ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପୁଣି ହଲଚଲ, କୋର୍ଟରେ ବିଦ୍ୟାଭାରତୀଙ୍କ ଆତ୍ମସମର୍ପଣ; ଆଗାମୀ ଶୁଣାଣି ଉପରେ ନଜର
ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପୁଣି ଆସିଛି ନୂଆ ମୋଡ଼ । ଦୀର୍ଘ ଦିନର ନିରବତା ପରେ ଏବେ ଚର୍ଚ୍ଚାକୁ ଆସିଛନ୍ତି ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ।
ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପୁଣି ଆସିଛି ନୂଆ ମୋଡ଼ । ଦୀର୍ଘ ଦିନର ନିରବତା ପରେ ଏବେ ଚର୍ଚ୍ଚାକୁ ଆସିଛନ୍ତି ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା । ପାରଳାଖେମୁଣ୍ଡି ଏସଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ବିଦ୍ୟାଭାରତୀ । ଅନ୍ୟପଟେ ଏହି ମାମଲାରେ ଆଗୁଆ ଜାମିନ ଆବେଦନକୁ ନେଇ ହାଇକୋର୍ଟରେ ମଧ୍ୟ ଶୁଣାଣି ହୋଇଛି । ହେଲେ ବିଦ୍ୟାଭାରତୀଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଦେଇଛନ୍ତି ଉଚ୍ଚ ନ୍ୟାୟାଳୟ ।
କେବଳ ସେତିକି ନୁହେଁ, ମାମଲାର ତଦନ୍ତ ସମ୍ପର୍କିତ କେସ୍ ଡାଏରି ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଛୁଟି ପରେ ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତେଣୁ ଏବେ ଏହି ମାମଲାର ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଉପରେ ସମସ୍ତଙ୍କ ନଜର । ମନେପକାନ୍ତୁ, ୨୦୨୧ ଜୁଲାଇ ୧୨ ତାରିଖ । ଗଜପତି ଜିଲ୍ଲାରେ କାର୍ଯ୍ୟରତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ନିଜ ସରକାରୀ ବାସଭବନରେ ନିଆଁରେ ପୋଡ଼ି ଗୁରୁତର ହୋଇଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାଟି ସେତେବେଳେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା ।
ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ଆରମ୍ଭରୁ ଉଠିଥିଲା ଅନେକ ପ୍ରଶ୍ନ। ତାଙ୍କ ବାପା ଅଭିରାମ ମହାପାତ୍ର ଏହାକୁ ହତ୍ୟା ବୋଲି ଅଭିଯୋଗ କରିଥିଲେ । ଏଥିରେ ବୋହୂ ବିଦ୍ୟାଭାରତୀ ଏବଂ ତତ୍କାଳୀନ ଡିଏଫଓଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ସେ ଅଭିଯୋଗ ଆଣିଥିଲେ । ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲା । ବିଦ୍ୟାଭାରତୀଙ୍କ ଅବହେଳାକୁ ନେଇ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଅଭିଯୋଗ ଉଠାଯାଇଥିବା ବେଳେ ତାଙ୍କୁ ନୋଟିସ୍ ଜାରି କରି ତଦନ୍ତ ଶେଷ କରାଯାଇଥିଲା । ଏହି ମାମଲାରେ ତତ୍କାଳୀନ ଡିଏଫଓ ଏବଂ ରୋଷେୟା ପୂର୍ବରୁ ଜେଲରେ ଅଛନ୍ତି ।
ତେବେ ପାଞ୍ଚ ବର୍ଷ ପରେ ପୁଣି ଥରେ ଏହି ବହୁଚର୍ଚ୍ଚିତ ମାମଲା ଚର୍ଚ୍ଚାକୁ ଆସିଛି । ବିଦ୍ୟାଭାରତୀଙ୍କ ଆତ୍ମସମର୍ପଣ, ଆଗୁଆ ଜାମିନ ଆବେଦନ ଉପରେ ହାଇକୋର୍ଟଙ୍କ ନିଷ୍ପତ୍ତି ଏବଂ ଆଗାମୀ ଶୁଣାଣି ଏହି ମାମଲାକୁ ପୁଣି ଥରେ ନୂଆ ଦିଗ ଦେଇଛି ।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧, ଜୁଲାଇ ୧୨ ରାତିରେ ଗଜପତିଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଫରେଷ୍ଟ କଲୋନିସ୍ଥିତ ନିଜ ସରକାରୀ ବାସଭବନରେ ଏସିଏଫ୍ ସୌମ୍ୟରଞ୍ଜନ ସନ୍ଦେହଜନକ ଅବସ୍ଥାରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ। ୧୩ ତାରିଖ ଦିନ ତାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସୌମ୍ୟରଞ୍ଜନଙ୍କ ପତ୍ନୀ, ତତ୍କାଳୀନ ଡିଏଫଓ ଓ ରୋଷେୟାଙ୍କ ସଂପୃକ୍ତି ଥିବା ପରିବାର ତରଫରୁ ଅଭିଯୋଗ କରାଯାଇଥିଲା ।
ତଦନ୍ତକାରୀ ସଂସ୍ଥାର ତଦନ୍ତରେ ଅସନ୍ତୋଷବ୍ୟକ୍ତ କରି ସୌମ୍ୟରଂଜନଙ୍କ ବାପା ଅଭିରାମ ମହାପାତ୍ର ଏସଡିଜେଏମ ଅଦାଲତରେ ପ୍ରୋଟେଷ୍ଟ ପିଟିସନ ଦାୟର କରିଥିଲେ । ୨୦୨୩, ଏପ୍ରିଲ ୧୨ରେ ପାରଳାଖେମୁଣ୍ଡି ଏସଡିଜେଏମ ଅଦାଲତ ଏହି ପିଟିସନର ଶୁଣାଣି କରି ବିଦ୍ୟାଭାରତୀ, ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ଆଇପିସିର ଦଫା ୩୦୨ ଓ ୧୨୦-ଖ’ରେ କଗନିଜାନ୍ସ ଗ୍ରହଣ କରିଥିଲେ । ଏହି କଗନିଜାନ୍ସ ନିର୍ଦ୍ଦେଶ ବିରୋଧରେ ବିଦ୍ୟାଭାରତୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ପୂର୍ବରୁ ନିରାଶ ହୋଇଥିଲେ। ୨୦୨୫, ଅକ୍ଟୋବର ୨୩ରେ ତତ୍କାଳୀନ ଡିଏଫଓ ଶ୍ରୀ ବେହେରା ଓ ରୋଷେୟା ଶ୍ରୀ କୁମ୍ଭଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟ ଖାରଜ କରିଥିଲେ।
What's Your Reaction?