କ୍ରିକେଟ୍ ଅମ୍ପାୟାରଙ୍କ ପାଇଁ ବଡ଼ ଖବର, BCCI ବଢ଼ାଇଲା ପାରିଶ୍ରମିକ

Sep 19, 2026 - 15:34
କ୍ରିକେଟ୍ ଅମ୍ପାୟାରଙ୍କ ପାଇଁ ବଡ଼ ଖବର, BCCI ବଢ଼ାଇଲା ପାରିଶ୍ରମିକ

ପ୍ରାୟ ୧୦ ବର୍ଷ ପରେ ଅମ୍ପାୟାରଙ୍କ ଦୈନିକ ପାରିଶ୍ରମିକ ବଢ଼ାଯିବା ସହ ଚାରିଟି ନୂଆ ଗ୍ରେଡ୍‌ ବ୍ୟବସ୍ଥା ଲାଗୁ ହୋଇଛି । ଏଥିସହ ମ୍ୟାଚ୍‌ ରେଫରିଙ୍କ ପାରିଶ୍ରମିକ ମଧ୍ୟ ବୃଦ୍ଧି କରାଯାଇଛି । ବିସିସିଆଇ ସଚିବ ଦେବଜିତ ସାଇକିଆ ବୋର୍ଡର ବାର୍ଷିକ ସାଧାରଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି । 

ଘରୋଇ କ୍ରିକେଟ୍‌ରେ ଅମ୍ପାୟାରଙ୍କ ପାରିଶ୍ରମିକ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରିଛି ବିସିସିଆଇ । ପ୍ରାୟ ୧୦ ବର୍ଷ ପରେ ଅମ୍ପାୟାରଙ୍କ ଦୈନିକ ପାରିଶ୍ରମିକ ବଢ଼ାଯିବା ସହ ଚାରିଟି ନୂଆ ଗ୍ରେଡ୍‌ ବ୍ୟବସ୍ଥା ଲାଗୁ ହୋଇଛି । ଏଥିସହ ମ୍ୟାଚ୍‌ ରେଫରିଙ୍କ ପାରିଶ୍ରମିକ ମଧ୍ୟ ବୃଦ୍ଧି କରାଯାଇଛି । ବିସିସିଆଇ ସଚିବ ଦେବଜିତ ସାଇକିଆ ବୋର୍ଡର ବାର୍ଷିକ ସାଧାରଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି । ନୂଆ ବ୍ୟବସ୍ଥାରେ ଅମ୍ପାୟାରମାନେ ଏ, ବି, ସି ଓ ଡି, ଏହିଭଳି ଚାରିଟି ଗ୍ରେଡ୍‌ରେ ରହିବେ। ପୂର୍ବରୁ ଏ+, ଏ, ବି ଓ ସି ଭାବେ ଚାରିଟି ବର୍ଗ ରହିଥିଲା। ଏହାକୁ ଏବେ ଉଚ୍ଛେଦ କରାଯାଇଛି । ନୂଆ ପାରିଶ୍ରମିକ ନୀତି ଅନୁସାରେ ‘ଏ’ ଗ୍ରେଡ୍‌ ଅମ୍ପାୟାରଙ୍କୁ ଦିନକୁ ୬୦ ହଜାର ଟଙ୍କା, ‘ବି’ ଗ୍ରେଡ୍‌ ପାଇଁ ୫୦ ହଜାର, ‘ସି’ ଗ୍ରେଡ୍‌କୁ ୪୦ ହଜାର ଏବଂ ‘ଡି’ ଗ୍ରେଡ୍‌ରେ ଥିବା ଅମ୍ପାୟାରଙ୍କୁ ୩୫ ହଜାର ଟଙ୍କା ମିଳିବ । ୨୦୧୭-୧୮ଠାରୁ ପ୍ରଥମ ଥର ଘରୋଇ ଅମ୍ପାୟାରଙ୍କ ପାରିଶ୍ରମିକରେ ସଂଶୋଧନ କରାଯିବା ଏହି କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଥିବା କ୍ରୀଡ଼ାପ୍ରେମୀ ଓ ପେସାଦାରଙ୍କ ପାଇଁ ବହୁତ ବଡ଼ ଖୁସି ଖବର ହୋଇଛି ।

