ଅରବିନ୍ଦ ନିଲମ୍ବନର କାରଣ ସ୍ପଷ୍ଟ କଲେହିଁ ଥମିଯିବ ବିଦ୍ରୋହ

Jan 27, 2026 - 12:11
Jan 27, 2026 - 13:53
 0  102
ଅରବିନ୍ଦ ନିଲମ୍ବନର କାରଣ ସ୍ପଷ୍ଟ କଲେହିଁ ଥମିଯିବ ବିଦ୍ରୋହ

ନିର୍ବାଚନ ପୂର୍ବରୁ ସମସ୍ତଙ୍କୁ ଚକିତ କରି ନବୀନ ଚିରଶତ୍ରୁ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦଙ୍କୁ ସାମିଲ କଲେ ବିଜେଡିରେ I ବିଜୟ ମଧ୍ୟ ପୁରୁଣା ଅପମାନ ଭୁଲିଯାଇ ପୁଅକୁ ସମର୍ପି ଦେଲେ ନବୀନଙ୍କ ହାତରେ l ତଥାପି କେତେକ ପୁରୁଖା, ଅଭିଜ୍ଞ ଲୋକ ଏସବୁ କାରବାରକୁ ଦେଖିଲେ ସନ୍ଦେହ ଚକ୍ଷୁରେ l 

