କଂଗ୍ରେସ ଶାସନରେ ଥିଲେ ଜି୩ ବୈଠକରେ ବସିଥାନ୍ତେ ଭାରତର ପ୍ରଧାନମନ୍ତ୍ରୀ: ରାହୁଲ ଗାନ୍ଧୀ

Nov 20, 2026 - 14:53
କଂଗ୍ରେସ ଶାସନରେ ଥିଲେ ଜି୩ ବୈଠକରେ ବସିଥାନ୍ତେ ଭାରତର ପ୍ରଧାନମନ୍ତ୍ରୀ: ରାହୁଲ ଗାନ୍ଧୀ

ଆମେରିକା, ଚୀନ୍ ଓ ରୁଷ୍‌ର ଶୀର୍ଷ ନେତାଙ୍କ ଏକାଠି ବୈଠକକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। 

 ଆମେରିକା, ଚୀନ୍ ଓ ରୁଷ୍‌ର ଶୀର୍ଷ ନେତାଙ୍କ ଏକାଠି ବୈଠକକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ତିନି ଦେଶର ନେତାଙ୍କ ଏକ ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର କରି ରାହୁଲ କହିଛନ୍ତି, କଂଗ୍ରେସ କ୍ଷମତାରେ ଥିଲେ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ ସେହି ଟେବୁଲରେ ବସିଥାନ୍ତେ। ଜଣେ ସାଲିସକାରୀ ପ୍ରଧାନମନ୍ତ୍ରୀ କେବେବି ସେହି ଟେବୁଲରେ ବସିପାରିବେ ନାହିଁ ବୋଲି ସେ ଲେଖିଛନ୍ତି।

ଚୀନ୍‌ର ଶେନ୍‌ଝେନ୍‌ରେ ନଭେମ୍ବର ୧୯ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏହି ବୈଠକ ହୋଇଥିଲା। ଅନ୍ୟପଟେ ଆମେରିକାର ଚିକାଗୋ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବେଳେ ରାହୁଲ କହିଛନ୍ତି ଯେ, ବିଶ୍ୱ ରାଜନୀତିରେ ଭାରତର ପ୍ରଭାବ କମିଛି। ଏବେ ଭାରତ କେବଳ ଜଣେ ଦର୍ଶକ ଭଳି ରହିଯାଇଛି। ଆମେରିକାର ଚିକାଗୋ ବିଶ୍ୱବିଦ୍ୟାଳୟରେ ଏଭଳି ମତ ଦେଇ ନୂଆ ରାଜନୈତିକ ବିବାଦକୁ ଜନ୍ମ ଦେଇଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ।

ଶାନ୍ତି ଆଲୋଚନାରେ ପାକିସ୍ତାନ ମଧ୍ୟସ୍ଥତା
ଭାରତୀୟ ଗଣତନ୍ତ୍ର ଓ ବିଦେଶ ନୀତି ଉପରେ ନିଜର ମତ ରଖି ରାହୁଲ କହିଛନ୍ତି, ଭାରତ ଏକ ବଡ଼ ଦେଶ ହୋଇଥିବାରୁ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଏହାର ଭୂମିକା ରହିବା ଉଚିତ। ହେଲେ ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଆଲୋଚନାରେ ପାକିସ୍ତାନ ମଧ୍ୟସ୍ଥତା କରୁଥିବାବେଳେ ଭାରତ ନିରବ ଦର୍ଶକ ସାଜିଥିଲା। ପ୍ରଧାନମନ୍ତ୍ରୀଙ୍କ ବିଦେଶ ନୀତି ନେତାଙ୍କ ବ୍ୟକ୍ତିଗତ ବନ୍ଧୁତା ଉପରେ ନିର୍ଭର କରିବା ଉଚିତ ନୁହେଁ ବୋଲି ମଧ୍ୟ ସେ କହିଛନ୍ତି। ରାହୁଲ ଦାବି କରିଛନ୍ତି ଯେ, ବିଜେପିର ରାଜନୈତିକ ବିଚାରଧାରା ଦୁର୍ବଳ ହୋଇଛି ଓ ଏହାର ପ୍ରଭାବ ଆଗାମୀ ୮ ମାସ ମଧ୍ୟରେ ଦେଖିବାକୁ ମିଳିବ। 

ରାହୁଲଙ୍କ ବୟାନକୁ ନେଇ ବିଜେପିର ତୀବ୍ର ଆକ୍ରମଣ
ରାହୁଲଙ୍କ ଏହି ମନ୍ତବ୍ୟକୁ ନେଇ ବିଜେପି ଜୋରଦାର ପାଲଟା ଆକ୍ରମଣ କରିଛି। ବିଜେପି ନେତା ସିଆର୍ କେଶବନ ତାଙ୍କୁ ପାକିସ୍ତାନର ସମର୍ଥକ ବୋଲି କହିବା ସହ ଦେଶର ଆନ୍ତର୍ଜାତିକ ଛବିକୁ ଖରାପ କରୁଥିବା ଅଭିଯୋଗ କରିଛନ୍ତି। ସେ କଂଗ୍ରେସ ସାଂସଦଙ୍କ ମନ୍ତବ୍ୟକୁ ଅତି ନିନ୍ଦନୀୟ ଓ ଅକ୍ଷମଣୀୟ ବୋଲି କହିଛନ୍ତି। ଏହାକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ବାକ୍‌ଯୁଦ୍ଧ ଆହୁରି ତୀବ୍ର ହୋଇଛି। ଅନ୍ୟପକ୍ଷରେ ବୁଧବାର ଚିକାଗୋ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବେଳେ ଜଣେ ପାକିସ୍ତାନୀ ଛାତ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଭୁଲି ଦୁଇ ଦେଶ ଏକାଠି କାମ କରିପାରିବେ କି ବୋଲି ପ୍ରଶ୍ନ କରିଥିଲେ।

ଏହାର ଉତ୍ତରରେ ରାହୁଲ କହିଛନ୍ତି, ପାକିସ୍ତାନ ସହ ସମ୍ପର୍କ ସୁଧାରିବାକୁ ଭାରତ ଚାହେଁ। ହେଲେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶ ସହ ଆଲୋଚନା କରିବା ସମ୍ଭବ ନୁହେଁ। ଦୁଇ ଦେଶ ମଧ୍ୟରେ ସହଯୋଗର ସୁଯୋଗ ରହିଛି। କିନ୍ତୁ ଭାରତରେ ନିରୀହ ଲୋକଙ୍କ ଜୀବନ ନେଉଥିବା ଆତଙ୍କବାଦକୁ ପାକିସ୍ତାନ ସମର୍ଥନ କରୁଥିବାରୁ ଆଲୋଚନା ଆଗକୁ ବଢ଼ିପାରୁନାହିଁ। ଆତଙ୍କବାଦକୁ ସମର୍ଥନ ବନ୍ଦ ହେଲେ ହିଁ ଆଲୋଚନାର ବାଟ ଖୋଲିପାରିବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

What's Your Reaction?

like

dislike

love

funny

angry

sad

wow