ପ୍ରଦର୍ଶନ ଆଧାରରେ ପଦୋନ୍ନତି

ନୂଆ ବ୍ୟବସ୍ଥାରେ ଅମ୍ପାୟାରଙ୍କ ପଦୋନ୍ନତି ଓ ଅବନତି ମଧ୍ୟ ପ୍ରଦର୍ଶନ ଆଧାରରେ ହେବ । ଅମ୍ପାୟାର ବୋର୍ଡ ଅଧୀନରେ ଥିବା ଏକ ମୂଲ୍ୟାଙ୍କନ ଦଳ ସମସ୍ତ ଅମ୍ପାୟାରଙ୍କ ପ୍ରଦର୍ଶନ ଆକଳନ କରିବ । ଏହା ଆଧାରରେ ସେମାନଙ୍କୁ ମ୍ୟାଚ୍‌ ପାଇଁ ନିଯୁକ୍ତି ଦିଆଯିବ। ପ୍ରତ୍ୟେକ ଘରୋଇ ଋତୁ ଶେଷରେ ପଦୋନ୍ନତି ଓ ଅବନତି ବ୍ୟବସ୍ଥା ଲାଗୁ ହେବ। ଭଲ ପ୍ରଦର୍ଶନ କରୁଥିବା ଅମ୍ପାୟାରଙ୍କୁ ଉପର ଗ୍ରେଡ୍‌କୁ ପଦୋନ୍ନତି ମିଳିବ । ଆଶାନୁରୂପ ପ୍ରଦର୍ଶନ କରିପାରୁନଥିବା ଉଚ୍ଚ ଗ୍ରେଡ୍‌ର ଅମ୍ପାୟାରଙ୍କୁ ନିମ୍ନ ଗ୍ରେଡ୍‌କୁ ପଠାଯିବ । ଏହି ବ୍ୟବସ୍ଥା ଦ୍ୱାରା ସାରା ଅମ୍ପାୟାରମାନେ ଅଧିକ ସତର୍କ ଓ ଦାୟିତ୍ୱବାନ ରହିବେ । ଅମ୍ପାୟାରଙ୍କ ନିଷ୍ପତ୍ତି ଅନେକ ସମୟରେ ଖେଳାଳିଙ୍କ ଭବିଷ୍ୟତକୁ ପ୍ରଭାବିତ କରୁଥିବାରୁ ସେମାନଙ୍କ ଦକ୍ଷତା ଓ ସତର୍କତା ଅତ୍ୟନ୍ତ ଜରୁରୀ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।

ଏହାସହ ବିସିସିଆଇ ବୟସ ଜାଲିଆତି ସମ୍ପର୍କିତ ନୀତିକୁ ମଧ୍ୟ ସଂଶୋଧନ କରିଛି । ବୟସ ବର୍ଗର କ୍ରିକେଟ୍‌ ପାଇଁ ସମସ୍ତ ରାଜ୍ୟ କ୍ରିକେଟ୍‌ ସଂଘକୁ ନୂଆ ମାନକ କାର୍ଯ୍ୟ ପ୍ରଣାଳୀ ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଅର୍‌ (ଏସ୍‌ଓପି) ଜାରି କରାଯାଇଛି । ଶାରୀରିକ ଭିନ୍ନକ୍ଷମ କ୍ରିକେଟରମାନଙ୍କୁ ସହାୟତା କରିବା ପାଇଁ ମଧ୍ୟ ରାଜ୍ୟ କ୍ରିକେଟ୍‌ ସଂଘଗୁଡ଼ିକୁ ସକ୍ରିୟ ଭାବେ କାମ କରିବାକୁ କୁହାଯାଇଛି । ଅନ୍ୟପକ୍ଷରେ, ବିସିସିଆଇ ପୁଣିଥରେ ମୁଖ୍ୟ କ୍ରୀଡ଼ା ବିଜ୍ଞାନ ଅଧିକାରୀ ପଦ ପାଇଁ ବିଜ୍ଞପ୍ତି ଜାରି କରିଛି । ୨୦୨୭ ଆଇପିଏଲ୍‌ ମାର୍ଚ୍ଚ ଶେଷ ଆଡ଼କୁ ଆରମ୍ଭ ହେବାର ସମ୍ଭାବନା ଥିବା ସଂପାଦକ ସାଇକିଆ ସୂଚନା ଦେଇଛନ୍ତି । 

What's Your Reaction?

like

dislike

love

funny

angry

sad

wow