ହାଇଦ୍ରାବାଦ ସ୍ଥିତ 'ମେଟା' କାର୍ଯ୍ୟାଳୟରେ ଯୁବ କଂଗ୍ରେସ କର୍ମୀଙ୍କ ଭଙ୍ଗାରୁଜା

Nov 21, 2026 - 14:51
ହାଇଦ୍ରାବାଦ ସ୍ଥିତ 'ମେଟା' କାର୍ଯ୍ୟାଳୟରେ ଯୁବ କଂଗ୍ରେସ କର୍ମୀଙ୍କ ଭଙ୍ଗାରୁଜା

ଭାରତୀୟ ଯୁବ କଂଗ୍ରେସର ଦୁଇ ଜଣ ଶୀର୍ଷ ପଦାଧିକାରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ କଟକଣା ଲଗାଯିବାକୁ ବିରୋଧ କରି ତେଲେଙ୍ଗାନା ଯୁବ କଂଗ୍ରେସ କର୍ମୀମାନେ ଶୁକ୍ରବାର ହାଇଦ୍ରାବାଦ ସ୍ଥିତ ''ମେଟା'' କାର୍ଯ୍ୟାଳୟ ପରିସରରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। 

ଭାରତୀୟ ଯୁବ କଂଗ୍ରେସର ଦୁଇ ଜଣ ଶୀର୍ଷ ପଦାଧିକାରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ କଟକଣା ଲଗାଯିବାକୁ ବିରୋଧ କରି ତେଲେଙ୍ଗାନା ଯୁବ କଂଗ୍ରେସ କର୍ମୀମାନେ ଶୁକ୍ରବାର ହାଇଦ୍ରାବାଦ ସ୍ଥିତ ''ମେଟା'' କାର୍ଯ୍ୟାଳୟ ପରିସରରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ରାଜ୍ୟ ସଭାପତି ଜାକ୍କିଡି ଶିବଚରଣ ରେଡ୍ଡୀଙ୍କ ନେତୃତ୍ୱରେ ବିକ୍ଷୋଭକାରୀମାନେ କାର୍ଯ୍ୟାଳୟର କରିଡର ଓ କାଫେଟେରିଆ ନିକଟରେ ଧସେଇ ପଶିବା ସହ ଫୁଲକୁଣ୍ଡ ଫିଙ୍ଗି ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାକୁ ନେଇ ଏବେ ଜାତୀୟ ରାଜନୀତି ସରଗରମ ହୋଇଥିବା ବେଳେ ବିଜେପି ଏବଂ ବିଆରଏସ୍ ପକ୍ଷରୁ କଂଗ୍ରେସକୁ ''ଗୁଣ୍ଡାମାନଙ୍କ ଦଳ'' ବୋଲି ଆଖ୍ୟା ଦେଇ ତୀବ୍ର ସମାଲୋଚନା କରାଯାଇଛି।

