ମାନିଲା ପାକିସ୍ତାନ, ପିଓକେ ବିଦେଶୀ ଅଞ୍ଚଳ

ପାକିସ୍ତାନ ଅଧିକୃତ କଶ୍ମୀର ତଥା ପିଓକେକୁ ନେଇ ବଡ଼ ସ୍ୱୀକାରୋକ୍ତି କରିଛି ଇସଲାମାବାଦ। ପିଓକେ ଗୋଟିଏ ବିଦେଶୀ ଅଞ୍ଚଳ ଓ ଏହା ଉପରେ ପାକିସ୍ତାନ ସରକାରଙ୍କର କୌଣସି କର୍ତ୍ତୃତ୍ୱ ନାହିଁ ବୋଲି ଆଜି ଇସଲାମାବାଦ ଉଚ୍ଚନ୍ୟାୟଳୟରେ କହିଛି ପାକିସ୍ତାନ ।କଶ୍ମୀର କବି ତଥା ସାମ୍ବାଦିକ ଅହମଦ ଫରହାଦ ଶାହଙ୍କ ଅପହରଣ ମାମଲାର ଶୁଣାଣି ବେଳେ ଉଚ୍ଚନ୍ୟାୟଳୟରେ ଏପରି କଥା ଉପସ୍ଥାପନ କରିଛନ୍ତି ପାକିସ୍ତାନର ଅତିରିକ୍ତ ଆଟର୍ଣ୍ଣି ଜେନେରାଲ ।ମେ’ ୧୫ରେ ଫାର୍ହାଦଙ୍କୁ ତାଙ୍କ ରାଓ୍ବଲପିଣ୍ଡି ସ୍ଥିତ ବାସଭବନରୁ କରାଯାଇଥିଲା ଅପହରଣ । ତାଙ୍କ ସ୍ତ୍ରୀଙ୍କ ପିଟିଶନ୍ର ଶୁଣାଣି କରି ଉଚ୍ଚନ୍ୟାୟଳୟ ବିଚାରପତି ଜଷ୍ଟିସ୍ ମୋହସିନ ଅଖତର କୟାନି କବି ଫାର୍ହାଦଙ୍କୁ ନ୍ୟାୟଳୟରେ ହାଜର କରାଇବାକୁ ଚାହିଁଥିଲେ। ଅତିରିକ୍ତ ଆଟର୍ନି ଜେନେରାଲ ଉକ୍ତ ମାମଲା ଉପରେ ଯୁକ୍ତି ବାଢ଼ୁଥିବାବେଳେ ଫାର୍ହାଦ ପିଓକେ ପୋଲିସ ହାଜତରେ ରହିଥିବାରୁ ନ୍ୟାୟଳୟରେ ହାଜର କରାଯାଇପାରିବ ନାହିଁ ବୋଲି କହିଥିଲେ। ପିଓକେ ଏକ ବିଦେଶୀ ଅଞ୍ଚଳ, ଏହାର ନିଜସ୍ବ ସମ୍ବିଧାନ ଓ ନ୍ୟାୟଳୟ ରହିଛି। ତେଣୁ ପାକିସ୍ତାନୀ ଅଦାଲତଙ୍କ ରାୟକୁ ପିଓକେରେ ବିଦେଶୀ ଅଦାଲତ ରାୟ ଭାବେ ନିଆଯାଇଥାଏ ବୋଲି କହିଥିଲେ ଅତିରିକ୍ତ ଆଟର୍ନି ଜେନେରାଲ। ଯଦି ପିଓକେ ବିଦେଶୀ ଅଞ୍ଚଳ ତେବେ ସେଠାରେ ପାକିସ୍ତାନୀ ସେନା ଓ ରେଞ୍ଜର୍ସମାନେ ପ୍ରବେଶ କରୁଛନ୍ତି କିପରି ବୋଲି ଜବାବରେ ପ୍ରଶ୍ନ କରିଥିଲେ ବିଚାରପତି ।
What's Your Reaction?