୨000 ମସିହାରେ ବିଜେଡି ମୁଖିଆ  ବିଜୟଙ୍କ ଭାଗ୍ୟକୁ ବାମ କରି ଦେଇଥିଲେ ବୋଲି ବହୁ ଚର୍ଚ୍ଚା ହେଲା l କିଛି ଲୋକ ଦୁଃଖ କଲେ ; କିନ୍ତୁ ବହୁ ଲୋକ ଖୁସି ପ୍ରକଟ କଲେ l କାରଣ ବିଜୟ ବାବୁ ବିଜୁ ବାବୁଙ୍କର ମନ୍ତ୍ରୀମଣ୍ଡଳରେ ଥିଲେ ଆତ୍ମଘୋଷିତ ଦ୍ଵିତୀୟ କ୍ଷମତା କେନ୍ଦ୍ର l ବିଜୁ ବାବୁଙ୍କର ଅଜସ୍ର ଶ୍ରଦ୍ଧା ଏବଂ ଅତୁଟ ବିଶ୍ୱାସର ସୁଯୋଗ ନେଇ ବିଜୟ ବାବୁ ପ୍ରାୟତଃ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ନେଉଥିଲେ ବା ବିଜୁ ବାବୁଙ୍କୁ ପ୍ରବର୍ତ୍ତାଇ ଅତି ସହଜରେ କରାଇ ନେଉଥିଲେ l ଜଳ ସମ୍ପଦ ଭଳି ପ୍ରଚୁର ପଇସା ଥିବା ବିଭାଗର ମନ୍ତ୍ରୀ ନିଜ ଇଛାରେ ହୋଇ ଯାଇ କୁଆଡ଼େ ଅମାପ ସମ୍ପତ୍ତି ଠୁଳ କରିଥିଲେ ବୋଲି ସେବେଳର ଜାଣିବା ଶୁଣିବା ଲୋକେ ଏବେ ଵି କହୁଛନ୍ତି l ପଇସା, ବିଜୁ ବାବୁଙ୍କର ଶ୍ରଦ୍ଧା ଆଉ ବିଶ୍ୱାସ ଇତ୍ୟାଦି ଯୋଗୁ ବିଜୟ ମହାପାତ୍ର ହୋଇ ଯାଇଥିଲେ ଜନତା ଦଳ ସରକାରର ସର୍ବେସର୍ବା l ସାଧାରଣ ପ୍ରଶାସନ, ପୋଲିସ ବଳ ତଥା ଅନ୍ୟ ମନ୍ତ୍ରୀ ମାନଙ୍କ ଉପରେ ସମ୍ପୂର୍ଣ୍ଣ କତୃତ୍ୱ ଜାହିର କରିବା ଜଳ ଜଳ ହୋଇ ଦିଶୁଥିଲା l କ୍ରମଶଃ ବିଜୟ ମହାପାତ୍ରଙ୍କର ଔଦ୍ଧତ୍ୟ ମଧ୍ୟ ବଢ଼ି ଚାଲିଲା l ଯାହା ଚାହିଁଲେ ତାହା କଲେ l କିନ୍ତୁ ସେସବୁ ଭିତରେ ଏଭଳି ଗୋଟିଏ ମସ୍ତବଡ଼ ଭୁଲଟିଏ କରି ଚାଲିଲେ ଯାହାକି ପର କାଳରେ ତାଙ୍କର ଜୀବନମୋଡ଼ ପୁରା ଓଲଟାଇ ଦେଲା ଯାହାକି ଲୋକେ ଜାଣିଛନ୍ତି l ଅତି ଜ୍ଞାନୀ, ଗୁଣୀ ତଥା ସୁଦକ୍ଷ ପ୍ରଶାସକ ପ୍ୟାରୀ ମହାପାତ୍ରଙ୍କୁ ବିଜୁ ବାବୁବସାଇଥିଲେ ନିଜର ବ୍ୟକ୍ତିଗତ ସଚିବ ପଦରେ l ସାଧାରଣ ବିଧାୟକ ମନ୍ତ୍ରୀମାନେ ପ୍ୟାରିବାବୁଙ୍କ ଅନୁମତି ବିନା ପଶି ପାରୁନଥିଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠକୁ l କିନ୍ତୁ ବିଜୟ ମହାପାତ୍ର ଦୃଶ୍ୟମାନ ଭାବରେ ଅମାନ୍ୟ କରୁଥିଲେ ପ୍ୟାରୀ ବାବୁଙ୍କୁ l ବିଶେଷ କରି ଯେହେତୁ ବିଜୁ ବାବୁ ତାଙ୍କୁ ଅତ୍ୟଧିକ ଭାବରେ ଭଲ ପାଇବା ସହ ତାଙ୍କର ପୁଞ୍ଜି ସଂଗ୍ରହ ଦକ୍ଷତାକୁ ଅତି ଉଚ୍ଚକୋଟୀର ବୋଲି ବିବେଚିତ କରୁଥିଲେ, ପ୍ୟାରୀ ବାବୁଙ୍କୁ ବିଜୟ ମହାପାତ୍ରଙ୍କ ସାମ୍ନାରେ ସ୍ୱତନ୍ତ୍ର ସୁରକ୍ଷା ପ୍ରଦାନ ଦେଖିବାକୁ ମିଳୁ ନଥିଲା ବୋଲି କହିଲେ ଭୁଲ ହେବନାହିଁ l ଏସବୁ ଅସହ୍ୟ କାରବାରକୁ ଗୋଟ ଗୋଟି କରି ମନେ ରଖି ଉଚିତ ସମୟରେ ବିଜୟ ବାବୁଙ୍କୁ ଶିକ୍ଷା ଦେବାର ଅଭିଳାଷକୁ ଜୀବନ୍ତ ରଖିଥିଲେ ପ୍ୟାରୀl ୨000 ମସିହାରେ ଦେବାଶିଷ ନାୟକଙ୍କ ମୂଳ ପ୍ରସ୍ତାବରେ ବିଜୁଙ୍କ ସହଧର୍ମିଣୀ ଜ୍ଞାନ ପଟ୍ଟନାୟକ ପ୍ୟାରୀ ବାବୁଙ୍କୁ ଅବସ୍ଥାପିତ କରାଇଲେ ନବୀନ ବାବୁଙ୍କର ରାଜନୈତିକ ଉପଦେଷ୍ଟା ତଥା ମାର୍ଗଦର୍ଶକ ପଦବୀରେ l ବିଲେଇ ମୁଣ୍ଡରେ ଶିକା ଛିଡ଼ିଲା ଭଳି ସୁଯୋଗ ମିଳିଗଲା ପ୍ୟାରୀ ବାବୁଙ୍କୁ l ସେତେବେଳକୁ ବିଜୟ ମହାପାତ୍ର ବିଜେଡିର ସର୍ବେସର୍ବା ପ୍ରତିଷ୍ଠାତା l ଆସନ୍ନ ନିର୍ବାଚନ ପାଇଁ ସଂସଦୀୟ ବ୍ୟପାର ମୁଖିଆ ହେବା ସହ ପ୍ରାର୍ଥୀ ଚୟନ କାମଟି ମଧ୍ୟ ତୁଲାଉ ଥାନ୍ତି l ଟିକେଟ ପାଇବାକୁ ତାଙ୍କ ଦୁଆରେ ଆଶାୟୀଙ୍କର ଅସମ୍ଭାଳ ଭିଡ଼ l ନିଜ ମନ ମୁତାବକ ଟିକେଟ ବାଣ୍ଟିସାରି ଖୁବ ନିଶ୍ଚିତରେ ଥାଆନ୍ତି ଯେ ନବୀନଙ୍କୁ ଆଗରେ ରଖି ଓଡିଶାକୁ ଶାସନ କରିବେ l ଦକ୍ଷତା, ଅଭିଜ୍ଞତା ତଥା ଅର୍ଥବଳ ଥିବାରୁ ଦଳର ସମସ୍ତ ସଦସ୍ୟ ତାଙ୍କ ଆଗରେ ନତମସ୍ତକ ହୋଇ ମଧ୍ୟ ନିଜକୁ ଧନ୍ୟ ଧନ୍ୟ ମଣୁ ଥାଆନ୍ତି l 

