୩୫ ଟଙ୍କାରୁ କୋଟିପତି, କେତେ କୋଟିର ମାଲିକ ଥିଲେ ନାନା ପାଟେକର!

Oct 8, 2026 - 13:43
୩୫ ଟଙ୍କାରୁ କୋଟିପତି, କେତେ କୋଟିର ମାଲିକ ଥିଲେ ନାନା ପାଟେକର!

ନାନା ପାଟେକରଙ୍କ ଆନୁମାନିକ ନେଟ୍‌ୱର୍ଥ ୫୦–୮୦ କୋଟି ଟଙ୍କା । ମୁମ୍ବାଇ, ଗୋଆ ଓ ପୁଣେରେ ତାଙ୍କ ସମ୍ପତ୍ତି ସହ ୨୭ ଏକରର ଫାର୍ମହାଉସ୍‌ ଥିଲା । କୋଟିପତି ହୋଇଥିଲେ ମଧ୍ୟ ସେ ଜୀବନ ବିତାଉଥିଲେ ଅତ୍ୟନ୍ତ ସରଳ ଭାବେ ଏବଂ କୃଷକଙ୍କ ପାଇଁ କରୁଥିଲେ ସମାଜସେବା । 

 ବଲିଉଡ୍‌ର ଭେଟେରାନ୍ ଅଭିନେତା ନାନା ପାଟେକରଙ୍କ ଦେହାନ୍ତ ପରେ ଏବେ ଚର୍ଚ୍ଚାରେ ତାଙ୍କ ଦୀର୍ଘ ସିନେମା କ୍ୟାରିୟର ସହ ତାଙ୍କ ସମ୍ପତ୍ତି, ଆୟ ଓ ସରଳ ଜୀବନଶୈଳୀ । ପ୍ରାୟ ୫ ଦଶନ୍ଧି ଧରି ଅଭିନୟ ଜଗତରେ ସକ୍ରିୟ ଥିବା ନାନା ପାଟେକର ନିଜ ଅଭିନୟ, ନିର୍ଦ୍ଦେଶନା ଓ ଫିଲ୍ମ ନିର୍ମାଣ ମାଧ୍ୟମରେ ବିପୁଳ ଧନସମ୍ପତ୍ତି ଅର୍ଜନ କରିଥିଲେ । ତେବେ ଏତେ ଟଙ୍କା ଓ ସମ୍ପତ୍ତି ଥିଲେ ମଧ୍ୟ ତାଙ୍କ ଜୀବନଶୈଳୀ ଥିଲା ଅତ୍ୟନ୍ତ ସରଳ ।

କେତେ ଥିଲା ନାନା ପାଟେକରଙ୍କ ସମ୍ପତ୍ତି?

ନାନା ପାଟେକରଙ୍କ ପ୍ରକୃତ ନେଟ୍‌ୱର୍ଥ କେବେ ସାର୍ବଜନୀନ ଭାବେ ନିଶ୍ଚିତ ହୋଇନାହିଁ । କିନ୍ତୁ ବିଭିନ୍ନ ମିଡିଆ ରିପୋର୍ଟରେ ତାଙ୍କ ସମ୍ପତ୍ତି ପ୍ରାୟ ୫୦ରୁ ୮୦ କୋଟି ଟଙ୍କା ମଧ୍ୟରେ ଥିବା ଦାବି କରାଯାଇଛି । କିଛି ରିପୋର୍ଟରେ ଏହାଠାରୁ ଅଧିକ ଆକଳନ ମଧ୍ୟ କରାଯାଇଛି । କିନ୍ତୁ ନାନାଙ୍କ ଆର୍ଥିକ ଯାତ୍ରା ଆରମ୍ଭ ହୋଇଥିଲା ଖୁବ୍ କମ୍ ବୟସରୁ । ପ୍ରାୟ ୧୩ ବର୍ଷ ବୟସରେ ସେ ମୁମ୍ବାଇରେ ସିନେମା ପୋଷ୍ଟର ରଙ୍ଗ କରି କାମ କରୁଥିଲେ । ଏଥିପାଇଁ ତାଙ୍କୁ ମାସକୁ ମାତ୍ର ୩୫ ଟଙ୍କା ମିଳୁଥିଲା ବୋଲି ରିପୋର୍ଟ ରହିଛି । କାମକୁ ଯିବା ପାଇଁ ସେ ପ୍ରାୟ ୮ କିଲୋମିଟର ଚାଲି ଯାଉଥିଲେ ।

