ଇରାନ ଯୁଦ୍ଧର ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ ନେଇ ସଚେତନତା ସହ ସଂଘର୍ଷ ବନ୍ଦ ପାଇଁ ବାର୍ତ୍ତା: ହର୍ମୁଜ୍‌ରେ ପହଁରିଲେ ବ୍ରିଟିଶ ଆଥଲେଟ୍ ଲୁଇସ୍ ପଗ୍

Nov 21, 2026 - 14:40
ଇରାନ ଯୁଦ୍ଧର ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ ନେଇ ସଚେତନତା ସହ ସଂଘର୍ଷ ବନ୍ଦ ପାଇଁ ବାର୍ତ୍ତା: ହର୍ମୁଜ୍‌ରେ ପହଁରିଲେ ବ୍ରିଟିଶ ଆଥଲେଟ୍ ଲୁଇସ୍ ପଗ୍

ଇରାନ ଯୁଦ୍ଧ ଯୋଗୁଁ ବନ୍ୟପ୍ରାଣୀଙ୍କ ଉପରେ ପଡୁଥିବା ପ୍ରଭାବ ନେଇ ବ୍ରିଟେନ ପହଁରାଳି ଲୁଇସ୍ ପଗ୍ ସଚେତନତା ସୃଷ୍ଟି ତଥା ଅନ୍ତର୍ଜାତୀୟସ୍ତରରେ ଦୃଷ୍ଟି ଆକର୍ଷଣ କରିବା ପାଇଁ ଉତ୍ତର ମେରୁ ଏବଂ ଆଣ୍ଟାର୍କଟିକାରେ ପହଁରିଛନ୍ତି। 

ଇରାନ ଯୁଦ୍ଧ ଯୋଗୁଁ ବନ୍ୟପ୍ରାଣୀଙ୍କ ଉପରେ ପଡୁଥିବା ପ୍ରଭାବ ନେଇ ବ୍ରିଟେନ ପହଁରାଳି ଲୁଇସ୍ ପଗ୍ ସଚେତନତା ସୃଷ୍ଟି ତଥା ଅନ୍ତର୍ଜାତୀୟସ୍ତରରେ ଦୃଷ୍ଟି ଆକର୍ଷଣ କରିବା ପାଇଁ ଉତ୍ତର ମେରୁ ଏବଂ ଆଣ୍ଟାର୍କଟିକାରେ ପହଁରିଛନ୍ତି। ଥଣ୍ଡା ପାଣି ଏବଂ କଠୋର ପରିସ୍ଥିତି ତଥା ଥଣ୍ଡା ପାଣି ଏବଂ ହେଉଥିବା ଆକ୍ରମଣକୁ ଭ୍ରୁକ୍ଷେପ ନକରି ସେ ହର୍ମୁଜ୍ ପ୍ରଣାଳୀରେ ପହଁରିଛନ୍ତି।

ଜାତିସଂଘରେ ମହାସାଗରର ପୃଷ୍ଠପୋଷକ ଥିବା ପଗ୍ ଇରାନ ଯୁଦ୍ଧ କିପରି ସମ୍ପୃକ୍ତ ଅଞ୍ଚଳର ପ୍ରାକୃତିକ ପରିବେଶ ଏବଂ ବନ୍ୟପ୍ରାଣୀଙ୍କୁ ବିପଦରେ ପକାଇଛି ତାହା ଉପରେ ଗୁରୁତ୍ବାରୋପ କରିବା ପାଇଁ ଚଳିତ ସପ୍ତାହରେ ତିନି ଦିନ ଧରି ବିପଦପୂର୍ଣ୍ଣ ଜଳପଥରେ ପହଁରିଛନ୍ତି। କେବଳ ପହଁରିବା ପୋଷାକ, ଚଷମା ଏବଂ ଜାତିସଂଘ ଲୋଗୋ ଥିବା ଏକ ଟୋପି ପିନ୍ଧି ନଭେମ୍ବର ୧୮ରେ ହର୍ମୁଜ୍‌ର ଦକ୍ଷିଣ ପ୍ରାନ୍ତରେ ଥିବା ଓମାନର ମୁସାଣ୍ଡମ୍ ଉପଦ୍ୱୀପରୁ ଯାତ୍ରା ଆରମ୍ଭ କରି ହର୍ମୁଜ୍ କେପ୍ ପରିକ୍ରମା କରି କରିଥିଲେ। ପ୍ରାୟ ୧୫ କିଲୋମିଟର ପହଁରି ସେ ନିଜର ସଚେତନତା ଯାତ୍ରା ଶେଷ କରିଥିଲେ।

