ଦିଶା ସାଲିଆନ୍‌ ମୃତ୍ୟୁ ମାମଲା: ତଦନ୍ତ ତଦାରଖ କରିବେ ସିବିଆଇ ଅଧିକାରୀ ସୀମା ପାହୁଜା

Sep 17, 2026 - 14:33
 0  1
ଦିଶା ସାଲିଆନ୍‌ ମୃତ୍ୟୁ ମାମଲା: ତଦନ୍ତ ତଦାରଖ କରିବେ ସିବିଆଇ ଅଧିକାରୀ ସୀମା ପାହୁଜା

୫୯ ବର୍ଷୀୟ ପାହୁଜା ବର୍ତ୍ତମାନ ଦିଲ୍ଲୀସ୍ଥିତ ସିବିଆଇ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍‌ରେ ଏସ୍‌ପି ଭାବେ କାର୍ଯ୍ୟରତ । ଅନେକ ଚର୍ଚ୍ଚିତ ଓ ସମ୍ବେଦନଶୀଳ ମାମଲାର ତଦନ୍ତରେ ସେ ସାମିଲ ରହିଛନ୍ତି ।

ସେଲିବ୍ରିଟି ମ୍ୟାନେଜର ଦିଶା ସାଲିଆନ୍‌ଙ୍କ ମୃତ୍ୟୁ ମାମଲାର ତଦନ୍ତ ଏବେ ସିବିଆଇ ହାତରେ ଥିବାବେଳେ ଏହାର ତଦାରଖ ଦାୟିତ୍ୱ ବରିଷ୍ଠ ସିବିଆଇ ଅଧିକାରୀ ସୀମା ପାହୁଜାଙ୍କୁ ଦିଆଯାଇଛି । ୫୯ ବର୍ଷୀୟ ପାହୁଜା ବର୍ତ୍ତମାନ ଦିଲ୍ଲୀସ୍ଥିତ ସିବିଆଇ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍‌ରେ ଏସ୍‌ପି ଭାବେ କାର୍ଯ୍ୟରତ। ଅନେକ ଚର୍ଚ୍ଚିତ ଓ ସମ୍ବେଦନଶୀଳ ମାମଲାର ତଦନ୍ତରେ ସେ ସାମିଲ ରହିଛନ୍ତି । ୨୦୨୦ ଜୁନ୍‌ ୮ ତାରିଖରେ ମୁମ୍ବାଇର ମଲାଡ୍ ଅଞ୍ଚଳରେ ଏକ ବହୁତଳ କୋଠାରୁ ଖସିପଡ଼ି ଦିଶା ସାଲିଆନ୍‌ଙ୍କ ମୃତ୍ୟୁ ହୋଇଥିଲା । ପ୍ରାରମ୍ଭିକ ତଦନ୍ତ ପରେ ମୁମ୍ବାଇ ପୁଲିସ ଏହାକୁ ଆତ୍ମହତ୍ୟା ବୋଲି ଗ୍ରହଣ କରିଥିଲା। ପରବର୍ତ୍ତୀ ସମୟରେ ମହାରାଷ୍ଟ୍ର ଏସ୍‌ଆଇଟି ମଧ୍ୟ ଘଟଣାର ତଦନ୍ତ କରିଥିଲା । ତେବେ ଦିଶାଙ୍କ ବାପା ସତୀଶ ସାଲିଆନ୍‌ଙ୍କ ଅଭିଯୋଗ ପରେ ମାମଲାଟି ପୁଣିଥରେ ତଦନ୍ତ ପରିସରକୁ ଆସିଛି ।

ସତୀଶ ସାଲିଆନ୍‌ ଅଭିଯୋଗ କରିଥିଲେ ଯେ, ତାଙ୍କ ଝିଅଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ଏବଂ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ ହୋଇଥିଲା । ଏହି ଅଭିଯୋଗକୁ ନେଇ ସେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲାର ତଦନ୍ତ ସିବିଆଇ ଦ୍ୱାରା କରାଯାଉଛି । ସୀମା ପାହୁଜାଙ୍କର ଦୀର୍ଘ ତଦନ୍ତ ଅଭିଜ୍ଞତା ରହିଛି । ସେ ୨୦୨୦ ହାଥରସ୍ ଦୁଷ୍କର୍ମ-ହତ୍ୟା ମାମଲା ଏବଂ ୨୦୧୭ ଉନ୍ନାଓ ଦୁଷ୍କର୍ମ ମାମଲାର ତଦନ୍ତରେ ସାମିଲ ଥିଲେ। ୨୦୨୪ ଆର୍‌ଜି କର ମେଡିକାଲ କଲେଜର ଜୁନିୟର ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲାରେ ମଧ୍ୟ ସେ ତଦନ୍ତକାରୀ ଅଧିକାରୀ ଥିଲେ । ଏହାଛଡ଼ା ୨୦୧୭ର ଶିମ୍‌ଲା ଗୁଡିଆ ଦୁଷ୍କର୍ମ-ହତ୍ୟା ମାମଲାର ତଦନ୍ତକାରୀ ଦଳରେ ସେ ସାମିଲ ଥିଲେ । ୨୦୨୧ରେ ଶ୍ରେଷ୍ଠ ତଦନ୍ତକାରୀ ଅଧିକାରୀ ଭାବେ ସୀମା ପାହୁଜା ସ୍ୱର୍ଣ୍ଣ ପଦକ ପାଇଥିବା ମଧ୍ୟ ସୂଚନା ରହିଛି ।

What's Your Reaction?

like

dislike

love

funny

angry

sad

wow