ଗିରଫ ଭୟରେ ଫେରାର୍ ଚୌଦ୍ୱାର ଜେଲ୍ ଅଧୀକ୍ଷକ ସୁଜିତ ରାଉଳ: ହାଇକୋର୍ଟରୁ ଜାମିନ ଖାରଜ ପରେ ବି ବାନ୍ଧୁନି ପୁଲିସ
ଚୌଦ୍ୱାର ଜେଲ୍ରୁ ଦୁଇ ବିହାରୀ କଏଦୀ ଫେରାର ଏବଂ ଜେଲ୍ର ମିନିଟ୍ ବୁକ୍ ଗାୟବ ମାମଲାରେ ଚୌଦ୍ୱାର ଜେଲ୍ ଅଧୀକ୍ଷକ ସୁଜିତ ରାଉଳଙ୍କ ଅଡୁଆ ବଢ଼ିଛି। ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ଗିରଫ ନହେବାକୁ ନେଇ ପୁଲିସର ଭୂମିକା ଉପରେ ପ୍ରଶ୍ନ ଉଠିଛି। ସୁଜିତ ରାଉଳ ଅନୁମତି ବିନା ଛୁଟିରେ ଥିବା ଅଭିଯୋଗ ମଧ୍ୟ ତାଙ୍କୁ ନେଇ ସନ୍ଦେହ ବଢ଼ାଇଛି।
ଚୌଦ୍ୱାର ଜେଲ୍ରୁ ଦୁଇ ବିହାରୀ କଏଦୀ ଫେରାର ଏବଂ ଜେଲ୍ର ମିନିଟ୍ ବୁକ୍ ଗାୟବ ମାମଲାରେ ଚୌଦ୍ୱାର ଜେଲ୍ ଅଧୀକ୍ଷକ ସୁଜିତ ରାଉଳଙ୍କ ଅଡୁଆ ବଢ଼ିଛି । ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ଗିରଫ ନହେବାକୁ ନେଇ ପୁଲିସର ଭୂମିକା ଉପରେ ପ୍ରଶ୍ନ ଉଠିଛି । ସୁଜିତ ରାଉଳ ଅନୁମତି ବିନା ଛୁଟିରେ ଥିବା ଅଭିଯୋଗ ମଧ୍ୟ ତାଙ୍କୁ ନେଇ ସନ୍ଦେହ ବଢ଼ାଇଛି ।
କଟକ ଚୌଦ୍ୱାର ସର୍କଲ ଜେଲ୍ରୁ ଦୁଇ କୁଖ୍ୟାତ ବିହାରୀ କଏଦୀ ଚମ୍ପଟ୍ ମାରିବା ଓ ଗୁରୁତ୍ୱପୂର୍ଣ୍ଣ ମିନିଟ୍ ବୁକ୍ ଗାୟବ ହେବା ଘଟଣାରେ ଅଡ଼ୁଆ ବଢ଼ିବା ପରେ ଏବେ ଗିରଫ ଭୟରେ ଲୁଚି ବୁଲୁଛନ୍ତି ବରିଷ୍ଠ ଜେଲ୍ ଅଧୀକ୍ଷକ ସୁଜିତ ରାଉଳ । ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ସିଧାସଳଖ ଖାରଜ କରିବା ପରେ ଗତ ଶନିବାର ଅପରାହ୍ଣରୁ ସେ କେଉଁଆଡ଼େ ଛୁ ମାରିଛନ୍ତି । ନିଜ ଅଫିସ୍ ନଆସି ଜେଲ୍ ଡିଜିଙ୍କୁ ଇମେଲ୍ ଜରିଆରେ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଛୁଟି ମାଗିଥିଲେ ମଧ୍ୟ ତାହାକୁ ଅନୁମୋଦନ ମିଳିନାହିଁ । ବିନା ଅନୁମତିରେ ଅଫିସରୁ ଏଭଳି ଗାୟବ ହୋଇଯିବା ତାଙ୍କ ସନ୍ଦେହଜନକ ଭୂମିକାକୁ ଆହୁରି ପଦାରେ ପକାଇଥିବା ବେଳେ ସୁଜିତ ଏବେ ଅନ୍ତରୀଣ ସୁରକ୍ଷା ପାଇଁ ଉପର କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି ।
