ଦେଶରେ ବେଲଗାମ୍ ଦରବୃଦ୍ଧି, ଆକାଶଛୁଆଁ ଖାଦ୍ୟ ସାମଗ୍ରୀର ଦାମ୍

Oct 13, 2026 - 12:09
ଦେଶରେ ବେଲଗାମ୍ ଦରବୃଦ୍ଧି, ଆକାଶଛୁଆଁ ଖାଦ୍ୟ ସାମଗ୍ରୀର ଦାମ୍

ସବୁଠୁ ବଡ଼ କଥା ହେଉଛି, ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳର ଲୋକେ ଦରବୃଦ୍ଧିରେ ଅଧିକ ପ୍ରଭାବିତ ହୋଇଛନ୍ତି। ଗ୍ରାମାଞ୍ଚଳରେ ସାଧାରଣ ମୁଦ୍ରାସ୍ଫୀତି ହାର ୬.୦୮ ପ୍ରତିଶତ ରହିଥିବା ବେଳେ ସହରାଞ୍ଚଳରେ ଏହା ୪.୮୮ ପ୍ରତିଶତ ରହିଛି। 

ଦେଶରେ ବେଲଗାମ୍ ଦରବୃଦ୍ଧି। ଆକାଶଛୁଆଁ ଖାଦ୍ୟ ସାମଗ୍ରୀର ଦାମ୍। ମହଙ୍ଗା ମାଡ଼ରେ ଅତିଷ୍ଠ ସାଧାରଣ ଜନତା। ଦିନକୁ ଦିନ ବଢ଼ୁଥିବା ଦରଦାମ୍ ଏବେ ସାଧାରଣ ଲୋକଙ୍କ ପକେଟ୍‌କୁ ବାଧୁଛି। ଏହାରି ଭିତରେ ସାମ୍ନାକୁ ଆସିଛି କେନ୍ଦ୍ର ସରକାରଙ୍କ ଚିନ୍ତାଜନକ ମୁଦ୍ରାସ୍ଫୀତି ରିପୋର୍ଟ। ସେପ୍ଟେମ୍ବର ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ୫.୫୪ ପ୍ରତିଶତରେ ପହଞ୍ଚିଛି। ଅଗଷ୍ଟ ମାସରେ ଏହା ୪.୮୩ ପ୍ରତିଶତ ରହିଥିଲା। ଅର୍ଥାତ୍ ମାତ୍ର ଗୋଟିଏ ମାସରେ ମୁଦ୍ରାସ୍ଫୀତି ହାର ୦.୭୧ ପ୍ରତିଶତ ପଏଣ୍ଟ ବୃଦ୍ଧି ପାଇଛି।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ସେପ୍ଟେମ୍ବର ୨୦୨୬ର ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି। ବିଶେଷକରି ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ମୁଦ୍ରାସ୍ଫୀତିକୁ ଆହୁରି ବଢ଼ାଇଦେଇଛି। ଅଗଷ୍ଟରେ ଖାଦ୍ୟପଦାର୍ଥ ମୁଦ୍ରାସ୍ଫୀତି ୫.୯୭ ପ୍ରତିଶତ ଥିବାବେଳେ ସେପ୍ଟେମ୍ବରରେ ଏହା ୭.୭୪ ପ୍ରତିଶତକୁ ବୃଦ୍ଧି ପାଇଛି। ପିଆଜ, ଅଦା, ରସୁଣ ଭଳି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦାମ୍ ବୃଦ୍ଧି ଯୋଗୁଁ ଖାଉଟିଙ୍କ ଉପରେ ଅଧିକ ଆର୍ଥିକ ବୋଝ ପଡ଼ୁଛି।

ସବୁଠୁ ବଡ଼ କଥା ହେଉଛି, ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳର ଲୋକେ ଦରବୃଦ୍ଧିରେ ଅଧିକ ପ୍ରଭାବିତ ହୋଇଛନ୍ତି। ଗ୍ରାମାଞ୍ଚଳରେ ସାଧାରଣ ମୁଦ୍ରାସ୍ଫୀତି ହାର ୬.୦୮ ପ୍ରତିଶତ ରହିଥିବା ବେଳେ ସହରାଞ୍ଚଳରେ ଏହା ୪.୮୮ ପ୍ରତିଶତ ରହିଛି। ସେହିପରି ଗ୍ରାମାଞ୍ଚଳରେ ଖାଦ୍ୟ ମୁଦ୍ରାସ୍ଫୀତି ୮.୦୬ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ୭.୧୮ ପ୍ରତିଶତ ରହିଛି।

ଦେଶରେ ଲଗାତାର ଚତୁର୍ଥ ମାସ ପାଇଁ ମୁଦ୍ରାସ୍ଫୀତି ହାର ଭାରତୀୟ ରିଜର୍ଭ ବ୍ୟାଙ୍କର ୪ ପ୍ରତିଶତ ଲକ୍ଷ୍ୟଠାରୁ ଅଧିକ ରହିଛି। ତେବେ ଏହା ଏବେ ବି ୬ ପ୍ରତିଶତର ସର୍ବୋଚ୍ଚ ସହନଶୀଳ ସୀମା ଭିତରେ ରହିଛି। ଦରବୃଦ୍ଧିର ଏଭଳି ସ୍ଥିତି ମଧ୍ୟବିତ୍ତ ଓ ନିମ୍ନ ଆୟବର୍ଗର ପରିବାର ପାଇଁ ଚିନ୍ତା ବଢ଼ାଇଛି। ଆଗାମୀ ଦିନରେ ଦରଦାମ୍ ନିୟନ୍ତ୍ରଣ ପାଇଁ ସରକାର କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର। 

What's Your Reaction?

like

dislike

love

funny

angry

sad

wow