IIT ବମ୍ବେରେ ଛାତ୍ର ମୃତ୍ୟୁକୁ ନେଇ ତଦନ୍ତ ଜୋରଦାର! ଦୁଲ୍ଲାଙ୍କୁ ଆଜି ଜେରା
IIT ବମ୍ବେ ଛାତ୍ର ସାହିଲ ୱାକୋଡେଙ୍କ ମୃତ୍ୟୁ ମାମଲାରେ ପ୍ରଫେସର ସୂର୍ଯ୍ୟନାରାୟଣ ଦୁଲ୍ଲାଙ୍କୁ ଛୁଟିରେ ପଠାଇଛି IIT ବମ୍ବେ । ଘଟଣାର ଯାଞ୍ଚ ପାଇଁ ୧୦ ଜଣିଆ କମିଟି ଗଠନ ହୋଇଥିବା ବେଳେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ଆଜି ଦୁଲ୍ଲାଙ୍କୁ ପଚରାଉଚରା କରିବ ।
IIT ବମ୍ବେରେ ଛାତ୍ର ମୃତ୍ୟୁ ଘଟଣାକୁ ନେଇ ତଦନ୍ତ ଜୋରଦାର । BTech ଛାତ୍ର ସାହିଲ ୱାକୋଡେଙ୍କ ମୃତ୍ୟୁକୁ ନେଇ ଅଧ୍ୟାପକ ସୂର୍ଯ୍ୟନାରାୟଣ ଦୁଲ୍ଲାଙ୍କୁ ଛୁଟିରେ ପଠାଇଛି IIT ବମ୍ବେ । ଘଟଣାର ସମସ୍ତ ପରିସ୍ଥିତିର ଯାଞ୍ଚ ପାଇଁ ଅନୁଷ୍ଠାନ ପକ୍ଷରୁ ୧୦ ଜଣିଆ ଏକ କମିଟି ମଧ୍ୟ ଗଠନ କରାଯାଇଛି । ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି IIT ପାଲକ୍କାଡ୍ର ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ଚେୟାରମ୍ୟାନ୍ ପ୍ରଫେସର ରମେଶ ଭେଙ୍କଟେଶ୍ୱରନ୍ । ଏହି କମିଟିରେ ଅଧ୍ୟାପକ, ପ୍ରଶାସନିକ ଅଧିକାରୀ, ଛାତ୍ରଛାତ୍ରୀଙ୍କ ସହ ଜଣେ ମନୋଚିକିତ୍ସକଙ୍କୁ ମଧ୍ୟ ସାମିଲ କରାଯାଇଛି । ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କମିଟିକୁ କୁହାଯାଇଛି ।
ଅନ୍ୟପଟେ ଘଟଣାର ତଦନ୍ତ କରୁଥିବା ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ପ୍ରଫେସର ଦୁଲ୍ଲାଙ୍କୁ ପଚରାଉଚରା ପାଇଁ ଡକାଇଛି । ତଦନ୍ତକାରୀ ଅଧିକାରୀ ତାଙ୍କ ବୟାନ ରେକର୍ଡ କରିବେ । ଏହାର ପୂର୍ବରୁ ସାହିଲଙ୍କ ବାପା-ମାଆଙ୍କ ବୟାନ ମଧ୍ୟ ରେକର୍ଡ କରିଛି କ୍ରାଇମ୍ ବ୍ରାଞ୍ । ସାହିଲଙ୍କ ପରିବାର ପକ୍ଷରୁ ଜାତିଗତ ନିର୍ଯାତନା ଏବଂ ଚାପ ଦିଆଯାଇଥିବା ଅଭିଯୋଗ ହୋଇଛି । ପରିବାରର ଅଭିଯୋଗ ପରେ ମୁମ୍ବାଇ ପୁଲିସ ଏଫ୍ଆଇଆର୍ ରୁଜୁ କରି ମାମଲାକୁ କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରିଛି । ତେବେ ଏହି ଅଭିଯୋଗଗୁଡ଼ିକ ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ ଏବଂ ତଦନ୍ତ ଜାରି ରହିଛି ।
