ସଂସଦର ଶୀତକାଳୀନ ଅଧିବେଶନକୁ ନେଇ ଅନିଶ୍ଚିତତା: ଡିସେମ୍ବର ପ୍ରଥମ ସପ୍ତାହରେ ଡକାଯାଇପାରେ ସ୍ବତନ୍ତ୍ର ଅଧିବେଶନ
୨୦୨୭ରେ ଉତ୍ତର ପ୍ରଦେଶ ଓ ପଞ୍ଜାବ ସମେତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାବେଳେ ସଂସଦର ଆଗାମୀ ଶୀତକାଳୀନ ଅଧିବେଶନକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଡିସେମ୍ବର ପ୍ରଥମ ସପ୍ତାହରେ ନିୟମିତ ଶୀତକାଳୀନ ଅଧିବେଶନ ପରିବର୍ତ୍ତେ ମେସୗୁମୀ ଅଧିବେଶନ ଅବଧି...
୨୦୨୭ରେ ଉତ୍ତର ପ୍ରଦେଶ ଓ ପଞ୍ଜାବ ସମେତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାବେଳେ ସଂସଦର ଆଗାମୀ ଶୀତକାଳୀନ ଅଧିବେଶନକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଡିସେମ୍ବର ପ୍ରଥମ ସପ୍ତାହରେ ନିୟମିତ ଶୀତକାଳୀନ ଅଧିବେଶନ ପରିବର୍ତ୍ତେ ମେସୗୁମୀ ଅଧିବେଶନ ଅବଧି ବଢ଼ାଇ ଦୁଇରୁ ତିନିଦିନିଆ ସ୍ବତନ୍ତ୍ର ବୈଠକ ଡାକିବାକୁ ସରକାର ବିଚାର କରୁଥିବା ଜଣାପଡ଼ିଛି। ଡିସେମ୍ବର ୧ ଓ ୨ ପରେ ଏହି ବୈଠକ ହୋଇପାରେ।
ଚର୍ଚ୍ଚା ଅନୁଯାୟୀ, ଡିସେମ୍ବର ୩ରୁ ୫ ତାରିଖ ମଧ୍ୟରେ କିମ୍ବା ଡିସେମ୍ବର ୬ ତାରିଖରେ ହଠାତ୍ ସଂସଦର ବୈଠକ ଡକାଯାଇପାରେ। ନିୟମିତ ଶୀତକାଳୀନ ଅଧିବେଶନ ଡାକିବା ପାଇଁ ପ୍ରଚଳିତ ପରମ୍ପରା ଅନୁଯାୟୀ ଅତିକମ୍ରେ ୧୪ ଦିନ ପୂର୍ବରୁ ସୂଚନା ଦେବା ଆବଶ୍ୟକ। ଅନ୍ୟପକ୍ଷରେ ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନ ଥିବାରୁ ନିୟମିତ ଅଧିବେଶନର ସମ୍ଭାବନା କମ୍ ଥିବା କୁହାଯାଉଛି। ଡିସେମ୍ବର ୮ ପୂର୍ବରୁ ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇପାରେ। କାରଣ ଡିସେମ୍ବର ୮ରେ ବିଜେପି ଓ ଶିରୋମଣି ଅକାଳୀ ଦଳ ପଞ୍ଜାବରେ ମେଗା ରାଲି କରିବାକୁ ଯାଉଛନ୍ତି।
ଦୁଇ-ତୃତୀୟାଂଶ ସମର୍ଥନ ଆବଶ୍ୟକ
ସ୍ୱତନ୍ତ୍ର ବୈଠକରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ କରାଇବା ଉପରେ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ରହିଛି। ସେଗୁଡ଼ିକ ହେଉଛି ୨୦୨୬ର ସଂସଦୀୟ ନିର୍ବାଚନମଣ୍ଡଳୀ ପୁନଃନିର୍ଦ୍ଧାରଣ ବିଲ୍ ଓ ସମ୍ବିଧାନର ୧୩୧ତମ ସଂଶୋଧନ ବିଲ୍। ଏହି ସମ୍ବିଧାନ ସଂଶୋଧନ ବିଲ୍ ମାଧ୍ୟମରେ ନିର୍ବାଚନମଣ୍ଡଳୀ ପୁନଃନିର୍ଦ୍ଧାରଣ ସହ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ଏକ-ତୃତୀୟାଂଶ ଆସନ ସଂରକ୍ଷଣ ସୁନିଶ୍ଚିତ କରିବାର ପ୍ରସ୍ତାବ ରହିଛି। ଏହି ବିଲ୍ ପାରିତ କରିବା ପାଇଁ ଲୋକସଭାରେ ଦୁଇ-ତୃତୀୟାଂଶ ସମର୍ଥନ ଆବଶ୍ୟକ। ବର୍ତ୍ତମାନର ୫୪୩ ସଦସ୍ୟ ବିଶିଷ୍ଟ ଲୋକସଭାରେ ଏଥିପାଇଁ ୩୬୧ ଜଣ ସଦସ୍ୟଙ୍କ ସମର୍ଥନ ଦରକାର। ଲୋକସଭା ନିୟମର ୧୫ ନମ୍ବର ନିୟମ ଅନୁଯାୟୀ, ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲେ ମଧ୍ୟ ଆନୁଷ୍ଠାନିକ ଭାବେ ସମାପ୍ତ ଘୋଷଣା ହୋଇନଥିଲେ ବାଚସ୍ପତି ଯେକୌଣସି ସମୟରେ ବୈଠକ ଡାକିପାରିବେ। ଅଗଷ୍ଟ ୧୩ରେ ଉଭୟ ସଦନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା।
ଏହାସହ ଡିସେମ୍ବର ୮ରେ ପଞ୍ଜାବରେ ବିଜେପି ଓ ଅକାଳୀ ଦଳର ମିଳିତ ସମାବେଶ ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି। ଡିସେମ୍ବର ୧୫ରୁ ୧୮ ମଧ୍ୟରେ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଥିବା ଅନୁମାନ କରାଯାଇଛି।
What's Your Reaction?