ବିସ୍ଫୋରଣ ପରେ ଆସିଥିଲା ଯୁଦ୍ଧ ବିମାନ
ସେ କହିଛନ୍ତି, ପାଣିରେ ପ୍ରବେଶ କରିବାର କିଛି ମିନିଟ୍ ପରେ ଦୁଇଟି ଜୋରଦାର ବିସ୍ଫୋରଣ ଶୁଣିଥିଲେ। ସେ ଦେଖିଥିଲେ ପ୍ରାୟ ଚାରି କିଲୋମିଟର ଦୂରରେ ଏକ ତେଲ ଟ୍ୟାଙ୍କର ଜଳୁଥିଲା ବୋଲି ଲଣ୍ଡନ ଫେରିବା ପରେ ଆସୋସିଏଟେଡ୍ ପ୍ରେସକୁ କହିଛନ୍ତି। ବିସ୍ଫୋରଣ ପରେ ଯୁଦ୍ଧ ବିମାନ ମଧ୍ୟ ଆସିଥିଲା। ଏସବୁ ସତ୍ତ୍ବେ ୫୬ ବର୍ଷୀୟ ପଗ୍ ସେଠାରେ ରହି ତାଙ୍କର ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଥିଲେ।

କ୍ଷତିଗ୍ରସ୍ତ ଟ୍ୟାଙ୍କରରୁ ତୈଳ ଲିକ୍
ଯୁଦ୍ଧ ଯୋଗୁଁ କ୍ଷତି ହୋଇଥିବା ହର୍ମୁଜ୍‌ର ପ୍ରାକୃତିକ ଭଣ୍ଡାରର ପୁନରୁଦ୍ଧାର କରିବାକୁ ବର୍ଷ ବର୍ଷ, ଦଶନ୍ଧି ଲାଗିବ। ତେହେରାନ ଦ୍ୱାରା ବିଛାଯାଇଥିବା ସମୁଦ୍ର ମାଇନ୍ସରେ ଅନେକ ଟ୍ୟାଙ୍କର୍ ମଧ୍ୟ ଧକ୍କା ହୋଇଛି। କ୍ଷତିଗ୍ରସ୍ତ ଟ୍ୟାଙ୍କରରୁ ଲିକ୍ ହେଉଥିବା ତୈଳ ଦ୍ବାରା ପ୍ରଦୂଷଣ ବଢ଼ିବା ସହିତ ଉପକୂଳ, ପ୍ରବାଳ ପ୍ରାଚୀର, ଡଲଫିନ୍ ଏବଂ ସୁନ୍ଦରୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ପହଁରିବା ସମୟରେ ସେ ବହୁ ସଂଖ୍ୟକ ଡଲଫିନ୍, କଇଁଛ ଏବଂ ମାଛଖିଆ ଚିଲ ଦେଖିଥିବା କହିଛନ୍ତି।

ମୋର ବାର୍ତ୍ତା ଅତି ସରଳ
ତେଲ ଲିକ୍ ହେଲେ ରାସାୟନିକ ପ୍ରଦୂଷଣକୁ ସଫା କରିବା ବହୁତ କଷ୍ଟକର ହୋଇଥାଏ ଏବଂ ଏହା ପିଢ଼ି ପରେ ପିଢ଼ି ପର୍ଯ୍ୟନ୍ତ ରହିଥାଏ ବୋଲି ପଗ୍ ସତର୍କ କରାଇ ଦେଇଛନ୍ତି। ସେ କହିଛନ୍ତି,କ୍ରୀଡା ଶାନ୍ତିର ନୂଆ ଦ୍ୱାର ଖୋଲିଥାଏ। ମୋର ବାର୍ତ୍ତା ଅତି ସରଳ। ଆମକୁ ଯୁଦ୍ଧ ବନ୍ଦ କରିବାକୁ ପଡିବ। ଆମକୁ ହର୍ମୁଜ୍ ଖୋଲିବାକୁ ପଡିବ ଏବଂ ଆମକୁ ପ୍ରଦୂଷଣ ସଫା କରିବାକୁ ହେବ।

ଇରାନ ଗତ କିଛି ସପ୍ତାହ ମଧ୍ୟରେ ହର୍ମୁଜ୍ ବାଟେ ବିନା ଅନୁମତିରେ ଯାତ୍ରା କରୁଥିବା ଜାହାଜଗୁଡ଼ିକ ଉପରେ ଆକ୍ରମଣ ବୃଦ୍ଧି କରି ଗୁରୁତ୍ୱପୂର୍ଣ୍ଣ ଜଳପଥ ଉପରେ ନିଜର ନିୟନ୍ତ୍ରଣ ଜାରି କରିବାକୁ ଚାହୁଁଛି। ଏହି ସାମୁଦ୍ରିକ ପଥ ଦେଇ ଫେବ୍ରୁଆରି ୨୮ ତାରିଖରେ ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନ ବିରୋଧରେ ଯୁଦ୍ଧ ଆରମ୍ଭ କରିବା ପୂର୍ବରୁ ବିଶ୍ବର ମୋଟ ତୈଳ ବାଣିଜ୍ୟର ଏକ ପଞ୍ଚମାଂଶ ପରିବହନ ହେଉଥିଲା । 

What's Your Reaction?

like

dislike

love

funny

angry

sad

wow