ବିଦେଶ ଯାତ୍ରା ପାଇଁ ଦେଖାଇବାକୁ ପଡ଼ିବନି ପାସପୋର୍ଟ: ଖୁବ୍ଶୀଘ୍ର ଆରମ୍ଭ ହେବ ‘ଡିଜି ଯାତ୍ରା’ ଟ୍ରାଏଲ୍
ଘରୋଇ ବିମାନ ଯାତ୍ରୀଙ୍କ ପରେ ଏବେ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ମଧ୍ୟ ‘ଡିଜି ଯାତ୍ରା’ ସୁବିଧା ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ଦିଲ୍ଲୀ ଏବଂ ମୁମ୍ବାଇ ଭଳି ପ୍ରମୁଖ ବିମାନବନ୍ଦରରେ ଟ୍ରାଏଲ୍ ଭାବେ ଆରମ୍ଭ କରାଯାଇପାରେ ।
ବିମାନବନ୍ଦରରେ ଲମ୍ବା ଲାଇନ୍ ଏବଂ ଯାଞ୍ଚ ପ୍ରକ୍ରିୟାରୁ ମୁକ୍ତି ଦେବା ସହ ବୋର୍ଡିଂ ବ୍ୟବସ୍ଥାକୁ ସହଜ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଘରୋଇ ବିମାନ ଯାତ୍ରୀଙ୍କ ପରେ ଏବେ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ମଧ୍ୟ ‘ଡିଜି ଯାତ୍ରା’ ସୁବିଧା ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ଦିଲ୍ଲୀ ଏବଂ ମୁମ୍ବାଇ ଭଳି ପ୍ରମୁଖ ବିମାନବନ୍ଦରରେ ଟ୍ରାଏଲ୍ ଭାବେ ଆରମ୍ଭ କରାଯାଇପାରେ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିଭିନ୍ନ ସୁରକ୍ଷା ଓ ତଦନ୍ତକାରୀ ସଂସ୍ଥା ସହ ମିଶି ଏହି ଯୋଜନା ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛି ।
ଏହି ବ୍ୟବସ୍ଥା ଅଧୀନରେ ଘରୋଇ ବିମାନ ଯାତ୍ରୀଙ୍କ ଭଳି ଅନ୍ତର୍ଜାତୀୟ ଯାତ୍ରୀମାନଙ୍କୁ ମଧ୍ୟ ନିଜର ଫଟୋ, ପରିଚୟ ପତ୍ର ଓ ଅନ୍ୟାନ୍ୟ ଆବଶ୍ୟକୀୟ ତଥ୍ୟ ସିଷ୍ଟମ୍ରେ ଅପଲୋଡ୍ କରିବାକୁ ହେବ । ବାୟୋମେଟ୍ରିକ୍ ଯାଞ୍ଚ ସମ୍ପୂର୍ଣ୍ଣ ହେବା ପରେ ଯାତ୍ରୀଙ୍କୁ ଡିଜି ଯାତ୍ରା ସୁବିଧା ପ୍ରଦାନ କରାଯିବ । ପ୍ରକ୍ରିୟା ଶେଷ ହେବା ପରେ ଯାତ୍ରୀ ବିମାନବନ୍ଦରରେ ପହଞ୍ଚିବା କ୍ଷଣି ଏଣ୍ଟ୍ରି ଗେଟ୍ରେ ଲାଗିଥିବା ଫେସିଆଲ୍ ରେକଗ୍ନିସନ୍ ମେସିନ୍ ସେମାନଙ୍କ ଚେହେରା ସ୍କାନ୍ କରିବ। ଏହାପରେ ସୁରକ୍ଷା ଯାଞ୍ଚ ଶେଷ କରି ଯାତ୍ରୀ ସିଧାସଳଖ ବୋର୍ଡିଂ ଗେଟ୍କୁ ଯାଇପାରିବେ । ଇ-ପାସପୋର୍ଟ ଥିବା ଯାତ୍ରୀମାନଙ୍କ ଠାରୁ ଏହି ସୁବିଧା ପ୍ରଥମେ ଆରମ୍ଭ କରାଯିବ ।
ଏହି ସୁବିଧା ଫଳରେ ବିମାନବନ୍ଦର ପ୍ରବେଶ ଏବଂ ସୁରକ୍ଷା ଯାଞ୍ଚ ସମୟରେ ବୋର୍ଡିଂ ପାସ୍ କିମ୍ବା ପାସପୋର୍ଟର ହାର୍ଡ କପି ବାରମ୍ବାର ଦେଖାଇବାକୁ ପଡ଼ିବ ନାହିଁ । ତେବେ ଇମିଗ୍ରେସନ୍ ଯାଞ୍ଚ ପ୍ରକ୍ରିୟା ପୂର୍ବଭଳି ଜାରି ରହିବ। ସୂତ୍ର ଅନୁଯାୟୀ, ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ଦିଲ୍ଲୀ ଏବଂ ମୁମ୍ବାଇ ବ୍ୟତୀତ ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ କୋଚି ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହାର ଟ୍ରାଏଲ୍ ଆରମ୍ଭ ହୋଇପାରେ ।
What's Your Reaction?