ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ହଇରାଣ କରିବା ଘଟଣା, ବଢ଼ିଲା ସୁରକ୍ଷା, ନିୟୋଜିତ ହେବେ ୩୦ ସୁରକ୍ଷା କର୍ମୀ
ପୂର୍ବରୁ ମନ୍ଦିରରେ ମାତ୍ର ୨ ଜଣ ପୁଲିସ କର୍ମୀ ଓ ୨ ଜଣ ସୁରକ୍ଷା କର୍ମୀ ନିୟୋଜିତ ଥିବାବେଳେ, ବର୍ତ୍ତମାନ ତାହାକୁ ବୃଦ୍ଧି କରାଯାଇ ୩୦ରୁ ଅଧିକ ସୁରକ୍ଷା କର୍ମୀ ନିୟୋଜିତ କରାଯିବ।
ଭକ୍ତଙ୍କ ସୁରକ୍ଷା ଓ ଗତିବିଧି ଉପରେ କଡ଼ା ନଜର ରଖିବା ପାଇଁ ଏବଂ ମନ୍ଦିର ପରିସରର ସ୍ୱଚ୍ଛତା ବଜାୟ ରଖିବା ପାଇଁ ସ୍ୱତନ୍ତ୍ର ସଫେଇ କର୍ମୀମାନଙ୍କୁ ମଧ୍ୟ ନିୟୋଜିତ କରାଯିବ।
ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ହଇରାଣ ଅଭିଯୋଗ। ଭକ୍ତଙ୍କ ସୁରକ୍ଷା ଏବଂ ଶୃଙ୍ଖଳା ରକ୍ଷା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ମନ୍ଦିରରେ ମାତ୍ର ୨ ଜଣ ପୁଲିସ କର୍ମୀ ଓ ୨ ଜଣ ସୁରକ୍ଷା କର୍ମୀ ନିୟୋଜିତ ଥିବାବେଳେ, ବର୍ତ୍ତମାନ ତାହାକୁ ବୃଦ୍ଧି କରାଯାଇ ୩୦ରୁ ଅଧିକ ସୁରକ୍ଷା କର୍ମୀ ନିୟୋଜିତ କରାଯିବ। ଭକ୍ତଙ୍କ ସୁରକ୍ଷା ଓ ଗତିବିଧି ଉପରେ କଡ଼ା ନଜର ରଖିବା ପାଇଁ ଏବଂ ମନ୍ଦିର ପରିସରର ସ୍ୱଚ୍ଛତା ବଜାୟ ରଖିବା ପାଇଁ ସ୍ୱତନ୍ତ୍ର ସଫେଇ କର୍ମୀମାନଙ୍କୁ ମଧ୍ୟ ନିୟୋଜିତ କରାଯିବ। ମନ୍ଦିରରେ ପୂର୍ବରୁ ଅଣ-ସେବାୟତଙ୍କ ଦ୍ୱାରା ଭକ୍ତମାନଙ୍କଠାରୁ ଜୋରଜବରଦସ୍ତି ଟଙ୍କା ଆଦେଶ କରିବା ଏବଂ ଧମକଚମକ ଦେବା ଭଳି ସଙ୍ଗୀନ ଅଭିଯୋଗଗୁଡ଼ିକ କ୍ରମାଗତ ଭାବେ ଆସୁଥିଲା। ଏହି ସମସ୍ୟାର ସ୍ଥାୟୀ ସମଧାନ ପାଇଁ ପ୍ରଶାସନ ଏହି କଡ଼ା ପଦକ୍ଷେପ ନେଇଛି। ଅଳ୍ପଦିନ ଭିତରେ ଏହି ସମସ୍ତ ବ୍ୟବସ୍ଥା କାର୍ୟ୍ୟକାରୀ ହେବ। ଏ ପ୍ରସଙ୍ଗରେ ଆମ ପ୍ରତିନିଧି ଅରୁଣ ରାଉତ ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ସହିତ ବିଶେଷ ଆଲୋଚନା କରିଛନ୍ତି।
ମନ୍ଦିରକୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁ ଯେପରି କୌଣସି ପ୍ରକାର ହଇରାଣ କିମ୍ବା ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଦର୍ଶନ ବ୍ୟବସ୍ଥା ଠାରୁ ଆରମ୍ଭ କରି ମନ୍ଦିର ପରିସରରେ ଶୃଙ୍ଖଳା ରକ୍ଷା ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟବସ୍ଥା ଉପରେ ରହିବ କଡ଼ା ନଜର। କୌଣସି ବ୍ୟକ୍ତି ଯଦି ଭକ୍ତଙ୍କୁ ହଇରାଣ କରନ୍ତି କିମ୍ବା ଜୋରଜବରଦସ୍ତି ଟଙ୍କା ଆଦାୟ କରିବାକୁ ଚେଷ୍ଟା କରନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
ବିଶେଷକରି ଦୂରଦୂରାନ୍ତରୁ ସାକ୍ଷୀଗୋପାଳଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଏକ ସୁରକ୍ଷିତ ଓ ସୁବ୍ୟବସ୍ଥିତ ପରିବେଶ ଯୋଗାଇଦେବା ହେଉଛି ପ୍ରଶାସନର ପ୍ରମୁଖ ଲକ୍ଷ୍ୟ। ମନ୍ଦିର ପରିସରରେ ଭିଡ଼ ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା ଏବଂ ସ୍ୱଚ୍ଛତାକୁ ନେଇ ନୂଆ ଯୋଜନା କାର୍ଯ୍ୟକାରୀ ହେଲେ ଶ୍ରଦ୍ଧାଳୁମାନେ ଅଧିକ ସୁବିଧାରେ ଦର୍ଶନ କରିପାରିବେ ବୋଲି ଆଶା କରାଯାଉଛି। ତେବେ ପ୍ରଶାସନର ଏହି ନୂଆ ପଦକ୍ଷେପ ପରେ ସାକ୍ଷୀଗୋପାଳ ମନ୍ଦିରର ବ୍ୟବସ୍ଥାରେ କେତେ ପରିବର୍ତ୍ତନ ଆସୁଛି ଏବଂ ଶ୍ରଦ୍ଧାଳୁଙ୍କ ହଇରାଣ ସମସ୍ୟାର ସ୍ଥାୟୀ ସମାଧାନ ହେଉଛି କି ନାହିଁ, ତାହା ଉପରେ ରହିବ ସମସ୍ତଙ୍କ ନଜର। ଅଳ୍ପଦିନ ମଧ୍ୟରେ ୩୦ରୁ ଅଧିକ ସୁରକ୍ଷା କର୍ମୀ ଓ ସ୍ୱତନ୍ତ୍ର ସଫେଇ କର୍ମଚାରୀ ନିୟୋଜିତ ହେବା ପରେ ମନ୍ଦିରରେ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି କୁହାଯାଉଛି।
What's Your Reaction?