ଇତି ମଧ୍ୟରେ ପ୍ୟାରୀ ନବୀନଙ୍କୁ ସୁନ୍ଦର ଭାବରେ ବୁଝାଇ ଦେଇ ଥାଆନ୍ତି ଯେ ରାଜନେତା ମାନଙ୍କୁ ପାଦ ପାଖରେ ରଖି ପାରିଲେ ସୁଶାସନ ସମ୍ଭବ ହେବା ସହ ସରକାର ମଧ୍ୟ ହେବ ସ୍ଥିର ଏବଂ ଦୀର୍ଘସ୍ଥାୟୀ l ନବୀନ ମୂଳ ମନ୍ତ୍ରଟି ଶିଖିବା ପରେ ପ୍ୟାରୀ ବୁଝାଇ ଦେଲେ ଯେ କୁଚକ୍ରୀ ବିଜୟ ଖାଲି ଉଦ୍ଧତ ନୁହନ୍ତି, ନବୀନ ଙ୍କୁ କଣ୍ଢେଇ କରି ବସ୍ତୁତଃ ନିଜେ ହେବେ ମୁଖ୍ୟମନ୍ତ୍ରୀ l  ନବୀନ ବୋକା କ୍ରୀତଦାସ ହୋଇ ରହିବେ ଯଦି ବିଜୟ ମହାପାତ୍ରଙ୍କୁ ମୂଳରୁ ଉପାଡ଼ି ଫିଙ୍ଗି ଦିଆ ନଯିବ l ଏଇଠାରୁ ବିଜୟ ଫୋପଡ଼ା ଯୋଜନା ଆରମ୍ଭ ହୋଇ ସଫଳ ଭାବରେ ହେଲା ସମ୍ପନ୍ନ l ନବୀନ ମଧ୍ୟ ରାଜନେତାଙ୍କୁ ଭୃତ୍ୟ କରି ନରଖିଲେ ଦେଶ ଲୁଟ ହୋଇଯିବ ବୋଲି ବୁଝାଇ ଦେଲେ ପ୍ୟାରୀ l ପରେ ପରେ ଅନେକ ସାମାନ୍ୟ କଳା ଛିଟା ଥିବା ନେତାଙ୍କୁ ମୂଳ ପୋଛ କଲେ ପ୍ୟାରୀ l କିନ୍ତୁ ଅପର୍ଯ୍ୟାପ୍ତ ସୁନାମ ଅର୍ଜି ଚାଲିଲେ ନବୀନ ଏକ ଅତୁଳନୀୟ ନିର୍ମଳ ଭାବମୂର୍ତ୍ତିର ଦେବଦୁତ ହିସାବରେ l କିନ୍ତୁ ସତ୍ୟ କଥାଟି ହେଲା ପ୍ୟାରୀ ହିଁ ଶିଶୁ, ଅସହାୟ, ନିର୍ଧନ ବିଜେଡିକୁ କରି ତୋଳିଥିଲେ ଏକ ସ୍ୱଚ୍ଛଳ, ଶକ୍ତିବାନ ଆଞ୍ଚଳିକ ରାଜନୈତିକ ଦଳ ଭାବରେ l ପ୍ୟାରୀ କ୍ରମଶଃ ହେଲେ ସର୍ବଶକ୍ତିମାନ l ପଛକୁ ପଛ ଜିତାଇ ଚାଲିଲେ ବିଜେଡିକୁ ଏବଂ ନବୀନଙ୍କୁ ବିବେଚିତ କରାଇ ଚାଲିଲେ ଜଣେ ଅନନ୍ୟ ନିର୍ମଳ, ସଚ୍ଚୋଟ, ଜନପ୍ରେମୀ ମୁଖ୍ୟମନ୍ତ୍ରୀ ଭାବରେ l ଭାଗ୍ୟ କିନ୍ତୁ ବଦଳାଇ ଦେଲା ପ୍ୟାରିଙ୍କର ସ୍ଥିତିକୁ l ପରେ ପରେ ଏମିତି ଦିନ ଆସିଲା ଯେତେବେଳେ ପ୍ୟାରିଙ୍କର ଚେଲା ଚାମୁଣ୍ଡା ମାନେ ଦଳୀୟ ପ୍ରଚାର ଚିତ୍ରରେ ନବୀନଙ୍କର ଫୋଟୋର ଆକାର ଛୋଟ କଲେ ଏବଂ ପ୍ୟାରିଙ୍କର ବଡ଼ l  ଯେଉଁମାନଙ୍କୁ ଅଳିଆ ଗଦାରୁ ଉଠାଇ ଆଣି ପ୍ୟାରୀ ତୁଙ୍ଗ ରାଜନେତା କରାଇଥିଲେ ଯଥା – ଅତନୁ ସବ୍ୟସାଚୀ, ସଞ୍ଜୟ ଦାସବର୍ମା ଏବଂ ଅରୁଣ ସାହୁ, ସେମାନେ ହିଁ ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ୟାରୀଙ୍କ ପିଠିରେ ଭୂଷିଲେ ଛୁରା l ଘଟଣା କ୍ରମେ ପ୍ୟାରୀ ଅପସରି ଗଲେ ମଧ୍ୟ, ନବୀନଙ୍କର ଭାବମୂର୍ତ୍ତି ନିର୍ମଳ ହୋଇ ରହିଗଲା ୨0୧୯ ପର୍ଯ୍ୟନ୍ତ l ୨0୧୧ ବେଳକୁ କୁଚକ୍ରୀ କୃତଘ୍ନ ବ୍ୟକ୍ତି ମାନଙ୍କ କଥାରେ ପଡ଼ି ନବୀନଙ୍କ କାନରେ ଭରି ଚାଲିଲେ ପ୍ୟାରୀ-ବିରୋଧୀ ବିଷ l ୨0୧୨ ମଇ ମାସ ବେଳକୁ ନବୀନ ପ୍ୟାରୀଙ୍କ ସହ ସମ୍ପର୍କ ତୁଟାଇ ସିଏ ପାଞ୍ଚଶହ କୋଟି ଟଙ୍କା ହେରଫେର କରିଥିବା ଭଳି ବାର୍ତ୍ତା ଦେଇ ଚାଲିଗଲେ ବିଲାତ ଗସ୍ତରେ l ବାକି ଇତିହାସ ସଭିଏଁ ଜାଣନ୍ତି l