ଅନ୍ୟପକ୍ଷରେ, ଆଗୁଆ ଜାମିନ ଖାରଜ ହେବା ପରେ ବି ତାଙ୍କୁ ଗିରଫ କରିବାରେ ଚୌଦ୍ୱାର ଥାନା ପୁଲିସ କାହିଁକି ଟାଳଟୁଳ ନୀତି ଆପଣାଉଛି, ତାହାକୁ ନେଇ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜେଲ୍ ଦସ୍ତାବିଜ ଜାଲିଆତି ମାମଲାରେ ସୁଜିତ ରାଉଳ ତଦନ୍ତରେ ସହଯୋଗ କରୁନାହାନ୍ତି ଏବଂ ତାଙ୍କ ଯୋଗୁଁ ତଦନ୍ତ ପ୍ରଭାବିତ ହେଉଛି ବୋଲି ନିଜେ ତଦନ୍ତକାରୀ ଅଧିକାରୀ କୋର୍ଟଙ୍କୁ ଅବଗତ କରାଇଥିଲେ । ଏହା ସତ୍ତ୍ୱେ ଜଣେ ବରିଷ୍ଠ ଅଧିକାରୀଙ୍କୁ ବାନ୍ଧିବାରେ ପୁଲିସର ଏହି ନିଷ୍କ୍ରିୟତା ପଛରେ କୌଣସି ପ୍ରଭାବଶାଳୀ ରାଜନୈତିକ ବା ପ୍ରଶାସନିକ ଚାପ ରହିଛି କି ନାହିଁ, ତାହା ସାଧାରଣରେ ସନ୍ଦେହ ଘନୀଭୂତ କରିଛି ।
ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ମୁହଁ ଖୋଲି ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟିକ ତଦନ୍ତ ଦାବି କରିଛନ୍ତି ରାଜ୍ୟସଭା ସାଂସଦ ତଥା ମାମଲାର ଏତଲାକାରୀ ସୁଜିତ୍ କୁମାର । ସେ ସ୍ପଷ୍ଟ କହିଛନ୍ତି ଯେ, ଆଗୁଆ ଜାମିନ ନାମଞ୍ଜୁର ହେବା ପରେ ଅଧୀକ୍ଷକଙ୍କୁ କୌଣସି ପ୍ରକାର ଛୁଟି ମିଳିଥିଲେ ତାହା ସମ୍ପୂର୍ଣ୍ଣ ବେଆଇନ । ପୁଲିସ ତଦନ୍ତ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଏହାକୁ ଯଥାଶୀଘ୍ର ବିଚାର ବିଭାଗୀୟ ତଦନ୍ତ ପରିସରଭୁକ୍ତ କରାଯାଉ । ନ୍ୟାୟିକ ତଦନ୍ତ ହେଲେ ହିଁ ଦୁଇ ବିହାରୀ କଏଦୀଙ୍କୁ ଖସାଇବାରେ ଜେଲ୍ ବିଭାଗର କେଉଁ କେଉଁ କର୍ମଚାରୀ ଓ ବଡ଼ ବଡ଼ ଅଫିସର ସାମିଲ ଅଛନ୍ତି, ତାହାର ପ୍ରକୃତ ଗୁମର ଫିଟିପାରିବ ।
ସୂଚନାଯୋଗ୍ୟ ଯେ, କୁଖ୍ୟାତ ବିହାରୀ କଏଦୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର ଚୌଦ୍ୱାର ଜେଲ୍ରୁ ଖସି ପଳାଇବା ଦିନଠାରୁ ସୁଜିତ ରାଉଳଙ୍କ ଭୂମିକା ସନ୍ଦେହ ଘେରରେ ରହିଛି । ଜେଲ୍ର ସରକାରୀ ମିନିଟ୍ ବୁକ୍ ଦାଖଲ କରିବା ପାଇଁ ପୁଲିସ ତାଙ୍କୁ ଥରେ କି ଦୁଇ ଥର ନୁହେଁ, ପୂରା ୯ ଥର ନୋଟିସ୍ କରିଥିଲା । ହେଲେ ରେକର୍ଡ ଦାଖଲ ନକରି ହଠାତ୍ ଅଗଷ୍ଟ ୧୭ ତାରିଖରେ ମିନିଟ୍ ବୁକ୍ ଚୋରି ହୋଇଯାଇଥିବା ଦର୍ଶାଇ ଥାନାରେ ଏତଲା ଦେଇଥିଲେ । ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଜାଣିଶୁଣି ଦସ୍ତାବିଜ ଗାୟବ କରାଯାଇଥିବା ସ୍ପଷ୍ଟ ହେବା ପରେ ଏବେ ଅଧୀକ୍ଷକଙ୍କ ପାଇଁ ଆଇନର ଫାଶ ଟାଣ ହୋଇଛି ।
What's Your Reaction?