ସୂଚନା ମୁତାବକ, ମେଟା ପକ୍ଷରୁ ଭାରତୀୟ ଯୁବ କଂଗ୍ରେସର ଜାତୀୟ ସଭାପତି ଉଦୟ ଭାନୁ ଚିବ୍ ଏବଂ ଜାତୀୟ ପ୍ରଭାରୀ ମନୀଷ ଶର୍ମାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଉପରେ କଟକଣା ଲଗାଯାଇଥିଲା। ଏହାକୁ କେନ୍ଦ୍ର ସରକାରଙ୍କ ରାଜନୈତିକ ହସ୍ତକ୍ଷେପ ବୋଲି ଅଭିଯୋଗ କରି ଯୁବ କଂଗ୍ରେସ କର୍ମୀମାନେ ମେଟା ଏବଂ ବିଜେପି ବିରୋଧରେ ନାରାବାଜି କରିଥିଲେ। ଅନ୍ୟପକ୍ଷରେ, ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ''ଏକ୍ସ''ରେ ପୋଷ୍ଟ କରାଯାଇ ଆଗାମୀ ସାତ ଦିନ ମଧ୍ୟରେ ସମସ୍ତ ଆକାଉଣ୍ଟ ଓ ପୋଷ୍ଟ ଉପରୁ କଟକଣା ନହଟାଇଲେ ଅଦାଲତ, ରାଜରାସ୍ତା ଏବଂ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଜିନତ୍ ଶବରିନଙ୍କ ନେତୃତ୍ୱରେ ବିକ୍ଷୋଭ
ସେହିପରି ମୁମ୍ବାଇର ବିକେସି ସ୍ଥିତ ମେଟା କାର୍ଯ୍ୟାଳୟ ବାହାରେ ମଧ୍ୟ ମୁମ୍ବାଇ ଯୁବ କଂଗ୍ରେସ ସଭାପତି ଜିନତ୍ ଶବରିନଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ଓ ଆରଏସଏସ ବିରୋଧୀ ସ୍ୱରକୁ ଚପାଇ ଦେବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ଅଭିଯୋଗ କରି କର୍ମୀମାନେ କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପୋଷ୍ଟର ଜାଳିଥିଲେ। ସେପଟେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଏହି ପ୍ରସଙ୍ଗରେ ମେଟା ଏବଂ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ବିଦେଶୀ କମ୍ପାନୀଗୁଡ଼ିକ ଭାରତରେ ବ୍ୟବସାୟ କରିବା ଉଚିତ, ରାଜନୀତି ନୁହେଁ ଏବଂ ସରକାର ମଧ୍ୟ ସେମାନଙ୍କ ଉପରେ ଅଯଥା ଚାପ ପକାଇବା ଅନୁଚିତ।

କଂଗ୍ରେସ ଦଳ ହେଉଛି ଗୁଣ୍ଡାମାନଙ୍କ ଦଳ: ପ୍ରଦୀପ ଭଣ୍ଡାରୀ
ଅନ୍ୟପକ୍ଷରେ, ହାଇଦ୍ରାବାଦ କାର୍ଯ୍ୟାଳୟରେ ହୋଇଥିବା ଭଙ୍ଗାରୁଜା ଘଟଣାକୁ ବିଜେପି କଡ଼ା ଭାଷାରେ ନିନ୍ଦା କରିଛି। ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ କଂଗ୍ରେସ ଦଳ ହେଉଛି ଗୁଣ୍ଡାମାନଙ୍କ ଦଳ। ଘରୋଇ କମ୍ପାନୀ କାର୍ଯ୍ୟାଳୟରେ ଭଙ୍ଗାରୁଜା କରି ସୋସିଆଲ ମିଡିଆରେ ତାହାର ପ୍ରଚାର କରିବା ହିଁ କଂଗ୍ରେସ ମଡେଲ୍ ଏବଂ ଏହି କାରଣରୁ କଂଗ୍ରେସ ଶାସନ କାଳରେ ଭାରତ ଏକ ଦୁର୍ବଳ ଅର୍ଥନୀତି ଥିଲା। ସେହିପରି ବିଆରଏସ୍ ନେତା କେ.ଟି. ରାମା ରାଓ ମଧ୍ୟ କଂଗ୍ରେସ କର୍ମୀଙ୍କୁ ''ଗୁଣ୍ଡା'' ବୋଲି ସମ୍ବୋଧନ କରି କହିଛନ୍ତି ଯେ, ଦଶନ୍ଧି ଧରି ଶିଳ୍ପ ଅନୁକୂଳ ନୀତି ଯୋଗୁଁ ''ବ୍ରାଣ୍ଡ୍ ହାଇଦ୍ରାବାଦ'' ଗଢ଼ି ଉଠିଥିଲା ଏବଂ ମେଟା ଏଠାରେ ଭାରତର ସର୍ବବୃହତ କ୍ୟାମ୍ପସ୍ ସ୍ଥାପନ କରିଥିଲା। ଗତକାଲିର ଏହି ଘଟଣା କେବଳ କାଚ ଭାଙ୍ଗି ନାହିଁ, ବରଂ ''ବ୍ରାଣ୍ଡ୍ ହାଇଦ୍ରାବାଦ''ର ବିଶ୍ୱାସକୁ ଭାଙ୍ଗି ଦେଇଛି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି।

What's Your Reaction?

like

dislike

love

funny

angry

sad

wow