ଚତୁର୍ଥ ଦିନରେ ବି ଗୃହରେ MMDR ତାତି, ମାତ୍ର ୪ ମିନିଟ୍ ଚାଲିବା ପରେ ଅପରାହ୍ଣ ୪ଟା ଯାଏଁ ମୁଲତବୀ

Sep 25, 2026 - 12:13
ଚତୁର୍ଥ ଦିନରେ ବି ଗୃହରେ MMDR ତାତି, ମାତ୍ର ୪ ମିନିଟ୍ ଚାଲିବା ପରେ ଅପରାହ୍ଣ ୪ଟା ଯାଏଁ ମୁଲତବୀ

ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ବି MMDR Amendment Actକୁ ନେଇ ହଙ୍ଗାମା। ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ନାରାବାଜି ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମାତ୍ର କିଛି ମିନିଟ୍ ଚାଲିବା ପରେ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ କରାଯାଇଛି। 

 ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ବି ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇପାରିନାହିଁ । MMDR Amendment Actକୁ ନେଇ ଗୃହ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଓ ନାରାବାଜି ଯୋଗୁଁ ପ୍ରଶ୍ନକାଳ ପ୍ରଭାବିତ ହୋଇଛି । ହଙ୍ଗାମା ମଧ୍ୟରେ ମାତ୍ର ଚାରି ମିନିଟ୍ ଗୃହ ଚାଲିବା ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ କରିଛନ୍ତି । MMDR Amendment Actକୁ ବିରୋଧ କରି ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହରେ ନାରାବାଜି କରିଛନ୍ତି । ବିରୋଧୀ ସଦସ୍ୟମାନେ ୱେଲ୍‌କୁ ଆସି ପ୍ରତିବାଦ କରିବା ସହ ଏହି ଆଇନକୁ ନେଇ ସରକାରଙ୍କଠାରୁ ସ୍ପଷ୍ଟ ଜବାବ ଦାବି କରୁଛନ୍ତି । 

ପୂର୍ବରୁ ମଧ୍ୟ ଲଗାତାର ତିନି ଦିନ ଧରି MMDR ପ୍ରସଙ୍ଗକୁ ନେଇ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇଥିବା ଏହି ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ହିଁ MMDR Amendment Actକୁ ନେଇ ବିରୋଧୀଙ୍କ ପ୍ରତିବାଦ ଦେଖିବାକୁ ମିଳିଛି। ଦ୍ୱିତୀୟ ଦିନରେ ବିଜେଡି ସ୍କୁଲ୍ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗ ଉଠାଇଥିବା ବେଳେ କଂଗ୍ରେସ MMDR ଆଇନକୁ ବିରୋଧ କରିଥିଲା। ପରବର୍ତ୍ତୀ ଦିନଗୁଡ଼ିକରେ ଉଭୟ ଦଳ ଏହି ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା କରିଛନ୍ତି । ଏପଟେ MMDR Amendment Act ଯୋଗୁଁ ରାଜ୍ୟର ଖଣିଜ ରାଜସ୍ୱ ଉପରେ କେତେ ପ୍ରଭାବ ପଡ଼ିବ, ସେନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ଆକଳନ ହୋଇନଥିବା ବିଧାନସଭାରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି । 

ବିଶେଷକରି ସଂଶୋଧିତ ଆଇନର ଧାରା ୯ଡି ଅନୁସାରେ ଖଣିଜ ଅଧିକାର ଓ ଖଣିଜ ଥିବା ଜମି ଉପରେ ରାଜ୍ୟର ଟିକସ, ସେସ୍‌ କିମ୍ବା ଅନ୍ୟାନ୍ୟ ଲେଭି ଲଗାଇବା ନେଇ ଥିବା ପ୍ରଭାବକୁ ଆକଳନ କରାଯାଇନଥିବା ସେ ସ୍ପଷ୍ଟ କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ବିବାଦ ଜାରି ରହିଥିବାରୁ ଆଗାମୀ ଦିନରେ ମଧ୍ୟ ବିଧାନସଭା କାର୍ଯ୍ୟ ସ୍ୱାଭାବିକ ହେବ କି ନାହିଁ, ତାହା ଉପରେ ନଜର ରହିଛି । ଚଳିତ ଅଧିବେଶନ ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୩ ଯାଏ ଚାଲିବାକୁ କାର୍ଯ୍ୟସୂଚୀ ରହିଛି । 

What's Your Reaction?

like

dislike

love

funny

angry

sad

wow