ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆଜି ଦେଶ ପାଳୁଛି ୭୮ତମ ସ୍ୱାଧୀନତା ଦିବସ। ସବୁଠି ସ୍ୱତନ୍ତ୍ରତାର ଏହି ଦିନକୁ ନେଇ ଦେଖାଦେଇଛି  ଉତ୍ସାହର ମାହୋଲ ।ଏହି ଅବସରରେ ଲଗାତାର ୧୧ତମ ଥର ପାଇଁ ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜବାହରଲାଲ ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କ ପରେ ସେ ତୃତୀୟ ପ୍ରଧାନମନ୍ତ୍ରୀ ଭାବେ କ୍ରମାଗତ ୧୧ଥର ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ କରିଛନ୍ତି ସମ୍ବୋଧିତ  ।ବିକଶିତ ଭାରତ ଗଠନ ପାଇଁ ସରକାର କିପରି କାମ କରୁଛନ୍ତି ତାହା ଦେଶବାସୀଙ୍କୁ କହିଛନ୍ତି ମୋଦୀ । ସେ ଆହୁରି କହିଛନ୍ତି ଯେ, ବିକଶିତ ଭାରତ କେବଳ ଏକ ଭାଷଣର ଶବ୍ଦ ନୁହେଁ । ସରକାର ଏନେଇ କଠୋର ପରିଶ୍ରମ କରୁଛନ୍ତି । ବିକଶିତ ଭାରତ ଗଠନ ପାଇଁ ଦେଶର କୋଟି କୋଟି ନାଗରିକଙ୍କର ମତ ନିଆଯାଉଛି ।  ୨୦୪୭ ସୁଦ୍ଧା ବିକଶିତ ଦେଶରେ ପରିଗଣିତ ହେବ ଭାରତ । ସ୍ବାଧୀନତା ସଂଗ୍ରାମୀମାନେ ଅନେକ ବଳିଦାନ ଦେଇ ଦେଶକୁ ସ୍ୱାଧୀନ କରିଛନ୍ତି । ଏବେ ୧୪୦ କୋଟି ଜନତା ଦେଶକୁ ବିକଶିତ କରିପାରିବେ ବୋଲି ଲାଲକିଲ୍ଲାରୁ କହିଛନ୍ତି ପ୍ରଧାନମନ୍ତ୍ରୀ ।ସେ ଆହୁରି କହିଛନ୍ତି ଯେ, ଏବେ ଡାକ୍ତରୀ ପାଠ ପଢ଼ିବାକୁ ଆଉ ବିଦେଶ ନଯାଇ ନିଜ ଦେଶରେ ହିଁ ପାଠ ପଢ଼ିପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ୫ ବର୍ଷ ମଧ୍ୟରେ ଦେଶରେ ସୃଷ୍ଟି କରାଯିବ  ୭୫ ହଜାର ନୂଆ ମେଡିକାଲ ଆସନ। ସେହିପରି ୟୁନିଫର୍ମ ସିଭିଲ କୋର୍ଡ ଲାଗୁ କରିବା ଉପରେ ଗୁରୁତ୍ୱ ଦେବାସହ ୭୫ ବର୍ଷରୁ ଅଧିକ ଧାର୍ମିକ ପାତରଅନ୍ତରୁ ଦେଶକୁ ମୁକ୍ତ କରି ଏକକ ଆଇନ ଲାଗୁ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ।କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ମାମଲାରେ ବର୍ଷି  ମୋଦୀ କହିଛନ୍ତି ଯେ,ଅପରାଧ ରୋକିବାକୁ ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବା ଉଚିତ । ସେପଟେ ବାଂଲାଦେଶ ସ୍ଥିତିକୁ ନେଇ ମଧ୍ଯ ଚିନ୍ତା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ୨୦୩୬ରେ ଅଲିମ୍ପିକ୍ସ ଭାରତରେ ଆୟୋଜିତ ହେଉ, ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ବୋଲି ଘୋଷଣା କରିଛନ୍ତି ମୋଦୀ । ଏହାସହ ପ୍ୟାରିସରେ ଅଲିମ୍ପିକ୍ସ ପଦକ ହାସଲ କରିଥିବା ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଆସନ୍ତା ପାରାଅଲିମ୍ପିକ୍ସ ପାଇଁ ଖେଳାଳିଙ୍କୁ ଶୁଭକାମନା ଜଣାଇଛନ୍ତି ମୋଦୀ ।