କାରଗିଲ ଯୁଦ୍ଧରେ ସଂପୃକ୍ତି କଥା ସ୍ୱୀକାର କଲା ପାକିସ୍ତାନୀ ସେନା
୨୫ ବର୍ଷ ପରେ ସତ ମାନିଲା ପାକିସ୍ତାନ। ୧୯୯୯ କାରଗିଲ ଯୁଦ୍ଧରେ ପାକିସ୍ତାନ ଲଢିଥିବା ନେଇ ପ୍ରଥମ ଥର ସର୍ବସାଧାରଣରେ ସ୍ୱୀକାର କରିଛନ୍ତି ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସୀମ ମୂନୀର। ପାକିସ୍ତାନର ପ୍ରତିରକ୍ଷା ଦିବସ ଅବସରରେ ଉଦବୋଧନ ଦେଇ ସେ କହିଛନ୍ତି ଯେ, ୧୯୪୮ ହେଉ ଅବା ୧୯୬୫, ୧୯୭୧ ଅବା ୧୯୯୯ର କାରଗିଲ ଯୁଦ୍ଧ, ପାକିସ୍ତାନ ଓ ଇସଲାମ ପାଇଁ ଜୀବନ ହରାଇଛନ୍ତି ହଜାର ହଜାର ସୈନ୍ୟ।ତାଙ୍କର ଏହି ମନ୍ତବ୍ୟ ପୁଣି ଥରେ ପ୍ରମାଣିତ କରିଛି ଯେ କାରଗିଲ ଯୁଦ୍ଧରେ ଜଡ଼ିତ ଥିଲା ପାକିସ୍ତାନୀ ସେନା। ଏହା ପୂର୍ବରୁ ଭାରତ ଅନେକ ପ୍ରମାଣ ଦେଇଥିଲେ ମଧ୍ଯ ପାକିସ୍ତାନୀ ସେନା କେବେ ବି ସର୍ବସାଧାରଣରେ ସ୍ୱୀକାର କରି ନଥିଲା ଯେ କାରଗିଲ ଯୁଦ୍ଧରେ ଥିଲା ନିଜର ପ୍ରତ୍ୟକ୍ଷ ସଂପୃକ୍ତି। ସବୁ ବେଳେ ଏହା ମୁଜାହିଦ୍ଦୀନମାନଙ୍କ କାର୍ଯ୍ୟ ବୋଲି କହି ଆସୁଥିଲା ପାକିସ୍ତାନୀ ସେନା।୧୯୯୯ ମସିହାରେ ହୋଇଥିବା କାରଗିଲ ଯୁଦ୍ଧରେ ପରାସ୍ତ ହୋଇଥିଲା ପାକିସ୍ତାନ। କାରଗିଲ ସେକ୍ଟରରେ ଯେଉଁ ସବୁ ସ୍ଥାନଗୁଡ଼ିକୁ ଅନୁପ୍ରବେଶକାରୀମାନେ ନିଜ କବଜାକୁ ନେଇଥିଲେ, ସେଗୁଡ଼ିକୁ ଛଡ଼ାଇ ଆଣିଥିଲା ଭାରତୀୟ ସେନା। ତେବେ ଏହି ଯୁଦ୍ଧରେ ଭାରତୀୟ ସେନାର ୫୪୫ ଯବାନ ସହିଦ ହୋଇଥିବାବେଳେ ପାକିସ୍ତାନର ହଜାର ହଜାର ଯବାନ ହୋଇଥିଲେ ନିହତ ।
What's Your Reaction?