୨0୨୪ ନିର୍ବାଚନ ବେଳକୁ ପ୍ୟାରୀଙ୍କ ଭଳି ଅସଲ ବୁଦ୍ଧିମାନ ଗୋଟି ଚାଳନା କରିପାରୁଥିବା ମାର୍ଗଦର୍ଶକ ନଥିଲେ ନବୀନଙ୍କ ପାଖରେ l ଅହଙ୍କାର, ଔଦ୍ଧତ୍ୟ ବଢ଼ି ଯାଇଥିବା ପାଖ ଲୋକେ ଏଭଳି ଭୁଲ ବାର୍ତ୍ତା ଦେଇ ନବୀନଙ୍କୁ ନିର୍ବୋଧ କରିଦେଲେ ଯେ ଦେଶର ସର୍ବୋଚ୍ଚ ଶ୍ରେଣୀର ଅପରାଜେୟ, ଅଭେଦ୍ୟ, ସର୍ବଶକ୍ତିମାନ, ସବୁଠାରୁ ଲୋକପ୍ରିୟ ନବୀନ ଜଣେ ଅନାମଧେନ୍ୟ ଜେଲ ଫେରନ୍ତା ପ୍ରାର୍ଥୀଠାରୁ ହାରିଲେ ଅଜସ୍ର ଭୋଟରେ l ବିଜେଡିର ପତନ ହେବା ସହିତ ନବୀନ ବାବୁଙ୍କର ଦଳ ଭିତରେ ମଧ୍ୟ ବହୁ ମାତ୍ରାରେ କମିଗଲା ପତିଆରା l

