ଟ୍ରମ୍ପଙ୍କ ପ୍ରସ୍ତାବକୁ ଅଣଦେଖା କଲେ କିମ୍ ଜୋଙ୍ଗ୍ ଉନ୍
ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନ୍ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ଦେଶ ନିଜର ପରମାଣୁ ଅସ୍ତ୍ର ଭଣ୍ଡାର ବୃଦ୍ଧି କରିବାରେ ପଛଘୁଞ୍ଚା ଦେବ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ସାକ୍ଷାତ ପ୍ରସ୍ତାବ ମଧ୍ୟରେ କିମ୍ ପରମାଣୁ ଅସ୍ତ୍ର ନିର୍ମାଣରେ ବ୍ୟବହୃତ...
ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନ୍ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ଦେଶ ନିଜର ପରମାଣୁ ଅସ୍ତ୍ର ଭଣ୍ଡାର ବୃଦ୍ଧି କରିବାରେ ପଛଘୁଞ୍ଚା ଦେବ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ସାକ୍ଷାତ ପ୍ରସ୍ତାବ ମଧ୍ୟରେ କିମ୍ ପରମାଣୁ ଅସ୍ତ୍ର ନିର୍ମାଣରେ ବ୍ୟବହୃତ ସାମଗ୍ରୀ ଉତ୍ପାଦନ କରୁଥିବା କାରଖାନା ପରିଦର୍ଶନ କରି ପରମାଣୁ ଅସ୍ତ୍ରଶସ୍ତ୍ରର ସଂଖ୍ୟା ଏବଂ ଶକ୍ତି ବୃଦ୍ଧି କରିବା ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।
କିମ୍ଙ୍କ ଏହି ପଦକ୍ଷେପ ସ୍ପଷ୍ଟ କରିଛି ଯେ, ଉତ୍ତର କୋରିଆ ବର୍ତ୍ତମାନ ନିଜର ପରମାଣୁ କାର୍ଯ୍ୟକ୍ରମ ସହିତ କୌଣସି ସାଲିସ୍ କରିବାକୁ ଚାହୁଁନାହିଁ।ଉତ୍ତର କୋରିଆର ସରକାରୀ ସମାଚାର ଏଜେନ୍ସି କେସିଏନଏ ଅନୁଯାୟୀ, କିମ୍ ଜଙ୍ଗ ଉନ୍ ଦୁଇଟି ପରମାଣୁ ସାମଗ୍ରୀ ଉତ୍ପାଦନ କାରଖାନା ପରିଦର୍ଶନ କରିଛନ୍ତି। ଏହି ନୂତନ କାରଖାନା ମଧ୍ୟରୁ ଗୋଟିଏ ସମ୍ପ୍ରତି କାର୍ଯ୍ୟକ୍ଷମ ହୋଇଛି, ଯେତେବେଳେ ଅନ୍ୟଟି ସମ୍ପ୍ରସାରିତ ହେଉଛି। ସରକାରୀ ଗଣମାଧ୍ୟମର ଚିତ୍ରରେ କିମ୍ ବରିଷ୍ଠ ସାମରିକ ଅଧିକାରୀଙ୍କ ସହିତ କାରଖାନାରେ ବୁଲୁଥିବା ଦେଖାଯାଉଛି।
କୌଣସି ସୂଚନା ସାର୍ବଜନୀନ କରାଯାଇ ନାହିଁ
ସେଠାରେ ୟୁରାନିୟମ୍ ସମୃଦ୍ଧ କରିବା ପାଇଁ ବ୍ୟବହୃତ ବହୁ ସଂଖ୍ୟକ ସେଣ୍ଟ୍ରିଫ୍ୟୁଜ୍ ମେସିନ୍ ସ୍ଥାପନ କରାଯାଇଛି। ଏହି ପ୍ରକ୍ରିୟା ପରମାଣୁ ଅସ୍ତ୍ରରେ ବ୍ୟବହୃତ ୟୁରାନିୟମ୍ ଉତ୍ପାଦନ ପାଇଁ ବ୍ୟବହୃତ ହୋଇଥାଏ। କିମ୍ ପରମାଣୁ ଉପକରଣ ଉତ୍ପାଦନ କେନ୍ଦ୍ର ଏବଂ ପରମାଣୁ ଗବେଷଣା ପ୍ରତିଷ୍ଠାନ ମଧ୍ୟ ପରିଦର୍ଶନ କରିଛନ୍ତି। ତେବେ ଏହି କାରଖାନାଗୁଡ଼ିକ କେଉଁଠି ରହିଛି ସେସମ୍ପର୍କରେ କୌଣସି ସୂଚନା ସାର୍ବଜନୀନ କରାଯାଇ ନାହିଁ।
ଉତ୍ତର କୋରିଆର ସୁରକ୍ଷା ପାଇଁ ବଡ଼ ବିପଦ ସୃଷ୍ଟି
