ବିପଦରେ ସାକ୍ଷୀଗୋପାଳ ମେଡିକାଲ୍, ୮୦ ବର୍ଷର ପୁରୁଣା କୋଠାରୁ ଖସୁଛି କଂକ୍ରିଟ୍
ବିପଦରେ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର । ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏହି ମେଡିକାଲର ଛାତରୁ ଖସୁଛି କଂକ୍ରିଟ୍ । ବାଜିରେ ଶହଶହ ରୋଗୀ, ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କ ଜୀବନ । ପ୍ରତି ମୁହୂର୍ତ୍ତରେ ମୁଣ୍ଡ ଉପରେ ମୃତ୍ୟୁର ଫାଶ ।
ବିପଦରେ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର । ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏହି ମେଡିକାଲର ଛାତରୁ ଖସୁଛି କଂକ୍ରିଟ୍ । ବାଜିରେ ଶହଶହ ରୋଗୀ, ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କ ଜୀବନ । ପ୍ରତି ମୁହୂର୍ତ୍ତରେ ମୁଣ୍ଡ ଉପରେ ମୃତ୍ୟୁର ଫାଶ । ୮୦ ବର୍ଷ ତଳର ଏହି ପୁରୁଣା କୋଠାର ତଳଭାଗରୁ ପ୍ରତିଦିନ କଂକ୍ରିଟ ଖସୁଛି। ଫଳରେ ରୋଗୀ, ସେମାନଙ୍କ ସମ୍ପର୍କୀୟ, ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଛି । ଯେଉଁ କୋଠା ଦିନେ ଦୁର୍ଘଟଣାଗ୍ରସ୍ତ ଓ ଗୁରୁତର ରୋଗୀଙ୍କ ପାଇଁ ଭରସା ଥିଲା, ଏବେ ସେହି କୋଠା ଅସୁରକ୍ଷିତ ହୋଇପଡ଼ିଛି । ପୁରୁଣା କୋଠାରେ ପ୍ରସୂତି ୱାର୍ଡ, ପୁରୁଷ ୱାର୍ଡ, ଷ୍ଟାଫ୍ନର୍ସ କକ୍ଷ, ଫାର୍ମାସିଷ୍ଟ କକ୍ଷ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କକ୍ଷ ରହିଛି ।
ମୂଲ୍ୟବାନ ଯନ୍ତ୍ରପାତି ମଧ୍ୟ ଏଠାରେ ରହିଛି । ଛାତର ବିଭିନ୍ନ ସ୍ଥାନରୁ କଂକ୍ରିଟ ଖସିବା ସହ ପାଣି ପଶୁଥିବାରୁ କୋଠାର ସ୍ଥିତି ଦିନକୁ ଦିନ ଖରାପ ହେଉଛି । ଏଭଳି ପରିସ୍ଥିତିରେ ଡାକ୍ତର ଓ କର୍ମଚାରୀଙ୍କ ସହ ଚିକିତ୍ସା ପାଇଁ ଆସୁଥିବା ଲୋକଙ୍କ ମୁଣ୍ଡ ଉପରେ ବିପଦ ଝୁଲୁଛି । ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଧିକାରୀ ଡାକ୍ତର ଦେବାଶିଷ ନାୟକ କହିଛନ୍ତି, ପୁରୁଣା କୋଠାର ଦୁରବସ୍ଥା ସମ୍ପର୍କରେ ବିଭାଗ ଓ ସରକାରଙ୍କୁ ବାରମ୍ବାର ଲିଖିତ ଭାବେ ଅବଗତ କରାଯାଇଛି । କିନ୍ତୁ କେହି ଶୁଣୁନାହାନ୍ତି । ଡାକ୍ତର, ସ୍ବାସ୍ଥ୍ୟକର୍ମୀ କିମ୍ବା ରୋଗୀଙ୍କ ପ୍ରତି କୌଣସି ଅଘଟଣ ଘଟିଲେ ଏଥିପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି ।
What's Your Reaction?