ନିର୍ବାଚନ ଠିକ ପୂର୍ବରୁ କେନ୍ଦ୍ରାପଡ଼ାର ନିଶ୍ଚିତ ହାରିବାକୁ ଥିବା ଜଣେ ଦୁଇଜଣ ନେତା ଅସହାୟ ହୋଇ ଶରଣ ପଶିଲେ ଚତୁର ବିଜୟ ମହାପାତ୍ରଙ୍କ ପାଖରେ l ତାଙ୍କର ସୁଯୋଗ୍ୟ ପୁତ୍ର ଅରବିନ୍ଦଙ୍କୁ ପାଛୋଟି ଆଣି ଦେଲେ ଦଳୀୟ ଟିକେଟ ଯାହାକୁ ହାସଲ କରିବା ପାଇଁ ବିତ୍ତଶାଳୀ ନେତା ମାନେ ଅଜାଡ଼ି ଦେଉଥିଲେ ଅଜସ୍ର ହାତଗୁଞ୍ଜା ଅର୍ଥ l ଅତନୁ ସବ୍ୟସାଚୀଙ୍କ ଭଳି କଞ୍ଚା ମାଟିକୁ ଗଢ଼ି ନେତା କରିଥିଲେ ଆଜିର ସ୍ବର୍ଗତ ପ୍ୟାରୀ ମହାପାତ୍ର l ପ୍ୟାରୀ ଦେବାଶିଷ ନାୟକଙ୍କୁ ଆରମ୍ଭରୁ ପସନ୍ଦ କରୁନଥିଲେ ଵି ଶେଷ ବେଳରେ ତାଙ୍କୁ କହି ଯାଇଥିଲେ ଯେ ଦଳର ଶହ ଶହ କୋଟି ଟଙ୍କା ବିଶ୍ୱାସରେ ରଖିଥିଲେ କେନ୍ଦ୍ରାପଡ଼ା ଜିଲ୍ଲାର ନେତା ଜଣଙ୍କ ପାଖରେ l ରାଇ ମୋହନ ପଟ୍ଟନାୟକ ବୋଲି ଜଣେ ବିଜେଡି କର୍ମୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଟଙ୍କା ମାଡ଼ି ବସିଥିବା ଲୋକଟିର ନାଁ ‘ଗେଡ଼ୁ ଅତନୁ’ l ଗୁଜବଟି ଏବେ ସାରା ଓଡିଶାକୁ କରିଛି ଆନ୍ଦୋଳିତ l ଏହି ଗେଡ଼ୁ ଭଦ୍ର ଲୋକ ନିଜେ ଜିତିବା ପାଇଁ କାରସାଦି କରି ଶିକ୍ଷିତ ଅରବିନ୍ଦଙ୍କୁ ଅଣାଇ ଥିଲେ ବିଜେଡି ଶିବିରକୁ, ଯାହାଙ୍କ ଲୋକପ୍ରିୟତା ବଳରେ ନିଜେ ନିର୍ବାଚନ ଜିତିଯିବେ ଆଶା ରଖି l 


