ଧରାପଡ଼ିଲା ନରହନ୍ତା ଦନ୍ତା: ୬ ଦିନର ମହାଅଭିଯାନ ପରେ ଛତିଶଗଡ଼ରେ ୧୬ ଜଣଙ୍କ ଜୀବନ ନେଇଥିବା ''କାବରା କାନ୍'' ଟ୍ରାଙ୍କୁଲାଇଜ୍

Nov 19, 2026 - 13:55
ଧରାପଡ଼ିଲା ନରହନ୍ତା ଦନ୍ତା: ୬ ଦିନର ମହାଅଭିଯାନ ପରେ ଛତିଶଗଡ଼ରେ ୧୬ ଜଣଙ୍କ ଜୀବନ ନେଇଥିବା ''କାବରା କାନ୍'' ଟ୍ରାଙ୍କୁଲାଇଜ୍

ଛତିଶଗଡ଼ର ତିନୋଟି ଜିଲ୍ଲାରେ ଆତଙ୍କ ସୃଷ୍ଟି କରି ୧୬ ଜଣଙ୍କ ଜୀବନ ନେଇଥିବା ନରହନ୍ତା ଦନ୍ତାହାତୀ ଶେଷରେ ବନ ବିଭାଗ ପଞ୍ଝାରେ ପଡ଼ିଛି। ୬ ଦିନର ନିରନ୍ତର ଅଭିଯାନ ପରେ ବୁଧବାର ସ୍ଥାନୀୟ ଅଞ୍ଚଳରେ 'କାବରା କାନ୍' ଭାବେ ପରିଚିତ ଏହି ଦନ୍ତାହାତୀକୁ ସଫଳତାର ସହ ଟ୍ରାଙ୍କୁଲାଇଜ୍ କରାଯାଇଛି। 

ଛତିଶଗଡ଼ର ତିନୋଟି ଜିଲ୍ଲାରେ ଆତଙ୍କ ସୃଷ୍ଟି କରି ୧୬ ଜଣଙ୍କ ଜୀବନ ନେଇଥିବା ନରହନ୍ତା ଦନ୍ତାହାତୀ ଶେଷରେ ବନ ବିଭାଗ ପଞ୍ଝାରେ ପଡ଼ିଛି। ୬ ଦିନର ନିରନ୍ତର ଅଭିଯାନ ପରେ ବୁଧବାର ସ୍ଥାନୀୟ ଅଞ୍ଚଳରେ 'କାବରା କାନ୍' ଭାବେ ପରିଚିତ ଏହି ଦନ୍ତାହାତୀକୁ ସଫଳତାର ସହ ଟ୍ରାଙ୍କୁଲାଇଜ୍ କରାଯାଇଛି। କାନରେ ଥିବା ବିଶେଷ ଦାଗ ଯୋଗୁଁ ଏଭଳି ନାମ ପାଇଥିବା ଏହି ହାତୀର ବେକରେ ରେଡିଓ କଲାର ଲଗାଯାଇ ପୁଣିଥରେ ଜଙ୍ଗଲରେ ଛାଡ଼ି ଦିଆଯାଇଛି।

