ବିକ୍ରମ ପଣ୍ଡାଙ୍କ ନାଁରେ ନୂଆ ମାମଲା: ଜେଲ୍ରୁ ସାକ୍ଷୀଙ୍କୁ ଧମକ ଅଭିଯୋଗ
ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ୍ରୁ ଫୋନ୍ କରି ଧମକ ଓ ପ୍ରଲୋଭିତ କରିବା ଅଭିଯୋଗରେ ବିକ୍ରମ ପଣ୍ଡାଙ୍କ ବିରୋଧରେ ନୂଆ ମାମଲା ରୁଜୁ ହୋଇଛି।
ଜେଲ୍ ଡାକ୍ତରଙ୍କ ମୋବାଇଲ୍ରୁ ଫୋନ୍ ଯାଇଥିବା ଅଭିଯୋଗ ପରେ ଡାକ୍ତରଙ୍କୁ ପ୍ରାୟ ୩ ଘଣ୍ଟା ପଚରାଉଚରା କରାଯାଇଛି ।
ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ୍ ଭିତରୁ ଫୋନ୍ କରି ଧମକ ଦେବା ଓ ପ୍ରଲୋଭିତ କରିବା ଅଭିଯୋଗକୁ ନେଇ ପୂର୍ବତନ ବ୍ରହ୍ମପୁର ବିଧାୟକ ତଥା ବିଜେଡି ନେତା ବିକ୍ରମ କୁମାର ପଣ୍ଡାଙ୍କ ଅଡୁଆ ବଢ଼ିଛି। ଏହି ଅଭିଯୋଗ ସମ୍ପର୍କିତ ଏକ ଅଡିଓ ରେକର୍ଡିଂ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବାବେଳେ, ଏହାକୁ ନେଇ ପୋଲିସ ତଦନ୍ତ ଆହୁରି ଜୋରଦାର କରିଛି। ତେବେ ଭାଇରାଲ୍ ଅଡିଓର ସତ୍ୟତା ଓ ଏଥିରେ ଥିବା କଥୋପକଥନର ପ୍ରାମାଣିକତା ତଦନ୍ତ ପରେ ସ୍ପଷ୍ଟ ହେବ। ସୂଚନା ଅନୁସାରେ, ପୀତବାସ ପଣ୍ଡା ହତ୍ୟା ମାମଲାର ଜଣେ ଗୁରୁତ୍ୱପୂର୍ଣ୍ଣ ସାକ୍ଷୀ ଲଳିତ ମୋହନ ମଙ୍ଗରାଜଙ୍କୁ ଅଗଷ୍ଟ ୨୮ ତାରିଖରେ ବ୍ରହ୍ମପୁର ସର୍କଲ ଜେଲ୍ର ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ମୋବାଇଲ୍ରୁ ଫୋନ୍ ଯାଇଥିବା ଅଭିଯୋଗ ହୋଇଛି।
ପୋଲିସ ଅନୁସାରେ, ଡାକ୍ତରଙ୍କ ଚାମ୍ବରକୁ ବିକ୍ରମ ପଣ୍ଡା ଓ ତାଙ୍କ ସହଯୋଗୀ ମଦନ ଦଳେଇ ଯାଇଥିବା ପରେ ଡାକ୍ତର ନିଜ ମୋବାଇଲ୍ରୁ ସାକ୍ଷୀଙ୍କୁ ଫୋନ୍ କରିଥିଲେ। ପରେ ବିକ୍ରମ ପଣ୍ଡା ସାକ୍ଷୀଙ୍କ ସହ କଥା ହୋଇଥିବା ଅଭିଯୋଗ ରହିଛି। ଭାଇରାଲ୍ ହେଉଥିବା ଅଡିଓରେ ଡାକ୍ତର ସୁଶାନ୍ତ ପାଣିଗ୍ରାହୀ ପ୍ରଥମେ ଲଳିତ ମୋହନ ମଙ୍ଗରାଜଙ୍କ ସହ କଥା ହେଉଥିବା ଶୁଣିବାକୁ ମିଳୁଥିବା ଦାବି କରାଯାଉଛି। ପରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ କଥା ହେବା ପାଇଁ ଫୋନ୍ ଦେଇଥିବା ଦାବି ହୋଇଛି। ଅଭିଯୋଗକାରୀଙ୍କ କହିବା ଅନୁସାରେ, କଥାବାର୍ତ୍ତା ସମୟରେ ସାକ୍ଷୀଙ୍କୁ ମାମଲାରେ ତାଙ୍କ ବୟାନ ପରିବର୍ତ୍ତନ କରିବାକୁ ପ୍ରଲୋଭନ ଦିଆଯାଇଥିଲା ଏବଂ ଏହାକୁ ନମାନିବା ପରେ ଧମକ ଦିଆଯାଇଥିଲା। ମଙ୍ଗରାଜ ପରେ ଏହି କଥୋପକଥନର ଏକ ଅଡିଓ ରେକର୍ଡିଂ ପୋଲିସକୁ ଦେଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।
ଘଟଣା ସାମ୍ନାକୁ ଆସିବା ପରେ ବ୍ରହ୍ମପୁର ପୋଲିସ ଜେଲ୍ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କୁ ପ୍ରାୟ ୩ ଘଣ୍ଟା ଧରି ପଚରାଉଚରା କରିଛି। ତାଙ୍କ ମୋବାଇଲ୍ ମଧ୍ୟ ଜବତ କରାଯାଇଥିବା ରିପୋର୍ଟ ରହିଛି। ପୋଲିସ ଏବେ ମୋବାଇଲ୍ର କଲ୍ ଡିଟେଲ୍, ହ୍ୱାଟ୍ସଆପ୍ ରେକର୍ଡ ଓ ଜେଲ୍ର CCTV ଫୁଟେଜ୍ ଯାଞ୍ଚ କରୁଛି। ଏହି ଯାଞ୍ଚରୁ କିଏ ଫୋନ୍ ବ୍ୟବହାର କରିଥିଲା, କେବେ ବ୍ୟବହାର କରାଯାଇଥିଲା ଏବଂ ସାକ୍ଷୀଙ୍କୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ କଥାବାର୍ତ୍ତା ହୋଇଥିଲା କି ନାହିଁ, ତାହା ସ୍ପଷ୍ଟ କରିବାକୁ ତଦନ୍ତକାରୀମାନେ ଚେଷ୍ଟା କରୁଛନ୍ତି ।
ଏହି ଘଟଣାକୁ ନେଇ ଗୋଶାଣୀନୂଆଗାଁ ଥାନାରେ ବିକ୍ରମ ପଣ୍ଡା, ମଦନ ଦଳେଇ ଓ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୋଲିସର ପ୍ରାଥମିକ ତଦନ୍ତରେ ଜେଲ୍ ଡାକ୍ତରଙ୍କ ମୋବାଇଲ୍ ନମ୍ବରରୁ ସାକ୍ଷୀଙ୍କୁ ଫୋନ୍ ଯାଇଥିବା ସୂଚନା ମିଳିଛି। ଡାକ୍ତରଙ୍କ ବିରୋଧରେ ବିଭାଗୀୟ ପଦକ୍ଷେପ ପାଇଁ ସରକାରଙ୍କୁ ଚିଠି ଲେଖାଯିବ ବୋଲି ମଧ୍ୟ ପୋଲିସ ପକ୍ଷରୁ କୁହାଯାଇଛି। ଅନ୍ୟପଟେ, ଜେଲ୍ରେ ମୋବାଇଲ୍ ଫୋନ୍ ବ୍ୟବହାର କିପରି ହେଲା, ଏହା ପଛରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ଏବଂ ଭାଇରାଲ୍ ଅଡିଓରେ ଥିବା କଥୋପକଥନର ସତ୍ୟତା କ’ଣ- ଏସବୁ ଦିଗରୁ ତଦନ୍ତ ଚାଲିଛି। ବିକ୍ରମ ପଣ୍ଡା ବର୍ତ୍ତମାନ ଜାମିନରେ ବାହାରେ ଥିବାବେଳେ, ତଦନ୍ତକାରୀମାନେ ତାଙ୍କୁ ମଧ୍ୟ ପଚରାଉଚରା କରିପାରନ୍ତି। ମଦନ ଦଳେଇ ଜେଲ୍ରେ ଥିବାରୁ ତାଙ୍କୁ ପଚରାଉଚରା ପାଇଁ ମାଜିଷ୍ଟ୍ରେଟ୍ଙ୍କ ଅନୁମତି ନିଆଯିବ ବୋଲି ପୋଲିସ ସୂଚନା ଦେଇଛି ।
What's Your Reaction?