ପଖାଳ ଲୁଟ୍: ୩୦ ମିନିଟରେ ସଫା ହୋଇଗଲା ଜନତାଙ୍କର ୨.୩୨ କୋଟି ଟଙ୍କା
ଆବାହମାନ କାଳରୁ ପଖାଳ ସାଧାରଣ ଓଡ଼ିଆଙ୍କର ଗୋଟିଏ ଅତିପ୍ରିୟ ମୌଳିକ ଖାଦ୍ୟ ହିସାବରେ ବିବେଚିତ ହୋଇ ଆସିଛି l ଏଇଟି ଆଦୌ ନାମିଦାମୀ ବିଳାସପୂର୍ଣ୍ଣ ଖାଦ୍ୟ ନୁହେଁ ବୋଲି ସାରା ଦୁନିଆଁ ଜାଣିଛି l ଏହା ଓଡ଼ିଆ ଚାଷୀର ବଞ୍ଚିବାର ସାହାରା। ପଖାଳ ପ୍ରସ୍ତୁତି ଅତି ସହଜ l ଦିନେ ଦୁଇଦିନ ରାତିସାରା ରଖାଯାଇଥିବା ସାଧାରଣ ତୋରାଣି ଭାତ, ଯାହାକୁ ମାଟି ଚଟାଣରେ ବସି ଟିକେ ଲୁଣ, ଗୋଟେ ପିଆଜ ଆଉ କଞ୍ଚାଲଙ୍କାଟିଏ ସହ ଖାଇଥାଏ ସାଧାରଣ ଓଡ଼ିଆ ଚାଷୀ, ମୁଲିଆ ବା ଦିନମଜୁରିଆ । ନିମ୍ନମଧ୍ୟବିତ୍ତ ଶ୍ରେଣୀଠାରୁ ଆରମ୍ଭ କରି ବହୁ ବିତ୍ତଶାଳୀ ଓଡ଼ିଆ ମଧ୍ୟ ଅପାର ଆନନ୍ଦରେ ଖାଇ ଥାଆନ୍ତି ପଖାଳ- ବିଶେଷ କରି ଗ୍ରୀଷ୍ମରୁତୁର ଅସହ୍ୟ ତାତି ପ୍ରବାହିତ ହେଉଥିବା ବେଳେ- କାରଣ ପଖାଳ ସେତିକିବେଳେ ଶୀତଳ ଜରିଥାଏ ମନ ଆଉ ଦେହକୁ l ପ୍ରକୃତ ଓଡ଼ିଆମାନେ ଜାଣନ୍ତି ଯେ, ଖରାଦିନର ପ୍ରବଳ ଗୁଳୁଗୁଳି ଓ ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ‘ପଖାଳ’ ହେଉଛି ଏକମାତ୍ର ଔଷଧ। ଟାଇଁ ଟାଇଁ ଖରାରେ ଅଂଶୁଘାତରୁ ବଞ୍ଚିବା ମଧ୍ୟ ପାଇଁ ଖିଆଯାଇଥାଏ ପଖାଳ l ଜାଣି ରଖିବା ଦରକାର ଯେ ବିଦେଶରେ ରହି ରୋଜଗାର କରୁଥିବା କେତୋଟି ନିର୍ବୋଧ ଓଡ଼ିଆ ବ୍ୟକ୍ତିସମୂହ ମନଇଛା ମାର୍ଚ୍ଚ ୨0 କୁ ବାଛିନେଲେ ପଖାଳ ଦିବସ ହିସାବରେ, ଯେତେବେଳେ କି ଶୀତଳ ବସନ୍ତ ପବନର ମଜା ନେଉଥାନ୍ତି ଲୋକେ l ମଇ ଜୁନ ମାସରେ ଦିବସଟିକୁ ମଉଜ ପାଇଁ ବାଛି ଥିଲେଵି ଓଡ଼ିଆମାନେ ଅଣଆନୁଷ୍ଠନିକ ପର୍ବ ହିସାବରେ ପାଳିବାରେ ନଥିଲା କୌଣସି ଅସୁବିଧା l
ତଥାପି କଟା ଘାରେ ଚୂନ ଦେଲା ଭଳି ସରକାର ଲୁଟ୍ ପାଇଁ ବାଛିନେଲେ ଏହି ଦିନଟିକୁ l ଏକ ନିର୍ଲଜ୍ଜ ପ୍ରଦର୍ଶନରେ ଓଡ଼ିଶାର ମନ୍ତ୍ରୀ ତଥା ସରକାରୀ ବାବୁମାନେ ଓଡ଼ିଆ ମାନଙ୍କର ଏହି ଦିବ୍ୟ ଖାଦ୍ୟକୁ କର୍ପୋରେଟ୍ ରୂପ ଦେଇ ସାଧାରଣ ଜନତାଙ୍କର କଷ୍ଟ ଅର୍ଜିତ ଧନରୁ ଖାଇଗଲେ ୨.