୧୯୭୦ ଦଶକର 'ମାରୁତି ପ୍ରକଳ୍ପ' ନେଇ ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ୍ କଲେ ନିଶିକାନ୍ତ ଦୁବେ
୧୯୭୦ ଦଶକର ବହୁଚର୍ଚ୍ଚିତ ''ମାରୁତି ପ୍ରକଳ୍ପ'' ପ୍ରସଙ୍ଗ ଉଠାଇ ବିଜେପି ସାଂସଦ ନିଶିକାନ୍ତ ଦୁବେ ଶନିବାର କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସରକାର ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ''ଏକ୍ସ'' ରେ ନିଜର...
୧୯୭୦ ଦଶକର ବହୁଚର୍ଚ୍ଚିତ ''ମାରୁତି ପ୍ରକଳ୍ପ'' ପ୍ରସଙ୍ଗ ଉଠାଇ ବିଜେପି ସାଂସଦ ନିଶିକାନ୍ତ ଦୁବେ ଶନିବାର କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସରକାର ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ''ଏକ୍ସ'' ରେ ନିଜର ‘କଂଗ୍ରେସର କଳା ଅଧ୍ୟାୟ’ ସିରିଜର ୨୫୦ତମ ଭାଗରେ ଦୁବେ ଦାବି କରିଛନ୍ତି ଯେ, ସେତେବେଳେ ଜଣେ ବିଦେଶୀ ନାଗରିକ ହୋଇଥିବା ସତ୍ତ୍ୱେ ସୋନିଆ ଗାନ୍ଧୀ ''ମାରୁତି ଟେକ୍ନିକାଲ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍''ର ପରିଚାଳନା ନିର୍ଦ୍ଦେଶକ ତଥା ୫୦ ପ୍ରତିଶତ ଅଂଶୀଦାର ହୋଇଥିଲେ।
ନିଶିକାନ୍ତ ଦୁବେ ନିଜ ପୋଷ୍ଟରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଭାରତ ସରକାରଙ୍କ ନିୟମ ଅନୁଯାୟୀ କୌଣସି ବିଦେଶୀ ନାଗରିକ ଭାରତୀୟ କମ୍ପାନୀର ନିର୍ଦ୍ଦେଶକ ହୋଇପାରିବେ ନାହିଁ, ତେବେ ୧୯୭୦ ମସିହାରେ ସୋନିଆ ଗାନ୍ଧୀ କିପରି ନିର୍ଦ୍ଦେଶକ ହେଲେ? ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ୧୯୭୦ ନଭେମ୍ବର ୨୧ ତାରିଖରେ ସଞ୍ଜୟ ଗାନ୍ଧୀ ସୋନିଆ ଗାନ୍ଧୀଙ୍କ କମ୍ପାନୀ ଏମଟିଏସ୍ ସହ ଏକ ଚୁକ୍ତିନାମା କରିଥିଲେ। କମ୍ପାନୀ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠା ହେବା ପୂର୍ବରୁ ହିଁ ୧୯୬୮ ମସିହାରେ କାର ନିର୍ମାଣ ପାଇଁ ସରକାରୀ ଅନୁମତି ପତ୍ର ମିଳିଯାଇଥିଲା ଏବଂ ୧୯୬୯ ମସିହାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିଜ ବୋହୂଙ୍କ କମ୍ପାନୀକୁ କାର ନିର୍ମାଣ କରିବାକୁ କ୍ୟାବିନେଟ୍ ଆଦେଶ ଜାରି କରିଥିଲେ ବୋଲି ଦୁବେ ଦାବି କରିଛନ୍ତି।
ସରକାରଙ୍କ ଖର୍ଚ୍ଚରେ ବିଶ୍ୱ ଭ୍ରମଣ
ବିଜେପି ସାଂସଦଙ୍କ ଅଭିଯୋଗ ଅନୁଯାୟୀ, ୧୯୭୨ ଏପ୍ରିଲ ୩ ତାରିଖରେ ସଞ୍ଜୟ ଗାନ୍ଧୀ କମ୍ପାନୀ କାର୍ଯ୍ୟରେ ଭାରତ ସରକାରଙ୍କ ଖର୍ଚ୍ଚରେ ବିଶ୍ୱ ଭ୍ରମଣ କରିଥିଲେ। ଏହାବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭିତରେ ଏକ ଘରୋଇ କମ୍ପାନୀର ଅଫିସ୍ କିପରି ଖୋଲାଗଲା ଏବଂ ଇନ୍ଦିରା ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ତଥା ବ୍ୟକ୍ତିଗତ ସଚିବ ଆର.କେ. ଧୱନ କିପରି ଏହାର ନିର୍ଦ୍ଦେଶକ ହେଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ସେତେବେଳର ହରିୟାଣା ସରକାରଙ୍କ ନିୟମ ଅନୁଯାୟୀ ବିଦେଶୀ ନାଗରିକଙ୍କ ନାମରେ ଜମି ଆବଣ୍ଟନ ହୋଇପାରୁ ନଥିବା ବେଳେ ୧୯୭୦ ମସିହାରେ ସୋନିଆ ଗାନ୍ଧୀଙ୍କୁ କିପରି ଜମି ଦିଆଯାଇଥିଲା, ସେନେଇ ମଧ୍ୟ ଦୁବେ ପ୍ରଶ୍ନ ଉଠାଇଛନ୍ତି। କେବଳ ସେତିକି ନୁହେଁ, ଗାନ୍ଧୀ ପରିବାର ସହ ଜଡ଼ିତ କମ୍ପାନୀଗୁଡ଼ିକୁ ଋଣ ଯୋଗାଇ ଦେବା ପାଇଁ ହିଁ ବ୍ୟାଙ୍କ ଜାତୀୟକରଣ କରାଯାଇଥିଲା କି ବୋଲି ନିଶିକାନ୍ତ ଦୁବେ ପ୍ରଶ୍ନ କରିଛନ୍ତି। କମ୍ପାନୀ କାର୍ଯ୍ୟକ୍ଷମ ହେବା ପୂର୍ବରୁ ବସ୍ ବଡି ନିର୍ମାଣ ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କୁ ଅଗ୍ରୀମ ଅର୍ଥ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ସରକାରୀ କମ୍ପାନୀଗୁଡ଼ିକ ବିନା ଦେୟରେ ମାରୁତିକୁ ସିମେଣ୍ଟ, ଇସ୍ପାତ ଓ କୋଇଲା ଯୋଗାଇ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।
ନିଜର କୌଣସି ପୁଞ୍ଜି ନିବେଶ ନକରି ଏବଂ ଇନ୍ଦିରା ଗାନ୍ଧୀଙ୍କ ଅନୁକମ୍ପାରୁ କିପରି ଏତେ ବଡ଼ କମ୍ପାନୀ ଗଢ଼ି ଉଠିଥିଲା, ସେ ବିଷୟରେ ସୋନିଆ ଗାନ୍ଧୀ ନିଜ ପୁସ୍ତକରେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ବିଜେପି ସାଂସଦ ଆହ୍ୱାନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ୧୯୭୭ ମସିହାରେ ସଞ୍ଜୟ ଗାନ୍ଧୀଙ୍କ ମାରୁତି ପ୍ରକଳ୍ପ ବିବାଦର ତଦନ୍ତ ପାଇଁ ଏକ ତଦନ୍ତ କମିଶନ ମଧ୍ୟ ଗଠନ କରାଯାଇଥିଲା।
What's Your Reaction?