ଏହି ମାମଲାରେ CCTV ଫୁଟେଜ୍ ମଧ୍ୟ ଯାଞ୍ଚ କରୁଛି କ୍ରାଇମ୍ ବ୍ରାଞ୍ଚ । ପରୀକ୍ଷା ହଲ୍, IIT ବମ୍ବେ କ୍ୟାମ୍ପସ୍ ଏବଂ ହଷ୍ଟେଲର CCTV ଫୁଟେଜ୍ ଯାଞ୍ଚ କରି ସେପ୍ଟେମ୍ବର ୧୮ ତାରିଖରେ ସାହିଲଙ୍କ ଗତିବିଧିକୁ ଟ୍ରେସ୍ କରାଯାଉଛି । ତଦନ୍ତରେ ସାମ୍ନାକୁ ଆସିଥିବା ଫୁଟେଜ୍ ଅନୁସାରେ, ପରୀକ୍ଷା ସମୟରେ ସାହିଲଙ୍କୁ ପଚରାଯାଇଥିବା ଏବଂ ପରେ ସେ ଦିନ ପ୍ରାୟ ୧୨ଟା ୩୦ରୁ ୧୨ଟା ୪୫ ମଧ୍ୟରେ ପରୀକ୍ଷା ହଲ୍ରୁ ବାହାରିଥିବା ଜଣାପଡ଼ିଛି । ପରେ ସେ ପ୍ରାୟ ୧ଟା ୨୫ରେ ହଷ୍ଟେଲ ରୁମ୍ରେ ପହଞ୍ଚିଥିବା ତଦନ୍ତକାରୀମାନେ ଯାଞ୍ଚ କରୁଛନ୍ତି ।
ପୂର୍ବରୁ IIT ବମ୍ବେ ପକ୍ଷରୁ କୁହାଯାଇଥିଲା ଯେ, ପରୀକ୍ଷା ସମୟରେ ସାହିଲ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିଲେ ଏବଂ ପ୍ରଶ୍ନପତ୍ର ChatGPTରେ ଅପଲୋଡ୍ କରି ଉତ୍ତର ଖୋଜିଥିବା ଅଭିଯୋଗ ରହିଥିଲା । ପରେ ଅନୁଷ୍ଠାନ ପକ୍ଷରୁ ଏହି ଯୋଗାଯୋଗକୁ ନେଇ କ୍ଷମା ମଗାଯାଇଥିଲା। ତଦନ୍ତ ଶେଷ ହେବା ପୂର୍ବରୁ ଘଟଣାର ପୃଷ୍ଠଭୂମିକୁ ଏଭଳି ଭାବେ ବର୍ଣ୍ଣନା କରିବା ଉଚିତ ନଥିଲା ବୋଲି IIT ବମ୍ବେ କହିଥିଲା ।
ସେପଟେ ପ୍ରଫେସର ଦୁଲ୍ଲାଙ୍କୁ IIT ବମ୍ବେ ଫ୍ୟାକଲ୍ଟି ଫୋରମ୍ ପକ୍ଷରୁ ସମର୍ଥନ କରାଯାଇଛି। ଫ୍ୟାକଲ୍ଟି ଫୋରମ୍ର ଅଧ୍ୟକ୍ଷ ପ୍ରଫେସର ରାଜକୁମାର ଏସ୍. ପାଣ୍ଟ କହିଛନ୍ତି, ଦୁଲ୍ଲା ପରୀକ୍ଷାରେ ଇନଭିଜିଲେଟର ଭାବେ ନିଜ ଦାୟିତ୍ୱ ତୁଲାଉଥିଲେ। ଜାତିଗତ ମନ୍ତବ୍ୟ ସମ୍ପର୍କରେ କୌଣସି ନିଶ୍ଚିତ ପ୍ରମାଣ ନଥିବା ନେଇ ମଧ୍ୟ ସେ ମତ ରଖିଛନ୍ତି। ତେବେ ତଦନ୍ତ ଶେଷ ହେବା ପରେ ହିଁ ଚୂଡ଼ାନ୍ତ ନିଷ୍କର୍ଷକୁ ଆସିବା ଉଚିତ ବୋଲି କୁହାଯାଇଛି ।
ଏହି ଘଟଣାକୁ ନେଇ IIT ବମ୍ବେରେ ଛାତ୍ରଛାତ୍ରୀଙ୍କ ପ୍ରତିବାଦ ମଧ୍ୟ ଜାରି ରହିଛି । ସ୍ୱାଧୀନ ତଦନ୍ତ, ଶୃଙ୍ଖଳାଗତ ପ୍ରକ୍ରିୟାରେ ସଂସ୍କାର, ଅଭିଯୋଗ ସମାଧାନ ବ୍ୟବସ୍ଥା ଏବଂ ଛାତ୍ର ସହାୟତା ବ୍ୟବସ୍ଥାକୁ ନେଇ ଦାବି ଉଠିଛି । ଏବେ IIT ବମ୍ବେର ଆଭ୍ୟନ୍ତରୀଣ କମିଟି ଏବଂ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ଦୁଇଟି ଅଲଗା ଭାବେ ତଦନ୍ତ ଜାରି ରଖିଛନ୍ତି । CCTV ଫୁଟେଜ୍, ବୟାନ ଏବଂ ଅନ୍ୟାନ୍ୟ ପ୍ରମାଣକୁ ଯାଞ୍ଚ କରି ସାହିଲଙ୍କ ମୃତ୍ୟୁ ପୂର୍ବର ଘଟଣାକ୍ରମ ସ୍ପଷ୍ଟ କରିବାକୁ ଉଦ୍ୟମ ଚାଲିଛି ।
What's Your Reaction?