୩୨ କୋଟି ଟଙ୍କା l ସବୁଠାରୁ ପରିତାପର ବିଷୟ ଯେ ‘ପଖାଳ ଦିବସ’ ଏକ ବେସରକାରୀ, ଅନନୁମୋଦିତ ଏବଂ ସମୟ-ଅଯୌକ୍ତିକ ଉତ୍ସବ ଯାହାକି ଜନତାଙ୍କ ପଇସା ଖର୍ଚ୍ଚ କରି ପାଳନ କରି ପାରିବେ ନାହିଁ କୌଣସି ସରକାରୀ କତୃପକ୍ଷ ବା ଅଧିକାରୀ ।
ଚଳିତ ବର୍ଷ ଅବାସ୍ତବ ପଖାଳ ଦିବସ ଉତ୍ସବଟିରେ ସରକାରୀ ଲୋକେ ଲୁଟିନେଲେ କୋଟି କୋଟି ଟଙ୍କା l ବର୍ତ୍ତମାନର ସରକାର ଆଖି ବନ୍ଦ କରି ଏହି ଅଦିନିଆ ତାରିଖକୁ ଆପଣେଇ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପ୍ରମାଣ କରୁଛି ଯେ, ଯେଉଁ ଚାଷୀମାନଙ୍କର ଖରାଦିନିଆ ପ୍ରଧାନ ଖାଦ୍ୟକୁ ସେମାନେ ପାଳନ କରିବାର ଡିଣ୍ଡିମ ପିଟୁଛନ୍ତି, ପ୍ରକୃତରେ ସେମାନେ କେବଳ ଦେଖାଣିଆ ବିଦେଶୀ ଲୋକଙ୍କୁ ଖୁସି କରିବାରେ ଲାଗିଛନ୍ତି।
ପଖାଳ ନାଁରେ ‘ପlନ୍ତାଭାତ’
ସବୁଠାରୁ ବଡ଼ ଅପମାନ ହେଉଛି ପଖାଳ ନାଁରେ ‘ପନ୍ତାଭାତ’ ପରଷିବା। ଏହି ପ୍ରତାରଣାର ଗଭୀରତା ବୁଝିବାକୁ ହେଲେ, ସେଠାରେ ପ୍ରକୃତରେ କ’ଣ ପରଷା ଯାଇଥିଲା ତାହା ଦେଖିବାକୁ ପଡ଼ିବ। ପ୍ରକୃତ ଓଡ଼ିଆ ପଖାଳର ପରିଚୟ ହେଉଛି ଏହାର ନିରାଡ଼ମ୍ବରତା ଓ ସରଳତା। ଏହା ଚାଷୀକୂଳର ମୁଖ୍ୟ ଖାଦ୍ୟ, କାରଣ ଏହାକୁ ତିଆରି କରିବା ସହଜ ଏବଂ ବିନା ଫ୍ରିଜରେ ପ୍ରବଳ ଗରମରେ ମଧ୍ୟ ଏହା ରହିପାରେ ସହଜରେ। ଉଷୁନା ଭାତରେ ପାଣି ମିଶାଇ କୌଣସି ରାସାୟନିକ ପଦାର୍ଥ ବିନା ପ୍ରାକୃତିକ ଭାବରେ ଛାଡିଦେଲେ, ଏଥିରେ ଆସିଯାଏ ଏକ ମଧୁର ଏବଂ ଶାନ୍ତିଦାୟକ ଖଟା ସ୍ୱାଦ । ଏହା ଏତେ ସମ୍ପୂର୍ଣ୍ଣ ଯେ ଏଥିପାଇଁ କେବଳ ଟିକେ ଲୁଣ, ଲଙ୍କା ଏବଂ ପିଆଜ ଛଡ଼ା ଆଉ କିଛି ଦରକାର ନାହିଁ। ଏପରିକି ଧନୀ ଓଡ଼ିଆମାନେ ବି ଯେତେବେଳେ ପଖାଳ ଖାଆନ୍ତି, ସେମାନେ ଖୁବ୍ କମ୍ ସାଇଡ୍ ଡିସ୍ ରଖନ୍ତି- ବୋଧହୁଏ ଟିକେ ବଡ଼ି ଚୁରା, ମାଛ ଭଜା କିମ୍ବା ଆଳୁ ଭଜା- ଯାହାଦ୍ୱାରା ଏହି ସ୍ୱତନ୍ତ୍ର ଖାଦ୍ୟର ପବିତ୍ରତା ଓ ମୌଳିକତା ବଜାୟ ରହିବ।
