ପିଲାଙ୍କ ପାଇଁ ବ୍ୟାନ ହେଲା ସୋସିଆଲ ମିଡିଆ
୧୫ ବର୍ଷରୁ କମ୍ ବୟସର ଶିଶୁ ଓ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କଲା ୟୁଏଇ । ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ, ଅନଲାଇନ୍ ସୁରକ୍ଷା ଓ ଅତ୍ୟଧିକ ସ୍କ୍ରିନ୍ ସମୟକୁ ନେଇ ସୃଷ୍ଟି ହୋଇଥିବା ବିଶ୍ୱବ୍ୟାପୀ ଚିନ୍ତା ମଧ୍ୟରେ ୟୁଏଇ ସରକାର ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ୟୁଏଇ ସରକାରଙ୍କ ଦ୍ୱାରା ଅନୁମୋଦିତ ଏହି ନୂତନ ସଂକଳ୍ପ ଅନୁଯାୟୀ, ୧୫ ବର୍ଷରୁ କମ୍ ପିଲାମାନେ ନିଜ ନାମରେ କୌଣସି ବ୍ୟକ୍ତିଗତ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିପାରିବେ ନାହିଁ କିମ୍ବା ଏହି ପ୍ଲାଟଫର୍ମଗୁଡ଼ିକର ସମ୍ପୂର୍ଣ୍ଣ ଫିଚର୍ସ ବ୍ୟବହାର କରିପାରିବେ ନାହିଁ । ସାଇବର ବୁଲିଙ୍ଗ୍, କ୍ଷତିକାରକ କଣ୍ଟେଣ୍ଟ ଓ ନିଶା ଭଳି ଅନଲାଇନ୍ ଅଭ୍ୟାସରୁ ନାବାଳକମାନଙ୍କୁ ରକ୍ଷା କରିବା ପାଇଁ ବର୍ତ୍ତମାନ ବିଶ୍ୱର ବିଭିନ୍ନ ଶକ୍ତିଶାଳୀ ଦେଶ ଏଭଳି ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଛନ୍ତି । ୟୁଏଇ ପୂର୍ବରୁ ଅଷ୍ଟ୍ରେଲିଆ ଗତବର୍ଷ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ଆକାଉଣ୍ଟ ରଖିବା ଆଇନଗତ ଭାବେ ବନ୍ଦ କରିଥିଲା । ବର୍ତ୍ତମାନ ବ୍ରିଟେନ ଓ ମାଲେସିଆ ମଧ୍ୟ ଏହି ଦିଗରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ପ୍ରଧାନମନ୍ତ୍ରୀ ଷ୍ଟାରମର କହିଛନ୍ତି, "ସୋସିଆଲ ମିଡିଆ ପିଲାମାନଙ୍କୁ ଅସନ୍ତୁଷ୍ଟ କରୁଛି, ଯାହା ପ୍ରତ୍ୟେକ ପିତାମାତା ନିଜ ଆଖିରେ ଦେଖିପାରୁଛନ୍ତି ।" ତେବେ ବ୍ରିଟେନର ଏହି ନିୟମରୁ ‘ୟୁଟ୍ୟୁବ୍ କିଡ୍ସ’ ଏବଂ ମେସେଜିଂ ଆପ୍ ଯଥା ହ୍ୱାଟ୍ସଆପ୍ ଓ ସିଗନାଲ୍କୁ ମୁକ୍ତ ରଖାଯିବ ।
What's Your Reaction?