କିମ୍ କହିଛନ୍ତି ଯେ, ଉତ୍ତର କୋରିଆ ନିଜର ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବୃଦ୍ଧି କରିବା ଆବଶ୍ୟକ। ଦେଶ ପରମାଣୁ ଶକ୍ତିଶାଳୀ ହେବା ଏବଂ ନିରନ୍ତର ସାମରିକ କ୍ଷମତାକୁ ସୁଦୃଢ଼ କରିବା ଏକ ବାସ୍ତବତା ଯାହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ। କିମ୍ ଅଭିଯୋଗ ଆଣିଛନ୍ତି ଯେ, ଆମେରିକା ନିଜର ସହଯୋଗୀ ଦେଶଙ୍କୁ ପରମାଣୁ ଶକ୍ତିକ୍ଷମ ହେବାରେ ସହାୟତା କରୁଛି। କତାଙ୍କ ଅନୁସାରେ, କୋରିଆ ଉପଦ୍ୱୀପ ଚାରିପାଖରେ ସାମରିକ କାର୍ଯ୍ୟକଳାପ ବୃଦ୍ଧି ହେଉଛି। ଏହା ଉତ୍ତର କୋରିଆର ସୁରକ୍ଷା ପାଇଁ ବଡ଼ ବିପଦ ସୃଷ୍ଟି କରୁଛି। କିମ୍ ଜଙ୍ଗ୍ ଉନ୍ ପରମାଣୁ ଅସ୍ତ୍ର ସଂଖ୍ୟା ବୃଦ୍ଧି କରିବା ସହିତ ଛୋଟ ପରମାଣୁ ଅସ୍ତ୍ରଶସ୍ତ୍ର ବିକଶିତ କରିବା ଉପରେ ମଧ୍ୟ ଗୁରୁତ୍ୱ କରିଛନ୍ତି। ଯୁଦ୍ଧକ୍ଷେତ୍ରରେ ସୀମିତ ସାମରିକ କାର୍ଯ୍ୟ ପାଇଁ ଏପରି ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇପାରିବ। କିମ୍ କହିଛନ୍ତି, ଏହି ଅସ୍ତ୍ରଗୁଡ଼ିକୁ ବିଭିନ୍ନ ସାମରିକ ମୋର୍ଚ୍ଚାରେ ନିୟୋଜିତ କରାଯିବ। ଦକ୍ଷିଣ କୋରିଆକୁ ସବୁଠାରୁ ବିପଦଜନକ ଶତ୍ରୁ ବୋଲି କହି ସେ କହିଛନ୍ତି ଯେ, ସୀମାର ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶକୁ ନିଜର ପ୍ରତିରକ୍ଷା ପାଇଁ ପ୍ରତ୍ୟେକ ବିକଳ୍ପ ପ୍ରସ୍ତୁତ ରଖିବାକୁ ପଡିବ।
ଚାପ ପକାଇବା ଲାଗି ଅନ୍ତର୍ଜାତୀୟ ସ୍ୱୀକୃତି
କିମ୍ ପୂର୍ବରୁ କହିସାରିଛନ୍ତି ଯେ, ଆମେରିକା ସହିତ ଆଲୋଚନା ସମ୍ଭବ, ଯଦି ଆମେରିକା ଉତ୍ତର କୋରିଆ ପ୍ରତି ନିଜର ଶତ୍ରୁତା ନୀତି ପରିବର୍ତ୍ତନ କରେ ଏବଂ ଏକ ପରମାଣୁ ଅସ୍ତ୍ରଶସ୍ତ୍ର ରାଷ୍ଟ୍ର ଭାବରେ ଗ୍ରହଣ କରିବ। ବିଶେଷଜ୍ଞଙ୍କ ମତରେ, କିମ୍ ଉତ୍ତର କୋରିଆ ବିରୋଧରେ କଟକଣା ପ୍ରତ୍ୟାହାର ପାଇଁ ଚାପ ପକାଇବା ଲାଗି ଅନ୍ତର୍ଜାତୀୟ ସ୍ୱୀକୃତି ପାଇବାକୁ ଚାହୁଁଛନ୍ତି। ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି ମୁଖ୍ୟ ରାଫେଲ ଗ୍ରୋସି ମଧ୍ୟ ଉତ୍ତର କୋରିଆର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।
ତାଙ୍କ ଅନୁସାରେ, ଦେଶର ୟୋଙ୍ଗବିୟନ୍ ପରମାଣୁ କେନ୍ଦ୍ରରେ ଥିବା ୟୁରାନିୟମ ସମୃଦ୍ଧି କାରଖାନାକୁ ବିସ୍ତାର କରାଯାଉଛି। ସମୃଦ୍ଧ ୟୁରାନିୟମ ଏବଂ ପ୍ଲୁଟୋନିୟମକୁ ପରମାଣୁ ଅସ୍ତ୍ର ତିଆରି ପାଇଁ ବ୍ୟବହାର କରାଯାଇଥାଏ। ଉତ୍ତର କୋରିଆରେ ଉଭୟ ଉତ୍ପାଦନ କରିବାର ସୁବିଧା ଅଛି। ଗତ ବର୍ଷ ଦକ୍ଷିଣ କୋରିଆର ଜଣେ ମନ୍ତ୍ରୀ ଦାବି କରିଥିଲେ ଯେ, ଉତ୍ତର କୋରିଆରେ ଚାରୋଟି ୟୁରାନିୟମ ସମୃଦ୍ଧି କାରଖାନା ନିରନ୍ତର କାର୍ଯ୍ୟ କରୁଛି। ଏପରି ପରିସ୍ଥିତିରେ, କିମ୍ଙ୍କ ସଦ୍ୟତମ ଘୋଷଣା ଅଞ୍ଚଳରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି।
What's Your Reaction?