ପରେ Gaman, Ankush, Parinda, Krantiveer ଏବଂ Agni Sakshi ଭଳି ଫିଲ୍ମରେ ସଫଳତା ପାଇବା ସହ ତାଙ୍କ ଆୟ ମଧ୍ୟ ବଢ଼ିଥିଲା । ରିପୋର୍ଟ ଅନୁସାରେ, ୧୯୯୦ ଦଶକର ମଧ୍ୟଭାଗରେ ସେ ଗୋଟିଏ ଫିଲ୍ମ ପାଇଁ ପ୍ରାୟ ୧ କୋଟି ୨୫ ଲକ୍ଷ ଟଙ୍କା ନେଉଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ଫି ପ୍ରାୟ ୨ରୁ ୩ କୋଟି ଟଙ୍କା ଥିବା ରିପୋର୍ଟ ରହିଛି ।

ଅଭିନୟ ବ୍ୟତୀତ କେଉଁଠୁ ଆସୁଥିଲା ଆୟ?

ନାନା କେବଳ ଅଭିନେତା ନୁହେଁ, ସେ ନିର୍ଦ୍ଦେଶକ ଓ ଲେଖକ ଭାବେ ମଧ୍ୟ କାମ କରିଥିଲେ । ଏହା ସହ ବିଭିନ୍ନ ବ୍ରାଣ୍ଡର ବିଜ୍ଞାପନରୁ ମଧ୍ୟ ତାଙ୍କର ଆୟ ହେଉଥିଲା । CenturyPly, Mahyco Monsanto, Tata Play/Tata Sky, Namrata Group ଏବଂ Kute Group ଭଳି ବ୍ରାଣ୍ଡ ସହ ସେ ଜଡ଼ିତ ଥିବା ରିପୋର୍ଟ ରହିଛି । ବିଜ୍ଞାପନରୁ ତାଙ୍କ ଆୟ ପ୍ରାୟ ୮୦ ଲକ୍ଷରୁ ୧ କୋଟି ଟଙ୍କା ମଧ୍ୟରେ ଥିବା ଆକଳନ କରାଯାଇଛି ।

କାର୍‌ରେ ମଧ୍ୟ ଥିଲା ସାଦାପଣ!

ନାନା ପାଟେକରଙ୍କ ଗାଡ଼ି ସଂଗ୍ରହରେ Mahindra Scorpio, Mahindra Jeep ଏବଂ Audi ଭଳି କାର୍ ଥିବା ଜଣାପଡ଼ିଛି । ତେବେ ତାଙ୍କ ସରଳ ଜୀବନଶୈଳୀର ଏକ ଉଦାହରଣ ମଧ୍ୟ ଅନେକ ସମୟରେ ଚର୍ଚ୍ଚାକୁ ଆସିଛି । Agni Sakshiର ଲେଖକ ରଣବୀର ପୁଷ୍ପଙ୍କ କହିବା ଅନୁସାରେ, ନାନା ପ୍ରାୟ ୧ କୋଟି ୫୦ ଲକ୍ଷ ଟଙ୍କାର ଏକ ଦାମୀ କାର୍ ନେବାକୁ ମନା କରିଥିଲେ। ବଦଳରେ ସେହି ଟଙ୍କାକୁ ଆତ୍ମହତ୍ୟା କରିଥିବା କୃଷକଙ୍କ ପରିବାରକୁ ସାହାଯ୍ୟ କରିବାରେ ବ୍ୟବହାର କରିଥିବା କୁହାଯାଏ ।

ମୁମ୍ବାଇରୁ ଗୋଆ, ପୁଣେରୁ ମୁରୁଡ଼—କେଉଁଠି ଥିଲା ସମ୍ପତ୍ତି?

