ମଦ ମାଫିଆଙ୍କ ଦବଙ୍ଗଗିରି, ଅବକାରୀ ଗାଡ଼ି ଉପରେ ପଥରମାଡ଼

Sep 13, 2026 - 11:16
 0  1
ମଦ ମାଫିଆଙ୍କ ଦବଙ୍ଗଗିରି, ଅବକାରୀ ଗାଡ଼ି ଉପରେ ପଥରମାଡ଼

ପାର୍ବଣ ଋତୁ ଆସୁଥିବାରୁ ସକ୍ରିୟ ହୋଇଛନ୍ତି ମଦ ବେପାରୀ । ବେଆଇନ ମଦ କାରବାର ରୋକିବାକୁ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ, ୟୁନିଟ୍-୨ ପକ୍ଷରୁ ସୋର ନାୟକବନ୍ଧ ଛକ ନିକଟରେ ଚଢ଼ାଉ କରାଯାଇଥିଲା । 

ପାର୍ବଣ ଋତୁ ଆସୁଥିବାରୁ ସକ୍ରିୟ ହୋଇଛନ୍ତି ମଦ ବେପାରୀ । ବେଆଇନ ମଦ କାରବାର ରୋକିବାକୁ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ, ୟୁନିଟ୍-୨ ପକ୍ଷରୁ ସୋର ନାୟକବନ୍ଧ ଛକ ନିକଟରେ ଚଢ଼ାଉ କରାଯାଇଥିଲା । ଏହି ସମୟରେ ଅବକାରୀ ଟିମ୍‌ ମଦ ମାଫିଆଙ୍କ ଆକ୍ରୋଶର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

କଟକ କେନ୍ଦ୍ରାଞ୍ଚଳ ଅବକାରୀ ନିର୍ଦ୍ଦେଶକ ବିକାଶ ନାୟକଙ୍କ ନିର୍ଦ୍ଦେଶରେ ଅବକାରୀ ନିରୀକ୍ଷକ ଡମ୍ବରୁଧର ଖଟୁଆଙ୍କ ତତ୍ତ୍ୱାବଧାନରେ ଅବକାରୀ ଅଧିକାରୀ ଅବନୀ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଟିମ୍‌ ୧୬ ନମ୍ବର ଜାତୀୟ ରାଜପଥ ନାୟକବନ୍ଧ ଛକ ନିକଟରେ ଏକ ପିକଅପ୍‌କୁ ଅଟକାଇଥିଲେ । ପିକଅପ୍‌ଟିକୁ କିଛି ଯୁବକ ଏସ୍‌କର୍ଟ କରୁଥିବା ବେଳେ ହଠାତ୍ ଅବକାରୀ ଟିମ୍‌ର ଗାଡ଼ି ଉପରକୁ ପଥରମାଡ଼ କରିବା ସହ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ପଥରମାଡ଼ରେ ଅବକାରୀ ବିଭାଗର ବୋଲେରୋ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ଟିମ୍‌ ପକ୍ଷରୁ ଯାଞ୍ଚ ଜାରି ରଖାଯାଇଥିଲା ।

ଯାଞ୍ଚ ବେଳେ ପିକଅପ୍‌ରୁ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଥିଲା । ଏହାସହ ପିକଅପ୍‌କୁ ଜବତ କରି ନୀଳଗିରି ଗ୍ରାମର ଘାଟଘର ସାହି ଅଞ୍ଚଳର ତପନ ମଲ୍ଲିକଙ୍କୁ ଗିରଫ କରାଯାଇଛି। ପରେ ତାଙ୍କର ସୋର ମେଡିକାଲରେ ଡାକ୍ତରୀ ମାଇନା କରାଯାଇଥିବା ସୂଚନା ମିଳିଛି । ଏହି ଚଢ଼ାଉରେ ସବ୍‌-ଇନ୍ସପେକ୍ଟର ଶ୍ରୀଧର ସିଂ, ଉର୍ମିଳା ବେହେରା, ଏଏସ୍‌ଆଇ ପ୍ରଶାନ୍ତ ପରିଡ଼ା, କନେଷ୍ଟବଳ ବସନ୍ତ କୁମାର ମଲ୍ଲିକ, କିଷାନ କୁମାର ସାବୁତ ଓ ଅଶ୍ୱିନୀ ପରିଡ଼ା ପ୍ରମୁଖ ସାମିଲ ଥିଲେ । ତେବେ ଅବକାରୀ ଟିମ୍‌ ଉପରେ ଆକ୍ରମଣ ଅଭିଯୋଗ ହୋଇଥିଲେ ମଧ୍ୟ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଚର୍ଚ୍ଚାର ବିଷୟ ହୋଇଛି ।

ଅବକାରୀ ବିଭାଗ ଓ ମଦ ବେପାରୀଙ୍କ ମଧ୍ୟରେ କୌଣସି ସମ୍ପର୍କ ରହିଛି କି, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏନେଇ କଟକ କେନ୍ଦ୍ରାଞ୍ଚଳ ଅବକାରୀ ନିର୍ଦ୍ଦେଶକ ବିକାଶ ନାୟକ, ଅବକାରୀ ନିରୀକ୍ଷକ ଡମ୍ବରୁଧର ଖଟୁଆ ଓ ଅବକାରୀ ଅଧିକାରୀ ଅବନୀ କୁମାର ମହାପାତ୍ରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯିବ କି, ତାକୁ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି । 

What's Your Reaction?

like

dislike

love

funny

angry

sad

wow