ଓରାଂଉଟାନ୍ ଉଦ୍ଧାର ପରେ ଖୋଲୁଛି ରହସ୍ୟ! ମହାରାଷ୍ଟ୍ରରୁ ମିଜୋରାମ ଯାଏଁ ରାକେଟ୍ ଲିଙ୍କ୍ ନେଇ ତଦନ୍ତ

Sep 18, 2026 - 14:37
ଓରାଂଉଟାନ୍ ଉଦ୍ଧାର ପରେ ଖୋଲୁଛି ରହସ୍ୟ! ମହାରାଷ୍ଟ୍ରରୁ ମିଜୋରାମ ଯାଏଁ ରାକେଟ୍ ଲିଙ୍କ୍ ନେଇ ତଦନ୍ତ

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଂଉଟାନ୍‌ ଉଦ୍ଧାର ଘଟଣାରେ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କଫୋର୍ସ ତଦନ୍ତକୁ ଜୋର୍‌ଦାର କରିଛି । ପ୍ରାଥମିକ ତଦନ୍ତରୁ ଦୀଘାର ଗ୍ରାଣ୍ଡ ହେରିଟେଜ୍‌ ହୋଟେଲ୍‌ର ମାଲିକ ଓ ତାଙ୍କ ପୁଅ ମୁଖ୍ୟ ସନ୍ଦିଗ୍ଧ ରହିଛନ୍ତି । 

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଂଉଟାନ୍‌ ଉଦ୍ଧାର ଘଟଣାରେ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କଫୋର୍ସ ତଦନ୍ତକୁ ଜୋର୍‌ଦାର କରିଛି । ପ୍ରାଥମିକ ତଦନ୍ତରୁ ଦୀଘାର ଗ୍ରାଣ୍ଡ ହେରିଟେଜ୍‌ ହୋଟେଲ୍‌ର ମାଲିକ ଓ ତାଙ୍କ ପୁଅ ମୁଖ୍ୟ ସନ୍ଦିଗ୍ଧ ରହିଛନ୍ତି । ତେବେ ତଦନ୍ତ ଆଗକୁ ବଢ଼ିବା ସହ ନୂଆ ତଥ୍ୟ ସାମନାକୁ ଆସୁଛି। ଏସ୍‌ଟିଏଫ୍‌ ସୂଚନା ଅନୁସାରେ, ଇଣ୍ଡୋନେସିଆ କିମ୍ବା ମାଲେସିଆରୁ ମ୍ୟାମାର ଦେଇ ସମୁଦ୍ରପଥରେ ଓରାଂଉଟାନ୍‌ ଶାବକଗୁଡ଼ିକୁ ଭାରତ ଅଣାଯାଇଥିଲା । ପରେ ମିଜୋରାମ, ଆସାମ ଓ ପଶ୍ଚିମବଙ୍ଗ ଦେଇ ସେଗୁଡ଼ିକୁ ଦୀଘାର ହେଲିପ୍ୟାଡ୍‌ ନିକଟସ୍ଥ ଗ୍ରାଣ୍ଡ ହେରିଟେଜ୍‌ ହୋଟେଲ୍‌କୁ ପହଞ୍ଚାଯାଇଥିଲା । 

ସେଠାରୁ ଅନ୍ୟ ଏକ ଗାଡ଼ିରେ ମହାରାଷ୍ଟ୍ର ପଠାଇବା ପାଇଁ ଡିଲ୍‌ ହୋଇଥିବା କୁହାଯାଉଛି । କିନ୍ତୁ ଗ୍ରାହକ ନ ପହଞ୍ଚିବା ଏବଂ ଯୋଗାଯୋଗ ସମ୍ଭବ ନ ହେବାରୁ ଚୋରା ଚାଲାଣକାରୀମାନେ ଓରାଂଉଟାନ୍‌ ଶାବକଗୁଡ଼ିକୁ ହୋଟେଲ୍‌ରେ ଛାଡ଼ି ପଳାଇଥିଲେ । ପରେ ସେଗୁଡ଼ିକୁ ରଣକୋଠା ଜଙ୍ଗଲରେ ଛାଡ଼ି ଦିଆଯାଇଥିବା କୁହାଯାଉଛି । ଏହି ମାମଲାରେ ହୋଟେଲ୍‌ ମାଲିକ ଓ ତାଙ୍କ ପୁଅଙ୍କର ଚୋରା ଚାଲାଣ ସହ ପୂର୍ବରୁ ସମ୍ପର୍କ ଥିଲା କି, ନା କେବଳ ଶେଷ ପର୍ଯ୍ୟାୟର ଟ୍ରାନ୍‌ଜିଟ୍‌ ପଏଣ୍ଟ ଭାବେ ହୋଟେଲ୍‌ ବ୍ୟବହୃତ ହୋଇଥିଲା, ସେ ନେଇ ତଦନ୍ତ ଚାଲିଛି । 

ହୋଟେଲ୍‌ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ଏଥିସହିତ ବିକ୍ରି ସଂପର୍କିତ ଅର୍ଥ କାହା ଆକାଉଣ୍ଟକୁ ଯାଇଛି ତାହା ମଧ୍ୟ ଏସ୍‌ଟିଏଫ୍‌ର ଯାଞ୍ଚ ପରିସରରେ ରହିଛି । ସେହି ଦୃଷ୍ଟିରୁ ହୋଟେଲ୍‌ ମାଲିକ ଓ ତାଙ୍କ ପୁଅଙ୍କ କଲ୍‌ ଡିଟେଲ୍‌ସ ରେକର୍ଡ ସହ ବ୍ୟାଙ୍କ କାରବାର ଯାଞ୍ଚକୁ ଗୁରୁତ୍ୱ ଦିଆଯାଉଛି । ହୋଟେଲ୍‌ ମାଲିକ ଓ ତାଙ୍କ ପୁଅଙ୍କ ଗିରଫଦାରୀକୁ ଏସ୍‌ଟିଏଫ୍‌ ଏକ ପ୍ରମୁଖ ଲକ୍ଷ୍ୟ ଭାବେ ନେଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ, ସମୁଦ୍ରପଥରେ ଚୋରା ଚାଲାଣର ସୂତ୍ର ମିଳିଥିବାରୁ ଭାରତୀୟ ତଟରକ୍ଷୀ ବାହିନୀର ସହଯୋଗ ନେବାକୁ ମଧ୍ୟ ଏସ୍‌ଟିଏଫ୍‌ ବିଚାର କରୁଛି । ତଦନ୍ତକାରୀ ସଂସ୍ଥାର ପ୍ରାଥମିକ ଆକଳନ ଅନୁଯାୟୀ, ଏହି ଆନ୍ତର୍ଜାତିକ ବନ୍ୟଜନ୍ତୁ ଚୋରା କାରବାରରେ ମହାରାଷ୍ଟ୍ର, ଆସାମ, ପଶ୍ଚିମବଙ୍ଗ ଓ ମିଜୋରାମର ଏକ ସଂଗଠିତ ରୢାକେଟ୍‌ର ସମ୍ପୃକ୍ତି ରହିଛି। ସେଥିପାଇଁ ସମ୍ପୃକ୍ତ ରାଜ୍ୟଗୁଡ଼ିକର ପୁଲିସ ସହ ଯୋଗାଯୋଗ ଆରମ୍ଭ ହୋଇଛି ।  

What's Your Reaction?

like

dislike

love

funny

angry

sad

wow