ନାନା ପାଟେକରଙ୍କ ନାଁରେ ମୁମ୍ବାଇ, ଗୋଆ, ପୁଣେ ଓ ମୁରୁଡ଼ରେ ସମ୍ପତ୍ତି ଥିବା ମଧ୍ୟ ଜଣାପଡ଼ିଛି । ମୁମ୍ବାଇର ଅନ୍ଧେରୀରେ ତାଙ୍କ ପ୍ରାୟ ୭୫୦ ବର୍ଗଫୁଟ୍‌ର ୧ BHK ଫ୍ଲାଟ୍ ଥିଲା । ଏହି ଘରଟିକୁ ସେ ଦଶନ୍ଧି ତଳେ ପ୍ରାୟ ୧ ଲକ୍ଷ ୧୦ ହଜାର ଟଙ୍କାରେ କିଣିଥିବା ଦାବି କରାଯାଏ। ବର୍ତ୍ତମାନ ଏହାର ମୂଲ୍ୟ ପ୍ରାୟ ୩ କୋଟି ଟଙ୍କା ବୋଲି କିଛି ରିପୋର୍ଟରେ ଆକଳନ କରାଯାଇଛି । ଏହା ବ୍ୟତୀତ ଗୋଆର ଡୋନା ପାଉଲା, ପୁଣେର ଲ’ କଲେଜ୍ ରୋଡ୍ ଏବଂ ମୁରୁଡ଼ରେ ମଧ୍ୟ ତାଙ୍କର ସମ୍ପତ୍ତି ଥିବା ରିପୋର୍ଟ ରହିଛି ।

୨୭ ଏକରର ବିଶାଳ ଫାର୍ମହାଉସ୍

ନାନା ପାଟେକରଙ୍କର ପୁଣେର ଖଡକୱାସଲା ନିକଟରେ ପ୍ରାୟ ୨୭ ଏକରର ଏକ ବିଶାଳ ଫାର୍ମହାଉସ୍ ଥିଲା । ଏଠାରେ ୭ଟି ରୁମ୍ ଏବଂ ଏକ ବଡ଼ ହଲ୍ ଥିବା କୁହାଯାଏ । ତେବେ ଏହି ଜମିକୁ ସେ କେବଳ ଛୁଟି କାଟିବା ପାଇଁ ବ୍ୟବହାର କରୁନଥିଲେ। ଏଠାରେ ଚାଷ ମଧ୍ୟ କରାଯାଉଥିଲା । ଗହମ ଓ ଧାନ ଭଳି ଫସଲ ଚାଷ କରାଯାଉଥିଲା। ଉତ୍ପାଦିତ ଫସଲ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବିକ୍ରି କରାଯାଉଥିଲା । ଏଥିରୁ ମିଳୁଥିବା ଆୟର ଏକ ଅଂଶ କୃଷି ଶ୍ରମିକ ଓ ସ୍ଥାନୀୟ କୃଷକଙ୍କ ସହାୟତାରେ ବ୍ୟବହାର କରାଯାଉଥିବା ରିପୋର୍ଟ ରହିଛି ।

ସମ୍ପତ୍ତି ଥିଲା, କିନ୍ତୁ ହୃଦୟ ଥିଲା କୃଷକଙ୍କ ପାଇଁ

ନାନା ପାଟେକରଙ୍କ ପରିଚୟ କେବଳ ଜଣେ ବଡ଼ ଅଭିନେତା ଭାବେ ନୁହେଁ, ଜଣେ ସମାଜସେବୀ ଭାବେ ମଧ୍ୟ ରହିଛି । ୨୦୧୫ ମସିହାରେ ଅଭିନେତା ମକରନ୍ଦ ଅନାସପୁରେଙ୍କ ସହ ମିଶି ସେ Naam Foundation ଆରମ୍ଭ କରିଥିଲେ । ଏହି ଫାଉଣ୍ଡେସନ୍ ମରୁଡ଼ି ପ୍ରଭାବିତ କୃଷକ ଓ ସେମାନଙ୍କ ପରିବାରକୁ ସହାୟତା କରିବା ସହ ପାଣି ସଂରକ୍ଷଣ, ଗାଁର ବିକାଶ, ଶିକ୍ଷା ଓ ଦକ୍ଷତା ବିକାଶ ଭଳି କାମରେ ଜଡ଼ିତ ରହିଛି ।

ତେଣୁ ନାନା ପାଟେକରଙ୍କ କାହାଣୀ କେବଳ ଜଣେ ସଫଳ ଅଭିନେତାଙ୍କ କାହାଣୀ ନୁହେଁ । ମାସକୁ ୩୫ ଟଙ୍କାରୁ ରୋଜଗାର ଆରମ୍ଭ କରି କୋଟି କୋଟି ଟଙ୍କାର ସମ୍ପତ୍ତି ଅର୍ଜନ କରିଥିଲେ ମଧ୍ୟ, ତାଙ୍କ ସରଳ ଜୀବନଶୈଳୀ ଓ କୃଷକଙ୍କ ପାଇଁ ସେବା ତାଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ପରିଚୟ ଦେଇଥିଲା । 

What's Your Reaction?

like

dislike

love

funny

angry

sad

wow