ଭାରତ ଉପରେ ୧୦୦% ଶୁଳ୍କ ଲାଗୁ ନେଇ କୌଶଳ: ଟ୍ରମ୍ପଙ୍କ ଦୋମୁହାଁ ନୀତିର ପର୍ଦ୍ଦାଫାସ କଲେ ପୂର୍ବତନ ଆମେରିକୀୟ ଅଧିକାରୀ
ଆମେରିକାର ପୂର୍ବତନ ଉପ-ସହକାରୀ ବୈଦେଶିକ ସଚିବ ଇଭାନ୍ ଏ. ଫିଗେନବାଉମ୍ ଏହି ନୀତିକୁ ଟ୍ରମ୍ପ ପ୍ରଶାସନର ଏକ ସ୍ପଷ୍ଟ “ଦୋମୁହାଁ ମାନଦଣ୍ଡ” ଓ କପଟତା ବୋଲି ଅଭିହିତ କରିଛନ୍ତି ।
ରୁଷଠାରୁ ଅଶୋଧିତ ତୈଳ କିଣିବା କାରଣରୁ ଭାରତ ଭଳି ରାଷ୍ଟ୍ର ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ଧମକକୁ ନେଇ ଏବେ ନିଜ ଦେଶରେ ହିଁ ତୀବ୍ର ସମାଲୋଚନା ଆରମ୍ଭ ହୋଇଛି । ଆମେରିକାର ପୂର୍ବତନ ଉପ-ସହକାରୀ ବୈଦେଶିକ ସଚିବ ଇଭାନ୍ ଏ. ଫିଗେନବାଉମ୍ ଏହି ନୀତିକୁ ଟ୍ରମ୍ପ ପ୍ରଶାସନର ଏକ ସ୍ପଷ୍ଟ “ଦୋମୁହାଁ ମାନଦଣ୍ଡ” ଓ କପଟତା ବୋଲି ଅଭିହିତ କରିଛନ୍ତି ।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X)ରେ ମତ ରଖି ଫିଗେନବାଉମ୍ କହିଛନ୍ତି ଯେ, ଗୋଟିଏ ପଟେ ରୁଷୀୟ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦% ଶୁଳ୍କ ଲାଗୁ କରିବା ପାଇଁ ଆମେରିକା ନୂତନ ପ୍ରତିବନ୍ଧକ ଆଇନ ପ୍ରଣୟନ କରିଛି। କିନ୍ତୁ ଅନ୍ୟପଟେ ରାଷ୍ଟ୍ରପତି ଟ୍ରମ୍ପ ନିଜେ ମସ୍କୋର ସବୁଠାରୁ ଘନିଷ୍ଠ ସହଯୋଗୀ ତଥା ରୁଷୀୟ ପ୍ରକ୍ସି ରାଷ୍ଟ୍ର ବେଲାରୁଷରୁ ଶସ୍ତାରେ ପୋଟାସ୍ (Potash) ସାର କିଣିବାକୁ ଏକ ବଡ଼ ଚୁକ୍ତି କରୁଛନ୍ତି। ବେଲାରୁଷ ରାଷ୍ଟ୍ରପତି ଆଲେକ୍ଜାଣ୍ଡାର୍ ଲୁକାସେଙ୍କୋ ୟୁକ୍ରେନ ଯୁଦ୍ଧରେ ରୁଷକୁ ପ୍ରତ୍ୟକ୍ଷ ଭାବେ ସମର୍ଥନ କରୁଥିବା ସତ୍ତ୍ୱେ ଆମେରିକା ନିଜର ଆର୍ଥିକ ଲାଭ ପାଇଁ ତାହା ସହ ବ୍ୟବସାୟ ବଢ଼ାଉଛି, ଯାହା ୱାସିଂଟନର ଦୋମୁହାଁ ଚରିତ୍ରକୁ ସ୍ପଷ୍ଟ ପ୍ରମାଣିତ କରୁଛି। ତେଲ ବ୍ୟତୀତ ଆମେରିକା ନିଜେ ମଧ୍ୟ ରୁଷରୁ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ କ୍ରୟ କରୁଥିବା ସେ ଉଲ୍ଲେଖ କରିଛନ୍ତି ।
ଏହା ବ୍ୟତୀତ ଚୀନ୍ ସହିତ ବାଣିଜ୍ୟ କାରବାର ନେଇ ମଧ୍ୟ ସେ ଟ୍ରମ୍ପଙ୍କ ନୀତି ଉପରେ କଟାକ୍ଷ କରିଛନ୍ତି। ଆମେରିକା ନିଜେ ଚୀନ୍ ସହିତ ବିଲିୟନ ଡଲାରର ବାଣିଜ୍ୟ କରୁଛି ଏବଂ ଆମେରିକା ଭିତରେ ଚୀନ୍ କାର୍ କାରଖାନା ପ୍ରତିଷ୍ଠା ନେଇ ବିଚାର କରୁଛି; କିନ୍ତୁ ଅନ୍ୟ ରାଷ୍ଟ୍ରମାନେ ଚୀନ୍ ସହ ବ୍ୟବସାୟିକ ସମ୍ପର୍କ ରଖିଲେ ତାହା ଉପରେ ଆପତ୍ତି ଉଠାଉଛି। ଫିଗେନବାଉମ୍ ସତର୍କ କରାଇଛନ୍ତି ଯେ ଅନ୍ୟ ଦେଶକୁ ମନା କରି ନିଜେ ବିପରୀତ କାର୍ଯ୍ୟ କରିବା ତଥା ପୂର୍ବ ନିର୍ଦ୍ଧାରିତ ବ୍ୟବସାୟିକ ଚୁକ୍ତିରୁ ଓହରିଯିବା ନୀତି ବିଶ୍ୱ ଦରବାରରେ ଆମେରିକାର ବିଶ୍ୱସନୀୟତା ଓ ଭାବମୂର୍ତ୍ତିକୁ ଗଭୀର ଭାବେ କ୍ଷତି ପହଞ୍ଚାଇବ ।
ଚଳିତ ମାସରେ ସ୍ୱାକ୍ଷରିତ ନୂଆ ଆମେରିକୀୟ ଆଇନ ଅନୁଯାୟୀ, ରୁଷ ଏବଂ ଇରାନଠାରୁ ତେଲ ଓ ଗ୍ୟାସ୍ ଆମଦାନୀ କରୁଥିବା ରାଷ୍ଟ୍ରଗୁଡ଼ିକ ଉପରେ ରାଷ୍ଟ୍ରପତି ୧୦୦% ପର୍ଯ୍ୟନ୍ତ ଦଣ୍ଡାତ୍ମକ ଶୁଳ୍କ ଲଗାଇପାରିବେ। ଏହି ଆଇନର ମୁଖ୍ୟ ପ୍ରଭାବ ରୁଷୀୟ ଶକ୍ତିର ପ୍ରମୁଖ କ୍ରେତା ଭାରତ ଏବଂ ଚୀନ୍ ଉପରେ ପଡ଼ିବାର ଆଶଙ୍କା ରହିଛି ।
What's Your Reaction?