ହାତୀକୁ ଧରିବା ପାଇଁ ଅଭିଯାନ ଆରମ୍ଭ
ଗତ ଛଅରୁ ସାତ ମାସ ଧରି ସୁରଗୁଜା, ସୁରଜପୁର ଏବଂ ବଳରାମପୁର ଜିଲ୍ଲାରେ ଏହି ଗୋଠଛଡ଼ା ଦନ୍ତାହାତୀ ଲୋକଙ୍କ ପାଇଁ ମୃତ୍ୟୁର ଦୂତ ପାଲଟିଥିଲା। ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପ୍ରଣୟ ମିଶ୍ରଙ୍କ ସୂଚନା ଅନୁଯାୟୀ, ଆବଶ୍ୟକୀୟ ଅନୁମତି ମିଳିବା ପରେ ଗତ ନଭେମ୍ବର ୧୩ ତାରିଖରୁ ହାତୀକୁ ଧରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା। ତେବେ ଏକାକୀ ବୁଲୁଥିବା ଏହି ଦନ୍ତା ନିକଟରେ ସୁରଗୁଜାର ଉଦୟପୁର ଅଞ୍ଚଳରେ ୧୭ଟି ହାତୀ ଥିବା ଏକ ଦଳରେ ମିଶିଯାଇଥିଲା। ଘଞ୍ଚ ଜଙ୍ଗଲ ଓ ହାତୀପଲ ଭିତରେ ଥିବାରୁ ତାକୁ ଟ୍ରାଙ୍କୁଲାଇଜ୍ କରିବା ବନ ବିଭାଗ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଥିଲା। 

ସଫଳତାର ସହ କରାଯାଇଥିଲା ଟ୍ରାଙ୍କୁଲାଇଜ୍ 
ଏହି ଅପରେସନରେ ୨୦୦ରୁ ଅଧିକ ବନ କର୍ମଚାରୀ, ଥର୍ମାଲ ଡ୍ରୋନ୍ ଏବଂ ତମୋର ପିଙ୍ଗଲା ହାତୀ ଉଦ୍ଧାର କେନ୍ଦ୍ରର ଦୁଇଟି ତାଲିମପ୍ରାପ୍ତ କୁମକୀ ହାତୀଙ୍କୁ ନିୟୋଜିତ କରାଯାଇଥିଲା। ଅଭିଯାନର ତୃତୀୟ ଦିନରେ ହାତୀପଲ ରାମଗଡ଼ ପାହାଡ଼ ଆଡ଼କୁ ମୁହାଁଇଥିଲେ। ବୁଧବାର ସକାଳେ ପ୍ରାୟ ୬୦୦ ମିଟର ଉଚ୍ଚତା ବିଶିଷ୍ଟ ରାମଗଡ଼ ପାହାଡ଼ର ଦୁର୍ଗମ ଅଞ୍ଚଳରେ ବନ କର୍ମଚାରୀମାନେ ପୋଜିସନ୍ ନେଇଥିଲେ। ବାଣ ଫୁଟାଇ 'କାବରା କାନ୍'କୁ ହାତୀପଲରୁ ଅଲଗା କରିବା ପରେ ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ ମିନିଟ୍ ସମୟରେ ତାକୁ ସଫଳତାର ସହ ଟ୍ରାଙ୍କୁଲାଇଜ୍ କରାଯାଇଥିଲା। 

ବିଶେଷଜ୍ଞ ଦଳଙ୍କ ତତ୍ତ୍ୱାବଧାନରେ ଦନ୍ତାହାତୀର ବେକରେ ଏକ ହାଇ-ଫ୍ରିକ୍ୱେନ୍ସି ରେଡିଓ କଲାର ଲଗାଯିବା ପରେ ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ତାକୁ ଚେତା ଫେରାଇ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି। ଆଗାମୀ ତିନି ଦିନ ପର୍ଯ୍ୟନ୍ତ ରେଡିଓ କଲାର ମାଧ୍ୟମରେ ହାତୀର ଗତିବିଧି ଓ ଆଚରଣ ଉପରେ କଡ଼ା ନଜର ରଖାଯିବ। ଯଦି ତା''ର ଆଚରଣରେ କୌଣସି ଆକ୍ରମଣାତ୍ମକ ପରିବର୍ତ୍ତନ ଦେଖାଯାଏ, ତେବେ ପୁନର୍ବାର ଅନୁମତି ନେଇ ତାକୁ ଉଦ୍ଧାର କେନ୍ଦ୍ରକୁ ସ୍ଥାନାନ୍ତର କରାଯିବ ବୋଲି ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

What's Your Reaction?

like

dislike

love

funny

angry

sad

wow