କିନ୍ତୁ ରାଜ୍ୟ ସରକାର ଯାହା ପରଷିଲେ, ତାହା ଥିଲା ବଙ୍ଗାଳୀମାନଙ୍କର ‘ପନ୍ତାଭାତ’ର ଏକ ବିଳାସପୂର୍ଣ୍ଣ ନକଲ। ଏହି ଦୁଇଟି ଖାଦ୍ୟ ଭିତରେ ଆଦୌ କୌଣସି ସମାନତା ନାହିଁ। ପlନ୍ତାଭାତ ହେଉଛି ଏକ ବଙ୍ଗାଳୀ ଖାଦ୍ୟ ଯେଉଁଠି ସଦ୍ୟ ରନ୍ଧା ଗରମ ଭାତରେ ଦହି ମିଶାଇ ତା’ ସାଙ୍ଗରେ ପରଷାଯାଏ ବିଭିନ୍ନ ପ୍ରକାରର ଭଜା ତିଅଣ । ଆହୁରି ମଧ୍ୟ ସତ୍ୟ ଯେ, ପlନ୍ତାଭାତଟି କେବଳ ସହରୀ ଧନୀ ବଙ୍ଗାଳୀଙ୍କ ଖାଦ୍ୟ; ଏହାକୁ ପ୍ରାୟତଃ ଖାଆନ୍ତି ନାହିଁ ବଙ୍ଗଳାର ଗାଁଉଲି ଲୋକ ଓ ଚାଷୀ ।
ଅଗଣିତ ଦାମିକିଆ ତୁଣ-ତରକାରୀ ସହିତ ଏକ ୫-ତାରକା ଭୋଜି ପରଷି ଓଡିଶା ସରକାର ଅର୍ଜିଁଛନ୍ତ କେବଳ ଲୋକଲଜ୍ୟା । ବିଶିଷ୍ଟ ସରକାରୀ ଲୋକ ମାନେ ନିଜ ପାଟିକୁ ସୁହାଇବା ଭଳି ଏକ ବଙ୍ଗାଳି ‘ପନ୍ତାଭାତ’ ଦେଖାଇ, ଉଦରସ୍ଥ କରିବା ପାଇଁ ଲୁଟି ନେଇଛନ୍ତି ଜନତାଙ୍କର ଅଜସ୍ର ଟଙ୍କା; ତା ସହିତ ସମ୍ପୂର୍ଣ୍ଣ ରୂପେ ଲିଭାଇ ଦେଇଛନ୍ତି ଆଉ ଓଡ଼ିଆ ଜାତିର ପରିଚୟକୁ ।
ଜାଣିବା ଆବଶ୍ୟକ ଲୁଟ୍ ର ହିସାବ :
ଗୋଟିଏ ପଟେ ଗ୍ରାମୀଣ ଓଡ଼ିଶା ଖରା ଓ ଗରିବୀ ସହ ଲଢ଼ୁଥିବା ବେଳେ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଥିବା ପର୍ଯ୍ୟଟନ ବିଭାଗ ନିଷ୍ପତ୍ତି ନେଲା ଯେ ଆମର ଏହି ଅତିପ୍ରିୟ ‘ପଖାଳ’ ପାଇଁ ଏକ ଅଣଆନୁଷ୍ଠାନିକ ଉତ୍ସବ ଦରକାର, ଯାହାର ଆର୍ଥିକ ଅଟକଳ ହେବ କୋଟିପତିଙ୍କର କାରବାର ଭଳି l
ଘରୋଇ ‘ଇଭେଣ୍ଟ ମ୍ୟାନେଜର’ଙ୍କୁ ୮୫ ଲକ୍ଷ ଟଙ୍କା
ଜଣେ ଘରୋଇ ‘ଇଭେଣ୍ଟ ମ୍ୟାନେଜର’ଙ୍କୁ ଦିଆଗଲା ୮୫ ଲକ୍ଷ ଟଙ୍କା । ଏବେ ଚର୍ଚ୍ଚା ଜୋର୍ ଧରିଛି ଯେ ଏହି କାମଟି ମନ୍ତ୍ରୀଙ୍କ ନିଜ ଲୋକଙ୍କୁ ଦିଆଯାଇଥିଲା ସହଜ ରୋଜଗାର ପାଇଁ ।
୫-ତାରକା ରୋଷେୟା:
ସତେ ଯେମିତି ଓଡ଼ିଶାର ଏହି ଖାଦ୍ୟ ତିଆରି କରିବା ପାଇଁ କୌଣସି ଓଡ଼ିଆ ଯୋଗ୍ୟ ନଥିଲେ, ଏହି ରାଜକୀୟ ପଖାଳ ଭୋଜି ରାନ୍ଧିବା ପାଇଁ ପ୍ରାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଅଣାଯାଇଥିଲା ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲର ରୋଷେୟାଙ୍କୁ l
ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ କିଣା ହୋଇଥିଲା ଦାମୀ କଂସା ବାସନ
ଜନସେବକ ମାନଙ୍କୁ ବିଶିଷ୍ଟ ନାଗରିକ ଭଳି ଚର୍ଚ୍ଚା କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ କିଣା ହୋଇଥିଲା ଦାମୀ କଂସା ପାତ୍ର- ଗିନା, ଥାଳି ଏବଂ ବେଲା । କିନ୍ତୁ ସେହି ୩୦ ମିନିଟର ଖିଆପିଆ ପରେ ଏହି ସବୁ ଦାମୀ ଜିନିଷ ଗଲା କୁଆଡ଼େ, ତାହା ଆଜି କାହାକୁ ଜଣାନାହିଁ। ସବୁ ଆଜି ହୋଇ ଯାଇଛି ଗାୟବ l
ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯିଏକି ବାରମ୍ବାର ସର୍ବସାଧାରଣରେ ଗର୍ବ କରି କହି ଥାଆନ୍ତି ଯେ ସେ ଜଣେ ସାଧାରଣ ଆଦିବାସୀ ଭାବରେ ପଖାଳ ଖାଇ ବଡ଼ ହୋଇଛନ୍ତି, ଆଶ୍ଚର୍ଯ୍ୟଜନକ ଭାବେ ଆଜି ଲୁଟରେ ସାମିଲ ହୋଇ ଏପର୍ଯ୍ୟନ୍ତ ମଧ୍ୟ ରହିଛନ୍ତି ନିରବ। ଓଲଟା ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଥିବା ଏହି ୨.୩୨ କୋଟି ଟଙ୍କାର ବିଳାସପୂର୍ଣ୍ଣ ଭୋଜି ଦେଖିବା ମାତ୍ରେ ସେ ଥରୁଟିଏ ଵି ପ୍ରଶ୍ନ କରି ନଥିଲେ ଯେ, “ମୋର ଅସଲ ପଖାଳଟି କାହିଁକି ଦେଖାଯାଉନାହିଁ ଏଠି?” ଓଲଟା, ସେ ଓ ତାଙ୍କ ମନ୍ତ୍ରୀମଣ୍ଡଳ, ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ଅଫିସରମାନଙ୍କ ସହ ଟେବୁଲରେ ବସି ଏହି ରାଜକୀୟ ଖାଦ୍ୟ ଅତି ଭୋକିଲା ଥିଲା ଭଳି ସାଉଁ ସାଉଁ କରି ଖାଇଯିବା ସହିତ କ୍ୟାମେରା ଆଗରେ ଦେଖେଇ ହେଲେ ଯେ କେଡ଼େ ସୁନ୍ଦର ପଖାଳ ଦିବସ ପାଳନ କରୁଛନ୍ତି ସରକାରୀ ଜନ ସେବକ ମାନେ । ଆଇନ ମନ୍ତ୍ରୀ ମଧ୍ୟ ଆହୁରି ତଦ୍ରୁପ l ନିଜ ବାପାଙ୍କର ସୁନାମକୁ ଅଳିଆ ଧୂଳିରେ ସେ ମିଶାଇ ସାରିଛନ୍ତି ଗତ ଦୁଇ ବର୍ଷ ଭିତରେ l ବହୁ ଗୁଜବ ଚାଲିଛି ତାଙ୍କ ବିରୁଦ୍ଧରେ l
ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ କର୍ତ୍ତୃପକ୍ଷଙ୍କୁ ମଧ୍ୟ ୧୨-୧୩ ଲକ୍ଷ
