ନିରବି ଗଲା ହସାଉଥିବା ଚେହେରା, ‘ବଲ୍ଲୁ’ଠାରୁ ‘ଗୁଲ୍ ଖାନ’… ଶେଷ ହେଲା ଯାତ୍ରା

Sep 25, 2026 - 12:11

ହିନ୍ଦୀ ସିନେମାରେ ଏମିତି କିଛି କଳାକାର ଅଛନ୍ତି, ଯେଉଁମାନେ କେବେ ମୁଖ୍ୟ ନାୟକ ହୋଇନାହାନ୍ତି, କିନ୍ତୁ କେବଳ କିଛି ମିନିଟ୍‌ର ଅଭିନୟରେ ଦର୍ଶକଙ୍କ ମନରେ ଚିରସ୍ଥାୟୀ ଛାପ ଛାଡ଼ିଯାଇଛନ୍ତି। ସେହି କଳାକାରଙ୍କ ମଧ୍ୟରୁ ମୁଶ୍ତାକ ଖାନ ଥିଲେ ଅନ୍ୟତମ। 

“ମେରି ଏକ ଟାଙ୍ଗ ନକଲି ହୈ...” ଏହି ଡାଇଲଗ୍ ଶୁଣିଲେ ଆଜି ବି ମୁହଁରେ ହସ ଫୁଟିଯାଏ। ‘ୱେଲକମ୍’ର ସେହି ବଲ୍ଲୁଙ୍କୁ ଭୁଲିବା ବୋଧହୁଏ ସିନେପ୍ରେମୀଙ୍କ ପାଇଁ ସହଜ ନୁହେଁ। କେବେ ହସାଇଛନ୍ତି, କେବେ ଭାବୁକ କରିଛନ୍ତି, ଆଉ କେବେ ମାତ୍ର କିଛି ମିନିଟ୍‌ର ଅଭିନୟରେ ପୂରା ଦୃଶ୍ୟକୁ ନିଜର କରିନେଇଛନ୍ତି । ହିରୋ ନଥିଲେ, ତଥାପି ଦର୍ଶକଙ୍କ ମନରେ ହିରୋଙ୍କଠାରୁ କମ୍ ଜାଗା ତିଆରି କରିନଥିଲେ ମୁସ୍ତାକ ଖାନ।

କିନ୍ତୁ ଏବେ ଆଉ ପରଦାରେ ଦେଖିବାକୁ ମିଳିବନି ସେହି ପରିଚିତ ମୁହଁ । କ୍ୟାନ୍ସର ସହ ଦୀର୍ଘ ଲଢ଼େଇ ପରେ ୭୫ ବର୍ଷ ବୟସରେ ନିରବ ହୋଇଯାଇଛି ମୁସ୍ତାକ ଖାନଙ୍କ ଜୀବନଯାତ୍ରା । ପଛରେ ରହିଯାଇଛି ଚାରି ଦଶନ୍ଧିରୁ ଅଧିକ ସମୟର ଅଭିନୟ, ଅସଂଖ୍ୟ ସ୍ମରଣୀୟ ଚରିତ୍ର ଏବଂ ଲକ୍ଷଲକ୍ଷ ଦର୍ଶକଙ୍କ ସ୍ମୃତି। ‘ୱେଲକମ୍’ର ବଲ୍ଲୁଠାରୁ ‘ଗଦର’ର ଗୁଲ୍ ଖାନ—କେମିତି ଥିଲା ଏହି ଅସାଧାରଣ ଚରିତ୍ର ଅଭିନେତାଙ୍କ ଦୀର୍ଘ ସିନେଯାତ୍ରା? ଆସନ୍ତୁ ଜାଣିବା...

ହିନ୍ଦୀ ସିନେମାରେ ଏମିତି କିଛି କଳାକାର ଅଛନ୍ତି, ଯେଉଁମାନେ କେବେ ମୁଖ୍ୟ ନାୟକ ହୋଇନାହାନ୍ତି, କିନ୍ତୁ କେବଳ କିଛି ମିନିଟ୍‌ର ଅଭିନୟରେ ଦର୍ଶକଙ୍କ ମନରେ ଚିରସ୍ଥାୟୀ ଛାପ ଛାଡ଼ିଯାଇଛନ୍ତି। ସେହି କଳାକାରଙ୍କ ମଧ୍ୟରୁ ମୁଶ୍ତାକ ଖାନ ଥିଲେ ଅନ୍ୟତମ। ୨୪ ସେପ୍ଟେମ୍ବର ୨୦୨୬ରେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ୭୫ ବର୍ଷ ବୟସରେ ମୁସ୍ତାକ ଖାନଙ୍କ ପରଲୋକ ହୋଇଛି। ଦୀର୍ଘ ପାଞ୍ଚ ବର୍ଷ ଧରି ସେ କ୍ୟାନ୍ସର ସହ ଲଢ଼େଇ କରୁଥିଲେ। ଚିକିତ୍ସା ପରେ ସେ ସୁସ୍ଥ ମଧ୍ୟ ହୋଇଥିଲେ, କିନ୍ତୁ ନିକଟରେ ପୁଣିଥରେ ରୋଗ ଫେରିଆସିଥିଲା।

ମୁସ୍ତାକ ଖାନଙ୍କ ନାଁ ଆସିଲେ ସବୁଠାରୁ ପ୍ରଥମେ ମନେପଡ଼େ ୨୦୦୭ର ହିଟ୍ କମେଡି ଫିଲ୍ମ ‘ୱେଲକମ୍’। ନାନା ପାଟେକରଙ୍କ ଉଦୟ ଶେଟ୍ଟୀ ଗ୍ୟାଙ୍ଗର ସଦସ୍ୟ ବଲ୍ଲୁ ଭୂମିକାରେ ତାଙ୍କ ଅଭିନୟ ଆଜି ବି ଦର୍ଶକଙ୍କୁ ହସାଏ । “ମେରି ଏକ ଟାଙ୍ଗ ନକଲି ହୈ...” ଡାଇଲଗ୍‌ଟି ଏତେ ଲୋକପ୍ରିୟ ହୋଇଥିଲା ଯେ ପରବର୍ତ୍ତୀ ସମୟରେ ଏହା ସୋସିଆଲ୍ ମିଡିଆ ମିମ୍‌ର ଅଂଶ ହୋଇଯାଇଥିଲା।

କେବଳ କମେଡି ନୁହେଁ, ଭିନ୍ନ ଭିନ୍ନ ଚରିତ୍ରରେ ମଧ୍ୟ ନିଜ ଛାପ ଛାଡ଼ିଥିଲେ ମୁସ୍ତାକ। ‘ହମ୍ ହୈଁ ରାହି ପ୍ୟାର କେ’ର ମିଶ୍ରାଜୀ, ‘ଆଶିକି’ର ରଫୁ ମାଷ୍ଟର ଏବଂ ‘ଗଦର: ଏକ ପ୍ରେମ କଥା’ର ଗୁଲ୍ ଖାନ ତାଙ୍କ ସ୍ମରଣୀୟ ଭୂମିକାମାନଙ୍କ ମଧ୍ୟରେ ରହିଛି । ‘ଗଦର ୨’ରେ ପ୍ରାୟ ଦୁଇ ଦଶନ୍ଧି ପରେ ସେହି ଚରିତ୍ରକୁ ପୁଣିଥରେ ପରଦାକୁ ଫେରାଇଥିଲେ।

୧୯୮୦ରେ ‘ଆଲବର୍ଟ ପିଣ୍ଟୋ କୋ ଗୁସ୍ସା କ୍ୟୋଁ ଆତା ହୈ’ରୁ ସେ ନିଜ ଫିଲ୍ମ ଯାତ୍ରା ଆରମ୍ଭ କରିଥିଲେ। ପରେ ‘ଦିଲ୍ ହୈ କି ମାନତା ନହିଁ’, ‘ସଡକ୍’, ‘ହେରା ଫେରି’, ‘ଜୋଡ଼ି ନମ୍ବର ୧’, ‘ମୁଝସେ ଶାଦି କରୋଗି’, ‘ୱାଣ୍ଟେଡ୍’, ‘ଓହ୍ ମାଇ ଗଡ୍’, ‘ସ୍ତ୍ରୀ’, ‘ବଧାଇ ଦୋ’ ଓ ‘ସ୍ତ୍ରୀ ୨’ ଭଳି ଅନେକ ଫିଲ୍ମରେ ସେ ଅଭିନୟ କରିଥିଲେ।

ଛୋଟ ପରଦାରେ ମଧ୍ୟ ମୁସ୍ତାକ ଖାନଙ୍କ ଥିଲା ଲମ୍ବା ଇନିଂସ୍ । ‘ନୁକ୍କଡ଼’, ‘ୱାଗଲେ କି ଦୁନିଆ’, ‘ଭାରତ ଏକ ଖୋଜ’, ‘ଅଦାଲତ’ ଏବଂ ‘କୁଛ୍ ରଙ୍ଗ ପ୍ୟାର କେ ଐସେ ଭି’ ଭଳି ଧାରାବାହିକରେ ସେ ଅଭିନୟ କରିଥିଲେ। ଅସୁସ୍ଥତା ସତ୍ତ୍ୱେ ମଧ୍ୟ ଶେଷ ସମୟ ପର୍ଯ୍ୟନ୍ତ ସେ କାମ ସହିତ ଜଡ଼ିତ ଥିଲେ। ମୃତ୍ୟୁର କିଛି ଦିନ ପୂର୍ବରୁ ମଧ୍ୟ ସେ ଶୁଟିଂ କରୁଥିଲେ। ପଛରେ ପତ୍ନୀ ସଲମା, ଦୁଇ ପୁଅ ଅର୍ଶଦ ଓ ମୋହସିନ୍ ଏବଂ ଝିଅ ସବାଙ୍କୁ ଛାଡ଼ିଯାଇଛନ୍ତି।
ମୁଶ୍ତାକ ଖାନ ହୁଏତ ଆଉ ପରଦାରେ ନୂଆ ଚରିତ୍ରରେ ଦେଖାଯିବେ ନାହିଁ। କିନ୍ତୁ ‘ୱେଲକମ୍’ର ବଲ୍ଲୁ ହସାଇବ, ‘ଗଦର’ର ଗୁଲ୍ ଖାନ ମନେ ପକାଇବ, ଆଉ ତାଙ୍କର ଅସଂଖ୍ୟ ଛୋଟ ଛୋଟ ଚରିତ୍ର ଦର୍ଶକଙ୍କ ସ୍ମୃତିରେ ତାଙ୍କୁ ଜୀବନ୍ତ ରଖିବ।
ମୁଶ୍ତାକ ଖାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି।

What's Your Reaction?

like

dislike

love

funny

angry

sad

wow