାଣାକୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଥିଲା। ବର୍ତ୍ତମାନ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଥିବା ରାଣାର ଜେରା ଆଧାରରେ ଗତ ବର୍ଷ ଜୁଲାଇ ମାସରେ ଏନଆଇଏ ଏକ ନୂଆ ଚାର୍ଜସିଟ୍ ଦାଖଲ କରିଥିଲା। ଏହା ବ୍ୟତୀତ ୧୦ ଆତଙ୍କବାଦୀଙ୍କୁ ତାଲିମ ଦେଇଥିବା ଅବୁ କହାଫା, ଅବୁ ଅଲକାମା, ମୁଜାମ୍ମିଲ, ଅବୁ ଅନସ ଏବଂ ଅବୁ ହମଜା ମଧ୍ୟ ଏବେ ପାକିସ୍ତାନରେ ସକ୍ରିୟ ଥିବା ଜଣାପଡ଼ିଛି। 

What's Your Reaction?

like

dislike

love

funny

angry

sad

wow