ତେବେ ଯେତେ ଯାହା ଭୂଲଠିକ ଘଟିଥିଲେ ଵି ନବୀନ ବାବୁ ଯେଉଁ ଭଳି ଯୁବନେତା ଅରବିନ୍ଦଙ୍କୁ ହଠାତ ନିଲମ୍ବନ କରିଦେଲେ, ଓଡ଼ିଶାବାସୀ ସେଭଳି ପଦକ୍ଷେପକୁ ଆଦୌ ପସନ୍ଦ କଲେନାହିଁ l ଫଳତଃ ବିଜେଡି ନିଜର ବିଶ୍ୱାସନୀୟତା ହରାଇଲା l ନବୀନ ବାବୁ ବଦନାମ ହେଲେ l କାରଣ ଲୋକଙ୍କୁ ସନ୍ତୁଷ୍ଟ କଲାଭଳି ନିଲମ୍ବନର କାରଣ ଏପର୍ଯ୍ୟନ୍ତ ବିଜେଡି ଦଳର ଜଣେ ହେଲେବି ସଦସ୍ୟ ସ୍ପଷ୍ଟ କରି ପାରିନାହାନ୍ତି l

ଅନ୍ୟପଟେ ବିଜେପି ସରକାର ଅତି ଅପାରଗ ଏବଂ ଦୁର୍ନୀତିଗ୍ରସ୍ତ ବୋଲି ପ୍ରମାଣ ହୋଇଚାଲିଛି l ଏଭଳି ସୁଯୋଗ ହାତଛଡ଼ା କରି ବିଜେଡି ଦଳର ନିର୍ବୋଧ ଉପଦେଷ୍ଟା ମାନେ ଆଜି ନବୀନ ପଟ୍ଟନାୟକଙ୍କର ଏକଦା ସଚ୍ଚୋଟ, ସାଧୁ ତଥା ନିଷ୍କଳଙ୍କ ଭାବମୂର୍ତ୍ତିକୁ ଯେ ଧ୍ବଂସ କରି ଦେଇଛନ୍ତି, ଏଥିରେ ସନ୍ଦେହ ନାହିଁ l ଦଳ ଭିତରେ ବର୍ତ୍ତମାନ ବିଦ୍ରୋହର ଆଭାସ ଦେଖିବାକୁ, ଶୁଣିବାକୁ ମିଳିଲାଣି l ଏବେବି ସମୟ ଅଛି, ବିଜେଡି ମୁଖିଆ ବା ଦଳର ପ୍ରମୁଖ ମୁଖପାତ୍ର ମାନେ ଓଡିଶାବାସୀଙ୍କୁ ସ୍ପଷ୍ଟ କରି କୁହନ୍ତୁ ଅରବିନ୍ଦ ମହାପାତ୍ରଙ୍କର ଦୋଷ କଣ l ଲୋକେ ସନ୍ତୁଷ୍ଟ ହୋଇଯିବେ ଏବଂ ନବୀନ ବାବୁଙ୍କୁ ପ୍ରାୟତଃ ବିଶ୍ୱାସ କରିଯିବେ l କିନ୍ତୁ ପ୍ରମିଳା ମଳିକଙ୍କ ଭଳି କଳାଛିଟା-ଲଗା କୌଣସି ବ୍ୟକ୍ତି ଯଦି ନବୀନଙ୍କ ପାଇଁ ଓକିଲାତି କରିବାଜୁ ଆଗେଇ ଆସିବେ, ତେବେ ନବୀନଙ୍କ ସ୍ଥିତି ଅଧିକ ଦୁର୍ବଳ ହେବାସହ ବିଜେଡିର ପତନ ପ୍ରକ୍ରିୟାକୁ ଅଟକାଇବା ମଧ୍ୟ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇ ପଡ଼ିବ l

What's Your Reaction?

like

dislike

love

funny

angry

sad

wow