ସୀମା ପୁନଃନିର୍ଦ୍ଧାରଣ ବିଲକୁ ନେଇ କେନ୍ଦ୍ର ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍

Nov 21, 2026 - 14:43
ସୀମା ପୁନଃନିର୍ଦ୍ଧାରଣ ବିଲକୁ ନେଇ କେନ୍ଦ୍ର ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍

ସଂସଦର ମୌସୁମୀ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେବାର ୧୦୦ ଦିନ ବିତିଯାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ସୀମା ପୁନଃନିର୍ଦ୍ଧାରଣ ବିଲ୍ ପାରିତ କରିବା ପାଇଁ ଦୁଇ-ତୃତୀୟାଂଶ ବହୁମତ ହାସଲ... 

 ସଂସଦର ମୌସୁମୀ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେବାର ୧୦୦ ଦିନ ବିତିଯାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ସୀମା ପୁନଃନିର୍ଦ୍ଧାରଣ ବିଲ୍ ପାରିତ କରିବା ପାଇଁ ଦୁଇ-ତୃତୀୟାଂଶ ବହୁମତ ହାସଲ କରିବାକୁ ପ୍ରୟାସ ଜାରି ରଖିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଶନିବାର କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ''ଏକ୍ସ''ରେ ଏକ ପୋଷ୍ଟ କରି କେନ୍ଦ୍ର ସରକାରଙ୍କ ଏହି ଆଭିମୁଖ୍ୟକୁ ସମାଲୋଚନା କରିବା ସହ ''ବିକଶିତ ଭାରତ'' ଲକ୍ଷ୍ୟ ହାସଲ ହେବା ପର୍ଯ୍ୟନ୍ତ ବର୍ତ୍ତମାନର ଲୋକସଭା ଆସନ ସଂଖ୍ୟା ଏବଂ ରାଜ୍ୟୱାରୀ ସଂରଚନାକୁ ଅପରିବର୍ତ୍ତିତ ରଖିବାକୁ ପ୍ରସ୍ତାବ ଦେଇଛନ୍ତି।

ଜୟରାମ ରମେଶ ନିଜ ପୋଷ୍ଟରେ କହିଛନ୍ତି ଯେ, ୨୦୨୬ ମୌସୁମୀ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେବାର ଆଜି ଶହେତମ ଦିନ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଧିବେଶନର ସମାପ୍ତି ଘୋଷଣା କରାଯାଇ ନାହିଁ। ଗତ ଏପ୍ରିଲ ୧୭ ତାରିଖରେ ପୁରୁଣା ସୀମା ପୁନଃନିର୍ଦ୍ଧାରଣ ସମ୍ବିଧାନ ସଂଶୋଧନ ବିଲ୍ ପରାଜିତ ହେବା ପରେ ନୂଆ ବିଲରେ କ’ଣ ରହିବ ତାହା କାହାରିକୁ ଜଣା ନାହିଁ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀଙ୍କୁ ଚାରିଥର ଚିଠି ଲେଖିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ସର୍ବଦଳୀୟ ବୈଠକ ଡକାଯାଇ ନାହିଁ କିମ୍ବା କୌଣସି ରାଜନୈତିକ ଦଳ ସହ ଏନେଇ ଗମ୍ଭୀର ଆଲୋଚନା ହୋଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। 

ଅର୍ଥନୈତିକ ସ୍ଥିତିକୁ ନେଇ ଗମ୍ଭୀର ଚିନ୍ତା ପ୍ରକଟ
ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କ ନିଷ୍ପତ୍ତିକୁ ମନେପକାଇ ରମେଶ କହିଛନ୍ତି ଯେ, ଦେଶ ସମ୍ମୁଖରେ ବର୍ତ୍ତମାନ ଅନେକ ଗୁରୁତର ଅର୍ଥନୈତିକ, ରାଜନୈତିକ, ସାମାଜିକ ଏବଂ ବୈଦେଶିକ ନୀତି ସମ୍ବନ୍ଧୀୟ ଆହ୍ୱାନ ରହିଥିବାରୁ ସୀମା ପୁନଃନିର୍ଦ୍ଧାରଣ ଭଳି ଦୂରଗାମୀ ପ୍ରସଙ୍ଗକୁ ସ୍ଥଗିତ ରଖାଯାଇପାରିବ। ୧୯୭୬ ମସିହାରେ ଇନ୍ଦିରା ଗାନ୍ଧୀ ଏହାକୁ ୨୫ ବର୍ଷ ପାଇଁ ସ୍ଥଗିତ ରଖିଥିଲେ ଏବଂ ପରବର୍ତ୍ତୀ ସମୟରେ ୨୦୦୧ ମସିହାରେ ଅଟଳ ବିହାରୀ ବାଜପେୟୀ ମଧ୍ୟ ୨୦୨୬ ପରବର୍ତ୍ତୀ ପ୍ରଥମ ଜନଗଣନା ରିପୋର୍ଟ ପ୍ରକାଶ ପାଇବା ପର୍ଯ୍ୟନ୍ତ ଅର୍ଥାତ୍ ଆଉ ୨୫ ବର୍ଷ ପାଇଁ ଏହାକୁ ଘୁଞ୍ଚାଇ ଦେଇଥିଲେ।

ଗତ ନଭେମ୍ବର ୧୯ ତାରିଖରେ ‘ଫିକି’ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଦେଶର ଅର୍ଥନୈତିକ ସ୍ଥିତିକୁ ନେଇ ଗମ୍ଭୀର ଚିନ୍ତା ପ୍ରକଟ କରିଥିବା ପ୍ରସଙ୍ଗ ଉଠାଇ କଂଗ୍ରେସ ନେତା କହିଛନ୍ତି ଯେ, ସୀମା ପୁନଃନିର୍ଦ୍ଧାରଣ ଭଳି ସମ୍ବେଦନଶୀଳ ବିଷୟରେ ବିତର୍କ ପାଇଁ ଶାନ୍ତ ମସ୍ତିଷ୍କ ଏବଂ ବିଭିନ୍ନ ପକ୍ଷଙ୍କ ସହ ବ୍ୟାପକ ପରାମର୍ଶର ଆବଶ୍ୟକତା ରହିଛି। ତେଣୁ ବର୍ତ୍ତମାନର ପରିସ୍ଥିତିରେ ମହିଳାମାନଙ୍କ ପାଇଁ ଏକ-ତୃତୀୟାଂଶ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ସହ ବର୍ତ୍ତମାନର ଲୋକସଭା ଆସନ ସଂଖ୍ୟାକୁ ''ବିକଶିତ ଭାରତ'' ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ସ୍ଥିର ରଖିବା ହିଁ ଦେଶହିତରେ ହେବ ବୋଲି ଜୟରାମ ରମେଶ ମତ ଦେଇଛନ୍ତି

What's Your Reaction?

like

dislike

love

funny

angry

sad

wow