ମିଛ ପଖାଳର ସତ ପ୍ରଚାର ପାଇଁ ଗୋଟିଏ ବଡ଼ ପାତ୍ରରେ ୩୨୬ ପ୍ରକାରର ବିଚିତ୍ର ଖାଦ୍ୟ ପଦାର୍ଥ ସହିତ ଏକାବେଳକେ ୧,୧୭୪ କିଲୋଗ୍ରାମର ‘ପଖାଳ’ ପରଷା ଯିବା ରେକର୍ଡ଼କୁ ସ୍ୱୀକୃତି ଦେବା ପାଇଁ ସେମାନେ ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଦେଇ ସାରିଛନ୍ତି ପ୍ରାୟ ୧୨-୧୩ ଲକ୍ଷ ଟଙ୍କା । ଶେଷକୁ ନିର୍ଲଜ୍ଜ ଭାବରେ ନିଜ ସୋସିଆଲ ମିଡିଆରେ ଗିନିଜ୍ ୱାର୍ଲ୍ଡ ରେକର୍ଡର ଅସଲି ପ୍ରମାଣ ପତ୍ର ଫଟୋ ପୋଷ୍ଟ କରିଥିଲେ ମୋହନ ମାଝୀ ।
ଉପମୁଖ୍ୟମନ୍ତ୍ରୀ ପରିଡ଼l କହିଲେ ଉତ୍ସବ ସମ୍ପୂର୍ଣ୍ଣ ଯଥାର୍ଥ
ଏହି ଲଜ୍ଜାଜନକ ଘଟଣା ସାରା ବିଶ୍ୱରେ ଥିବା ପ୍ରତ୍ୟେକ ସଚେତନ ଓଡ଼ିଆ ସମାଜକୁ ନିଆଁ କରିଦେଇଛି କ୍ରୋଧରେ । ଏହି ଅପରାଧ ବିଷୟରେ ଉପମୁଖ୍ୟମନ୍ତ୍ରୀ ପରିଡ଼ା ବ୍ୟଥିତ ଗଣମାଧ୍ୟମକୁ କହିଲେ ଯେ ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ କରିବା ପାଇଁ ତାହା ସବୁ ଥିଲା ‘ପ୍ରୋତ୍ସାହନ’ ପ୍ରକ୍ରିୟା, ଯାହାକି ସମ୍ପୂର୍ଣ୍ଣ ଯଥାର୍ଥ । ଏହିଭଳି ଭାବେ ଶ୍ରମିକ ଶ୍ରେଣୀର ଜୀବନ ଧାରଣ ଖାଦ୍ୟଟି କୁଆଡ଼େ ହାସଲ କରିଛି ବିଶ୍ୱସ୍ତରୀୟ ବ୍ରାଣ୍ଡିଂ l ତାହା ପୁଣି ଏକ ବହୁ-କୋଟି ଟଙ୍କାର କେଳେଙ୍କାରୀ ମାଧ୍ୟମରେ ।
ଏବେ ସମୟ ଆସିଛି ଜନସାଧାରଣ ଏକାଠି ହେବାର, ଏହି ଅଧିକାରୀମାନଙ୍କୁ ଜବାବ ତଲବ କରିବାର ଏବଂ ସେମାନଙ୍କୁ ଅଦାଲତକୁ ଟାଣିବାର। ସମ୍ବିଧାନ ସମ୍ମତ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଲେ ହିଁ ସୁରକ୍ଷିତ ରହିବ ଓଡ଼ିଆବାସୀଙ୍କର କଷ୍ଟଲବ୍ଧ ସମ୍ପତ୍ତି ଓ ଅର୍ଥ l
ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ସରକାର ଏକ ମୌଳିକ ସାମ୍ବିଧାନିକ ସତ୍ୟ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ l କୌଣସି ପରିସ୍ଥିତିରେ ମନ୍ତ୍ରୀ ବା ସରକାରୀ ଚାକିରୀଆ ମାନଙ୍କର ଖିଆପିଆ ମଉଜ ମଜଲିସ ପାଇଁ ଏହି ପାଣ୍ଠିରୁ ଟଙ୍କାଟିଏ ଵି ଖର୍ଚ୍ଚ ହୋଇ ପାରିବ ନାହିଁ କାରଣ ତାହା ଚୋରୀ-ଡକାୟତି ଭଳି ଏକ ଅକ୍ଷମଣୀୟ ଅପରାଧ ତଥା ମହାପାପ l ସରକାରୀ ଅର୍ଥ ଜମା ଆଦୌ ଘରୋଇ ସଞ୍ଚୟ ଖାତାରେ ନାହିଁ । ବରଂ ନିୟମତଃ ରାଜ୍ୟର ସଞ୍ଚିତ ପାଣ୍ଠିକୁ ନିୟନ୍ତ୍ରଣ କରୁଥିବା କଡ଼ା ଆର୍ଥିକ ନିୟମ (ସମ୍ବିଧାନର ଧାରା ୨୬୬) ଅନୁଯାୟୀ, ସରକାର ବିଧାନସଭାର ବିଧିବଦ୍ଧ ଅନୁମୋଦନ ବିନା କୌଣସି ଅଣସ୍ୱୀକୃତ, ବେସରକାରୀ ଉତ୍ସବ ଉପରେ ମନଇଚ୍ଛା ଖର୍ଚ୍ଚ କରିପାରିବେ ନାହିଁ କୋଟି କୋଟି ଟଙ୍କା । ଏକ ଅଣସ୍ୱୀକୃତ, ଅଣଅନୁଷ୍ଠାନିକ କାର୍ଯ୍ୟକ୍ରମରେ ତଥାକଥିତ ଜନ ସେବକ ମାନଙ୍କର ୩୦-ମିନିଟର ମଧ୍ୟାହ୍ନ ଭୋଜନ ପାଇଁ ୨.୩୨ କୋଟି ଟଙ୍କା ଖର୍ଚ୍ଚ କରିବା ହେଉଛି ‘ଦିବାଲୋକରେ ରାଜକୋଷ ଲୁଟ’ ସହିତ ସମାନ ।
ହାଇକୋର୍ଟରେ ଦାୟର କରିହେବ ଜନସ୍ୱାର୍ଥ ମାମଲା ଏବଂ ରିଟ୍ ପିଟିସନ୍
ଯେହେତୁ ଆଇନଗତ ବ୍ୟବସ୍ଥା ରହିଛି, ଏବେ ସମୟ ଆସିଛି ଓଡ଼ିଶାର ନାଗରିକମାନେ ତୁରନ୍ତ ଏକଜୁଟ ହୋଇ ସରକାରୀ ଅଧିକାରୀମାନଙ୍କୁ ସର୍ବସାଧାରଣରେ ବିନା ସର୍ତ୍ତରେ କ୍ଷମା ମଗାଇବା ସହିତ ସେମାନଙ୍କ ବ୍ୟକ୍ତିଗତ ସମ୍ପତ୍ତିରୁ ସେହି ୨.୩୨ କୋଟି ଟଙ୍କା ଫେରାଇବା ପାଇଁ ସୃଷ୍ଟି କରନ୍ତୁ ଚାପ । ତଥାପି ଯଦି ଲୁଟେରା ମାନେ ଜନତାଙ୍କ ରାଗକୁ ବେଖାତିର ବା ଉପେକ୍ଷା କରି ରହିବାର ସଙ୍କେତ ମିଳେ, ତେବେ ନାଗରିକମାନେ ଓଡ଼ିଶା ହାଇକୋର୍ଟରେ ସମ୍ବିଧାନର ଧାରା ୨୨୬ ଅଧୀନରେ ଦାୟର କରିପାରିବେ ଏକାଧିକ ଜନସ୍ୱାର୍ଥ ମାମଲା ଏବଂ ରିଟ୍ ପିଟିସନ୍ । ଏହିଭଳି ମନଇଚ୍ଛା ପ୍ରଶାସନିକ ଖର୍ଚ୍ଚକୁ ବାତିଲ୍ କରିବା, ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେବା ଏବଂ ଚୋରି ହୋଇଥିବା ପ୍ରତ୍ୟେକଟି ଟଙ୍କା ଆଦାୟ କରିବା ପାଇଁ ନ୍ୟାୟପାଳିକା ପାଖରେ ରହିଛି ପୂର୍ଣ୍ଣ କ୍ଷମତା l ଆଇନର ଭୟ ହିଁ ଏହି ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀମାନଙ୍କୁ ମନେ ପକାଇଦେଉ ଯେ, ରାଜକୋଷର ପ୍ରକୃତ ମାଲିକ କିଏ।
What's Your Reaction?