ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ହରମନପ୍ରୀତଙ୍କ ବଡ଼ ନିଷ୍ପତ୍ତି, ସବୁ ଫର୍ମାଟର ଅଧିନାୟକ ପଦରୁ ଦେଲେ ଇସ୍ତଫା
ଆଜି ମୁଁ କ୍ୟାପଟେନ୍ସି ଛାଡ଼ୁଥିବା ବେଳେ ମୋ ହୃଦୟ ଅନେକ ଭାବନାରେ ଭରିଯାଇଛି। କିନ୍ତୁ ଏହା ସହିତ ଏକ ଆତ୍ମସନ୍ତୋଷ ମଧ୍ୟ ରହିଛି। କାରଣ ମୋର ସତରେ ବିଶ୍ୱାସ ଅଛି ଯେ ମୋ ଟିମ୍ ଏକ ଭଲ ସ୍ଥାନରେ ଅଛି। ଏହି ଟିମ୍ରେ ପ୍ରତିଭା ଅଛି, ଚରିତ୍ର ଅଛି, ବିଶ୍ୱାସ ଅଛି ଏବଂ ଏମିତି ଏକ ଭବିଷ୍ୟତ ଅଛି, ଯାହାକୁ ଦେଖିବା ଏବଂ ଯାହାର ଅଂଶ ହୋଇ ରହିବା ପାଇଁ ମୁଁ ବେଶ୍ ଉତ୍ସାହିତ।
ନିଜ ନେତୃତ୍ୱରେ ଭାରତକୁ ୨୦୨୫ର ବିଶ୍ୱକପ୍ ଜିତାଇଥିବା ଦିଗ୍ଗଜ କ୍ରିକେଟର ହରମନପ୍ରୀତ କୌର ଭାରତୀୟ ମହିଳା ଟିମ୍ର କ୍ୟାପଟେନ୍ସି ପଦ ଛାଡ଼ିଛନ୍ତି। ଏଣିକି ସେ କୌଣସି ଫର୍ମାଟ୍ରେ ମଧ୍ୟ ଦଳର ନେତୃତ୍ୱ ନେବେ ନାହିଁ। ନିକଟରେ ହରମନପ୍ରୀତଙ୍କ ନେତୃତ୍ୱରେ ଭାରତ ଲଗାତାର ଦ୍ୱିତୀୟ ଥର ଏସିଆନ୍ ଗେମ୍ସର ମହିଳା କ୍ରିକେଟ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲା।
ମିତାଲି ରାଜଙ୍କ ପରେ ହରମନପ୍ରୀତ କୌରଙ୍କୁ ଭାରତୀୟ ମହିଳା ଦଳର ନେତୃତ୍ୱ ଦାୟିତ୍ୱ ମିଳିଥିଲା। ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଲମ୍ବା ପୋଷ୍ଟ ଲେଖି ହରମନପ୍ରୀତ କହିଛନ୍ତି: “ଆଜି ମୁଁ ଭାରତୀୟ ମହିଳା କ୍ରିକେଟ୍ ଟିମ୍ର ସମସ୍ତ ଫର୍ମାଟ୍ର କ୍ୟାପଟେନ୍ସି ଛାଡ଼ୁଛି। ଏହି ନିଷ୍ପତ୍ତି ମୋ ପାଇଁ ସହଜ ନଥିଲା। ଏହା ସହିତ ଅନେକ ବର୍ଷର ସ୍ମୃତି, ଭାବନା, ତ୍ୟାଗ ଏବଂ ଏମିତି ଅନେକ ମୁହୂର୍ତ୍ତ ଜଡ଼ିତ ଅଛି, ଯାହା ସାରା ଜୀବନ ମୋ ସହିତ ରହିବ। ମୁଁ ଏହି ଟିମ୍ ଏବଂ ଭାରତୀୟ ମହିଳା କ୍ରିକେଟ୍ ପାଇଁ ମୋର ସବୁକିଛି ଦେଇଛି। ମୋର ରକ୍ତ, ଝାଳ, ସମୟ ଏବଂ ଅନେକ ଥର ମୋ ଖେଳ ସହିତ ବ୍ୟକ୍ତିଗତ ଆକାଂକ୍ଷାକୁ ମଧ୍ୟ ପଛରେ ରଖିଛି। ଏମିତି ଅନେକ ସୁଯୋଗ ଆସିଛି, ଯେତେବେଳେ ମୋତେ ନିଜ ବ୍ୟକ୍ତିଗତ ପ୍ରଦର୍ଶନକୁ ପଛରେ ରଖିବାକୁ ପଡ଼ିଛି। କାରଣ ମୋର ବିଶ୍ୱାସ ଥିଲା ଯେ ଦଳ ସର୍ବପ୍ରଥମ।
ଜଣେ କ୍ୟାପଟେନ୍ ଭାବେ ମୋତେ ଅନେକ କଠିନ ନିଷ୍ପତ୍ତି ନେବାକୁ ପଡ଼ିଛି। ଏଭଳି ନିଷ୍ପତ୍ତି, ଯାହାକୁ ସବୁବେଳେ ବୁଝାଯାଇନଥିଲା, ଯାହା ସବୁବେଳେ ସହଜ ନଥିଲା ଏବଂ କେତେବେଳେ ଯାହାର ବ୍ୟକ୍ତିଗତ ମୂଲ୍ୟ ମଧ୍ୟ ମୋତେ ଦେବାକୁ ପଡ଼ିଛି। କିନ୍ତୁ ମୁଁ ଯାହା ବି ନିଷ୍ପତ୍ତି ନେଇଛି, ତା’ ପଛରେ କେବଳ ଗୋଟିଏ ଉଦ୍ଦେଶ୍ୟ ଥିଲା—ଏହି ଟିମ୍କୁ ଆହୁରି ଭଲ କରିବା ଏବଂ ଅନ୍ୟ ଖେଳାଳିଙ୍କୁ ଆଗକୁ ବଢ଼ିବା, ନିଜ ଉପରେ ବିଶ୍ୱାସ ରଖିବା ଏବଂ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାର ସୁଯୋଗ ଦେବା।
ମୁଁ ସବୁକିଛି ଦେଖିଛି। ମୁଁ ସବୁଠାରୁ ଖରାପ ସମୟ ଦେଖିଛି, ହୃଦୟ ଭାଙ୍ଗିଦେବା ଭଳି ମୁହୂର୍ତ୍ତ ଦେଖିଛି, ସମାଲୋଚନା ଓ ସନ୍ଦେହର ସାମ୍ନା କରିଛି। ଏମିତି ଦିନ ମଧ୍ୟ ଆସିଛି, ଯେତେବେଳେ କିଛି ବି ଆମ ସପକ୍ଷରେ ଯାଉନଥିଲା। କିନ୍ତୁ ମୁଁ ସବୁଠାରୁ ଉଚ୍ଚ ସଫଳତାର ମୁହୂର୍ତ୍ତ ମଧ୍ୟ ଅନୁଭବ କରିଛି—ବିଜୟ, ଉତ୍ସବ, ନିଜ ଦେଶର ପ୍ରତିନିଧିତ୍ୱ କରିବାର ଗର୍ବ ଏବଂ ଏମିତି ଅନେକ ମୁହୂର୍ତ୍ତ, ଯେଉଁଗୁଡ଼ିକ ପ୍ରତ୍ୟେକ ତ୍ୟାଗକୁ ସାର୍ଥକ କରିଦେଇଛି।
ଆଜି ମୁଁ କ୍ୟାପଟେନ୍ସି ଛାଡ଼ୁଥିବା ବେଳେ ମୋ ହୃଦୟ ଅନେକ ଭାବନାରେ ଭରିଯାଇଛି। କିନ୍ତୁ ଏହା ସହିତ ଏକ ଆତ୍ମସନ୍ତୋଷ ମଧ୍ୟ ରହିଛି। କାରଣ ମୋର ସତରେ ବିଶ୍ୱାସ ଅଛି ଯେ ମୋ ଟିମ୍ ଏକ ଭଲ ସ୍ଥାନରେ ଅଛି। ଏହି ଟିମ୍ରେ ପ୍ରତିଭା ଅଛି, ଚରିତ୍ର ଅଛି, ବିଶ୍ୱାସ ଅଛି ଏବଂ ଏମିତି ଏକ ଭବିଷ୍ୟତ ଅଛି, ଯାହାକୁ ଦେଖିବା ଏବଂ ଯାହାର ଅଂଶ ହୋଇ ରହିବା ପାଇଁ ମୁଁ ବେଶ୍ ଉତ୍ସାହିତ।
ମୋତେ ଲାଗୁଛି ଯେ ମୁଁ ମୋର କର୍ତ୍ତବ୍ୟ ପୂରଣ କରିଛି। ମୁଁ ଏହି ଟିମ୍କୁ ମୋର ସବୁକିଛି ଦେଇଛି। ମୁଁ ଏହି ଦାୟିତ୍ୱକୁ ଗର୍ବର ସହିତ ତୁଲାଇଛି ଏବଂ ଭାରତୀୟ ମହିଳା କ୍ରିକେଟ୍ ଟିମ୍ର ନେତୃତ୍ୱ ନେବାର ସୁଯୋଗ ପାଇଥିବାରୁ ମୁଁ ସବୁବେଳେ କୃତଜ୍ଞ ରହିବି।
ଏବେ ମୋ ପାଇଁ ନୂଆ ପୃଷ୍ଠା ଖୋଲିବାର ସମୟ। ଆଜି କ୍ୟାପଟେନ୍ସି ଶେଷ ହୋଇପାରେ, କିନ୍ତୁ ଭାରତୀୟ କ୍ରିକେଟ୍ ପ୍ରତି ମୋର ଭଲପାଇବା କେବେ ବି ଶେଷ ହେବ ନାହିଁ। ପ୍ରତ୍ୟେକ ସାଥୀ ଖେଳାଳି, କୋଚ୍, ସପୋର୍ଟ ଷ୍ଟାଫ୍, ମ୍ୟାନେଜମେଣ୍ଟ, ବିସିସିଆଇ, ପରିବାର ସଦସ୍ୟ ଏବଂ ସେହି ପ୍ରତ୍ୟେକ ପ୍ରଶଂସକଙ୍କୁ ଧନ୍ୟବାଦ, ଯେଉଁମାନେ ଭଲ ଓ ଖରାପ ସମୟରେ ମୋ ସହିତ ଛିଡ଼ା ହୋଇଥିଲେ।
What's Your Reaction?